ବିଜେଡି ପରାଜୟ ଲାଗି କିଏ ଦାୟି ?

Spread the love

ସମଦୂରତ୍ୱର କଥା କହୁଥିଲା। ବିଜେପିର ସଙ୍କଟମୋଚକ ସାଜିଥିଲା। ହେଲେ ଏବେ ନିଜେ ସଂକଟରେ। ଦୀର୍ଘ ୨୪ ବର୍ଷ ପରେ କ୍ଷମତାରୁ ଗଲା ପରେ ଏବେ ଅକଳରେ ପଡ଼ିଯାଇଛି ଓଡ଼ିଶା ଲୋକଙ୍କ ବଳ ସାଜିଥିବା ବିଜେଡି। ପରାଜୟ ଲାଗି କିଏ ଦାୟୀ। ଏହାର ସ୍ପଷ୍ଟତା ଆସିଲାନି। ସଂସଦରେ ଇଣ୍ଡିଆ ମେଣ୍ଟ ସହ ଗୃହ ଭିତରକୁ ଓହ୍ଲାଇବା, କକ୍ଷତ୍ୟାଗ କରିବା ଆଦି ଘଟଣା ବିଜେଡିର ଅସହାୟତା ନା ଦମ୍ଭକୁ ଦର୍ଶାଉଛି, ତାକୁ ନେଇ ହାଟରେ ବାଟରେ ଜାରି ଥିବା ଆଲୋଚନା ଥମୁନି। ଆଉ କଂଗ୍ରେସ କହିସାରିଲାଣି, ଆମ ସହ ବିଜେଡି ମିଶିଯାଉ।

୨୦୧୯ରେ ବିଜେଡି ଓ ଏନସିପିକୁ ଭୂରିଭୂରି ପ୍ରଶଂସାରେ ପୋତି ପକାଇଥିଲେ ପ୍ରଧାନମନ୍ତ୍ରୀ। ସଂସଦୀୟ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ଏଇ ଦୁଇ ଦଳ କେବେ ବି ଗୃହର ମଧ୍ୟଭାଗକୁ ଓହ୍ଲାନ୍ତିନି। ବିଜେପି ସମେତ ସବୁ ଦଳ ଏମାନଙ୍କଠୁ ଶିଖିବା ଦରକାର। ୨୦୨୩ରେ ମୋଦି ସରକାରଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ଭାଗ ନେଇ ମୋଦିଙ୍କୁ ଯେଭଳି ପ୍ରଶଂସା କରିଥିଲେ ପିନାକୀ ମିଶ୍ର, ତାହା ସମସ୍ତଙ୍କୁ ତାଜୁବ କରିଥିଲା। କଂଗ୍ରେସର କଳା ଶାସନକୁ ବିରୋଧ କରି ବିଜେଡି ପ୍ରତିଷ୍ଠା ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଭଳି ଉଜ୍ୱସିନୀ ବକ୍ତା ଦେଶରେ ବିରଳ। ପ୍ରଧାନମନ୍ତ୍ରୀଙ୍କୁ ସଂସଦକୁ ଡାକି କଂଗ୍ରେସ ନିଜର ବିପଦକୁ କାହିଁକି ଡାକୁଛି। ଆଉ ଏବେ ଦୀର୍ଘ ୨୪ ବର୍ଷ ପରେ କ୍ଷମତାରୁ ଗଲା ପରେ ଚେତା ପଶିଛି ବିଜେଡିର। ଏକଦା ବିଜେପିର ସଙ୍କଟମୋଚକ ସାଜିଥିବା ବିଜେଡି ଏବେ ନିଜେ ସଙ୍କଟରେ ପଡ଼ିଯାଇଛି। ଲୋକସଭାରେ ମୂଳପୋଛ ହୋଇଥିବା ବିଜେଡି ରାଜ୍ୟସଭାରେ ୯ ସାଂସଦଙ୍କୁ ନେଇ ଇଣ୍ଡିଆ ମେଣ୍ଟ ସଦସ୍ୟଙ୍କ ସହ ନିଟ୍ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଓହ୍ଲାଇଲା। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ବେଳେ କକ୍ଷତ୍ୟାଗ କରିଦେଲା। ରାଜ୍ୟର ସ୍ୱାର୍ଥସମ୍ୱଳିତ ପ୍ରସଙ୍ଗରେ ଏଭଳି କଠୋର ହେବ ବୋଲି କହିଥିବା ବିଜେଡି ଦରଦାମ ବୃଦ୍ଧିରେ ବି ବିଜେପି ସରକାରଙ୍କୁ ଟାର୍ଗେଟ କରିଛି। ବିଜେଡି ଏ ପ୍ରସଙ୍ଗରେ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଚେଚାବନୀ ଦେଇଛି। ପରିସ୍ଥିତିରେ ପଡ଼ି ସ୍ୱର ବଦଳାଇଛି ବିଜେଡି। ସେପଟେ ନବୀନଙ୍କ ନେତୃତ୍ୱାଧୀନ ବିଜେଡି ଏବେ କଂଗ୍ରେସରେ ମିଶିଯାଉ ବୋଲି କହିଲେଣି ପିସିସି ସଭାପତି ଶରତ ପଟ୍ଟନାୟକ। ଯେହେତୁ ବିଜେଡି କେନ୍ଦ୍ରରେ ବିଜେପିକୁ ବିରୋଧ କରିବ ବୋଲି ଘୋଷଣା କରିସାରିଛି।

ବିରୋଧୀ ଶିବିରରେ ଏବେ ବିଜେଡି। ହେଲେ ବିଜେଡି ଭିତରେ ବିରୋଧ, ବିବାଦ ଓ ବିଦ୍ରୋହର ଦାନା ବି ସେତିକି ବାନ୍ଧିଲାଣି। ଦଳୀୟ ଶୃଙ୍ଖଳା ଓ ଅନୁଶାସନରେ ବନ୍ଧା ବିଜେଡି କେଜାଣି କେମିତି ଖାପ୍ ଛଡ଼ା ହେବାକୁ ଲାଗିଲାଣି। ବିଜେଡି ବିପର୍ଯ୍ୟୟ ପଛରେ କିଏ ଦାୟୀ, ଏ ଯାଏ ଏହାର ସ୍ପଷ୍ଟତା ଆସିଲାନି। ବବି, ପାଣ୍ଡିଆନଙ୍କୁ ନେଇ ଦଳରେ ତିକ୍ତତା ବଢ଼ିଲାଣି। ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ତ କହୁ କହୁ ଅନେକ କଥା ଓଗାଳିଦେଲେ। ବିଏମସି ଷ୍ଟାଣ୍ଡିଂ କମିଟି ନିର୍ବାଚନରେ ଭୁବନେଶ୍ୱର ବିଜେଡିରେ ଗୋଷ୍ଠୀ କନ୍ଦଳ ଚରମସୀମାରେ ପହଞ୍ଚିଥିଲା। ଅଶୋକ ପଣ୍ଡା ଓ ଅନନ୍ତ ଜେନା ବିଜେଡିରେ ବିଭୀଷଣ ସାଜିଛନ୍ତି ବୋଲି ବାଇଁଆ ଓ ଲିଟୁ ଗୋଷ୍ଠୀ ଆରୋପ ଲଦିଛନ୍ତି। ଏହାକୁ କାଉଣ୍ଟର କରିଥିଲେ ଏକ ହୋଟେଲରେ ବିଜେଡିର ୨୨ କର୍ପୋରେଟର। ସ୍ଥିତି ଏମିତି ହେଲା ଯେ, ବିନା ଅନୁମତିରେ ତୁଣ୍ଡ ଖୋଲନି ବୋଲି ଜିଲ୍ଲା ସଭାପତିଙ୍କୁ ପ୍ରେସରିଲିଜ୍ ଜାରି କରିବାକୁ ପଡ଼ିଲା। ଜିଲ୍ଲା ସଭାପତି ସୁଶାନ୍ତ ରାଉତଙ୍କ ଭୂମିକା ବି ସନ୍ଦେହଘେରରେ ବୋଲି ଚର୍ଚ୍ଚା ଚାଲିଛି। ବିଶୃଙ୍ଖଳା ବଢ଼ିଲେ ଆଉ ଏହାକୁ ଲଗାମ ଲଗାଇବାରେ ବିଳମ୍ୱ କଲେ ଆଗକୁ ଅସୁବିଧା ବୋଲି ଆଶଙ୍କା କରିଛନ୍ତି ଦଳର କିଛି ତୁଙ୍ଗ ନେତା।

କ୍ଷମତାରୁ ଗଲା ପରେ ବିଜେଡି ବାଉଳା ହେଲାଣି। ପରିସ୍ଥିତିରେ ପଡ଼ି ବିରୋଧୀ ଶିବିରରେ ସାମିଲ୍ ହୋଇଛି। ପରାଜୟର ସମୀକ୍ଷା କରିଛି ସତ। ହେଲେ ନିଷ୍କର୍ସରେ ପହଞ୍ଚିପାରୁନି। ବିବାଦ, ବିଦ୍ରୋହ ଏଣେ ଚରମସୀମାରେ। ସେଥିଲାଗି ସବୁଠି ଚର୍ଚ୍ଚା। ସଙ୍କଟମୋଚକ ଏବେ ସଙ୍କଟରେ।

Leave a Reply

Your email address will not be published. Required fields are marked *