ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା। ଏଥିଲାଗି ଆଜିଠୁ ପରୀକ୍ଷା ପରିଚାଳନା ହବ୍ କୁ କଡ଼ା ସୁରକ୍ଷା ବଳୟରେ ପ୍ରଶ୍ନପତ୍ର ପଠାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରୁ ଦୁଇଟି ପର୍ଯ୍ୟାୟରେ ଏହି ପ୍ରଶ୍ନପତ୍ର ପଠାଯିବାର ବନ୍ଦୋବସ୍ତ ହୋଇଛି। ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୪ ଯାଏଁ ଓ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୪ରୁ ୬ଯାଏଁ ପଠାଯିବ। ୧୦ଟି ରୁଟ୍ ଦେଇ ୬ ଲେୟାର ପ୍ୟାକିଂରେ ଏହି ପ୍ରଶ୍ନପତ୍ର ଯିବା ଆରମ୍ଭ କରିଛି। ଆଗ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଅଧୀନରେ ହବକୁ ଯାଉଛି ପ୍ରଶ୍ନପତ୍ର। ଏଥର ୨୦୫ଟି ହବ୍ କରାଯାଇଛି। ୧୨୬୭ଟି ପରୀକ୍ଷା କେନ୍ଦ୍ର ହୋଇଛି। ପ୍ରଶ୍ନପତ୍ର ଗ୍ରହଣ କରିବା ଦିନଠୁ ହିଁ ହବ୍ କାର୍ଯ୍ୟକ୍ଷମ ହେବ। କୌଣସି ପରିସ୍ଥିତିରେ ହବ୍ ସୁପର ଭାଇଜର କି ଡେପୁଟି ସୁପରଭାଇଜର ଷ୍ଟ୍ରଙ୍ଗରୁମକୁ ଏକା ଖୋଲି ପ୍ରବେଶ କରିପାରିବେନି। ଉଭୟଙ୍କ ଉପସ୍ଥିତିରେ ହିଁ ଷ୍ଟ୍ରଙ୍ଗରୁମ୍ ଖୋଲିବ। ଉଭୟ ମିଳିତ ଭାବେ ପରିଷଦ କର୍ମଚାରୀଙ୍କଠୁ ପ୍ରଶ୍ନପତ୍ର ପ୍ୟାକେଟ୍ ଗ୍ରହଣ କରିବେ। ପରିଷଦ କି ହବ୍ ସ୍ତରରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲାଯାଇପାରିବନି। କୌଣସି ବିଭ୍ରାଟ ହେବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ନିୟନ୍ତ୍ରକ। ସଶସ୍ତ୍ର ପୁଲିସ ସହ ପ୍ରଶ୍ନପତ୍ର ଯାଉଛି ହବ୍ କୁ।
ଚଳିତ ବର୍ଷ ଯୁକ୍ତ୨ରେ ୩ଲକ୍ଷ ୯୩ହଜାର ୬୧୮ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳାରେ ସର୍ବାଧିକ ୨ଲକ୍ଷ୪୭ହଜାର୩୯୧, ବିଜ୍ଞାନରେ ୧ଲକ୍ଷ ୧୪ହଜାର୯୮୦, ବାଣିଜ୍ୟରେ ୨୫ହଜାର ୫୨୬ ଓ ଧନ୍ଦାମୂଳକରେ ୫ହଜାର୭୨୧ ପରୀକ୍ଷାର୍ଥୀ ରହିଛନ୍ତି। ହବ୍ର ଷ୍ଟ୍ରଙ୍ଗରୁମରେ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ସହ ୨୪ ଘଣ୍ଟିଆ ପୁଲିସ ପହରା ରହିବ। ଷ୍ଟ୍ରଙ୍ଗରୁମକୁ ଅସ୍ଥାୟୀ ଟ୍ରେଜର ଭାବେ ଘୋଷଣା କରାଯିବ। ଅଧ୍ୟାପକଙ୍କୁ ନେଇ ଗଠିତ ପ୍ୟାନେଲ୍ ଯେଉଁମାନେ ପର୍ଯ୍ୟବେକ୍ଷକ ଭାବେ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ନେଇକି ଯିବେ। ପରୀକ୍ଷା ଦିନ ସକାଳ ୮ଟା୩୦ ସୁଦ୍ଧା ଯେପରି ପ୍ରଶ୍ନପତ୍ର ପହଞ୍ଚିବ, ସେ ଦିଗରେ ହବ୍ ସୁପରଭାଇଜର ଗୁରୁତ୍ୱ ଦେବେ। କୌଣସି ପରିସ୍ଥିତିରେ ହବ୍ର ସିସିଟିଭି ରେକର୍ଡିଂ ବନ୍ଦ ହେବନି। ରାତ୍ରିକାଳୀନ ପାଟ୍ରୋଲିଂ ଉପରେ ଗୁରୁତ୍ୱ ଦିଆଯାଇଛି।
ପରୀକ୍ଷା କେନ୍ଦ୍ରକୁ କିଭଳି ପ୍ରଶ୍ନପତ୍ର ଯିବ, ହବ୍ ସୁପରଭାଇଜର ରୁଟଚାର୍ଟ ତିଆରି କରିବେ। ପରୀକ୍ଷାକେନ୍ଦ୍ରର ଅଧୀକ୍ଷକ ସିଲ୍ ଥିବା ପ୍ରଶ୍ନପତ୍ର ଗ୍ରହଣ କରିବେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now