ପାୱାର ପଲିଟିକ୍ସ ; ମହାରାଷ୍ଟ୍ରରେ ଅଜିତ-ୟୁପିରେ ଆଦିତ୍ୟ

ୟୁପିରେ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ତେଜିଥିଲା ବେଳେ ମହାରାଷ୍ଟ୍ରରେ ସଙ୍କଟରେ ପଡ଼ିଛନ୍ତି ଅଜିତ ପାଓ୍ୱାର। ଲୋକସଭା ନିର୍ବାଚନରେ ୟୁପିରେ ବିଜେପିର ବିପର୍ଯ୍ୟୟ ପରେ ଯୋଗୀ ଓ କେଶବଙ୍କ ଭିତରେ କ୍ଷମତା ଯୁଦ୍ଧ ଆରମ୍ଭ ହୋଇସାରିଛି। ସେପଟେ ମହାରାଷ୍ଟ୍ରରେ ଏନସିପି ମୁଖ୍ୟ ଅଜିତ ପାଓ୍ୱାରଙ୍କ ପାଖ ଛାଡ଼ିଲେଣି ଅନେକ ନେତା। ୨୫ ନେତା ଦଳ ଛାଡ଼ି ଶରଦଙ୍କ ଏନସିପିରେ ମିଶିବା ପରେ ପରେ ରାଜନୈତିକ ହଲଚଲ ସୃଷ୍ଟି ହୋଇଛି। ଅଜିତ ପୁଣି ଘରବାହୁଡ଼ା ହେବାର ସମ୍ଭାବନାକୁ ନେଇ ଚର୍ଚ୍ଚା ଥମୁନି।

ୟୁପିରେ ନେତୃତ୍ୱ ପରିବର୍ତ୍ତନର ପ୍ରଶ୍ନ ଉଠୁନି। ଲୋକସଭା ନିର୍ବାଚନରେ ୟୁପିରେ ବିଜେପିର ବିପର୍ଯ୍ୟୟ ପରେ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚାରେ ଲାଗିଲା ବିରାମ। ବିରୋଧୀ ୪୩ ସିଟ୍ ହାସଲ କରିଥିଲା ବେଳେ ବିଜେପି ମାତ୍ର ୩୬ଟି ଆସନ ହାତେଇଥିଲା। ଏହାକୁ କେନ୍ଦ୍ର କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଭିତରେ ବିବାଦରୁ ପରିବର୍ତ୍ତନ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମଙ୍ଗଳବାର ରାତିରେ ରାଜ୍ୟ ବିଜେପି ସଭାପତି ଭୂପେନ୍ଦ୍ର ଚୌଧୁରୀ ଓ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ସାକ୍ଷାତ ପରେ ଏଭଳି ଆଶଙ୍କା ତେଜିଥିଲା। ଏହି ଭେଟଘାଟ ପରେ ରାଜ୍ୟରେ ରାଜନୈତିକ ଉଷ୍ମତା ବଢିଥିଲା। ତେବେ ନେତୃତ୍ୱ ପରିବର୍ତ୍ତନ ନେଇ ନିଜ ନିଜ ଭିତରେ କଳି ବନ୍ଦ କରି ଆଗାମୀ ୧୦ଟି ସିଟରେ ହେବାକୁ ଥିବା ଉପ-ନିର୍ବାଚନକୁ ଫୋକସ କରି ବୁଝାଇଛନ୍ତି ନଡ୍ଡା। ଅନ୍ୟଥା ବିରୋଧୀଙ୍କୁ ଏହି ଚର୍ଚ୍ଚା ଶକ୍ତି ଯୋଗାଇବ ବୋଲି ପରାମର୍ଶ ଦେଇଛନ୍ତି ନଡ୍ଡା। ଯଦିଓ ବୁଧବାର ଉପନିର୍ବାଚନ ଲାଗି ମନ୍ତ୍ରୀମାନଙ୍କ ବୈଠକ ଡାକିଥିଲେ ଯୋଗୀ। କିନ୍ତୁ ଅନୁପସ୍ଥିତ ଥିଲେ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଓ ବ୍ରିଜେଶ ପାଠକ। ଜଣେ ଓବିସି ବର୍ଗର ନେତାଙ୍କୁ ରାଜ୍ୟ ସଭାପତି କରିବା ଉପରେ ଦଳ ଗୁରୁତ୍ୱ ଦେଉଛି। ୨୦୧୯ରେ ୮୦ରୁ ୬୨ ଆସନରେ ବିଜୟୀ ବିଜେପି ୨୦୨୪ରେ ୩୬କୁ ଖସିଆସିଛି।

ସେପଟେ ମହାରାଷ୍ଟ୍ରରେ ଏନସିପି ମୁଖ୍ୟ ଅଜିତ ପାଓ୍ୱାରଙ୍କୁ ଲାଗି଼ଛି ବଡ଼ ଝଟକା। ୪ ଶୀର୍ଷ ନେତାଙ୍କ ସମେତ ୨୫ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ଶଦର ପାଓ୍ୱାରଙ୍କ ନେତୃତ୍ୱାଧୀନ ଏନସିପିରେ ମିଶିଛନ୍ତି। ସେପଟେ ଏନସିପି ପୁନେ ସଭାପତି ଦୀପକ ମାନକର କହିଛନ୍ତି, ଅଜିତଙ୍କୁ ତାଙ୍କର ନିଃସର୍ତ୍ତ ସମର୍ଥନ ଥିଲା, ରହିଛି ଓ ରହିବ। ଲୋକସଭା ନିର୍ବାଚନରେ ଅଜିତ ପାଓ୍ୱାରଙ୍କ ନେତୃତ୍ୱାଧୀନ ଏନସିପି ଖରାପ ପ୍ରଦର୍ଶନ କରିଥିଲା। ସେମିତିରେ ସରକାରରୁ ବାହାରେ ରହିବାକୁ ଅଜିତଙ୍କୁ କୁଆଡ଼େ ବିଜେପି ଚାପ ପକାଉଥିବାର ଦାବି କରିଆସୁଛି ଶରଦଙ୍କ ଦଳ। ଶରଦଙ୍କ ସହ ଜୁଲାଇ ୨୦୨୩ରେ ବିଦ୍ରୋହ କରି ଅଜିତ ଏନଡିଏରେ ସାମିଲ୍ ହୋଇଥିଲେ। ନିଜ ଅନୁଗତ ବିଧାୟକଙ୍କୁ ନେଇ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାରରେ ସାମିଲ୍ ହୋଇଥିଲେ। ଅଜିତ ନିର୍ବାଚନ ଆୟୋଗଙ୍କଠୁ ବି ଦଳର ନାଁ ଓ ନିର୍ବାଚନୀ ଚିହ୍ନ ବି ନେବାକୁ ସକ୍ଷମ ହୋଇଥିଲେ। ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନରେ ବିଜେପି ସାଂସଦଙ୍କ ସଂଖ୍ୟା କମି ୯ରେ ସୀମିତ ରହିଯାଇଛି। ଶିବସେନା ୭ ଓ ଏନସିପି ମାତ୍ର ଗୋଟିଏ ସିଟରେ ଜିତିଥିଲା। ଯେବେ କି ବିପକ୍ଷ ମହାଅଗାଡ଼ି ମେଣ୍ଟ ୪୮ରୁ ୩୦ ସିଟ୍ ଜିତିଛି। ଶରଦ ପାଓ୍ୱାରଙ୍କ ଏନସିପି ୮ଟି ଆସନରେ ଜିତିଛି। ଅଜିତଙ୍କ ଏଭଳି ଦୁର୍ଦ୍ଦଶା ବେଳେ ଦଳକୁ ଫେରିବାକୁ ଚାହିଁଲେ କୋଳେଇନେବେ କି ବୋଲି ପ୍ରଶ୍ନରେ ଶରଦ କହିଛନ୍ତି, ସଙ୍କଟ ସମୟରେ ଯେଉଁମାନେ ତାଙ୍କ ସହ ଛିଡ଼ାହୋଇଛନ୍ତି, ସେମାନଙ୍କ ମତାମତ ଆଧାରରେ ନିଷ୍ପତ୍ତି ନିଆଯିବ।

ଲୋକସଭା ନିର୍ବାଚନରେ ବିପର୍ଯ୍ୟୟ ପରେ ୟୁପିରେ ନେତୃତ୍ୱ ପରିବର୍ତ୍ତନର ହାଓ୍ୱା ତ ମହାରାଷ୍ଟ୍ରରେ ଅଜିତ ପାଓ୍ୱାରଙ୍କ ଅବସ୍ଥା ଦୋଦୁଲ୍ୟମାନ। ଏଭଳି ସ୍ଥିତିରେ ଉପୁଜିଥିବା ରାଜନୈତିକ ସଙ୍କଟ ଆଗକୁ କି ମୋଡ଼ ନେବ, ସମୟ କହିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *