ଅଡୁଆରେ ଅଶୋକ ଗେହଲଟ

Spread the love

() ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ଅନୁଗତଙ୍କ ଜରିଆରେ ବିଦ୍ରୋହ କରିଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବେ ଅଡ଼ୁଆରେ। କୌଣସିମତେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଇନଦେବାର ପଣରୁ ଏବେ ଗେହଲଟଙ୍କ ଉପରେ ଖପ୍ପା ହାଇକମାଣ୍ଡ। ଜାଣିଶୁଣି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ଦଳରେ ବିଦ୍ରୋହର ନିଆଁ ଲଗାଇଥିବା ଗେହଲଟଙ୍କୁ ଚାରି ପାଞ୍ଜିରୁ କ୍ଷମତା କରିଡରରୁ ଦୂରେଇ ରଖିବାକୁ ବିଚାରବିମର୍ଶ ଆରମ୍ଭ ହୋଇଛି। ଏପରିକି କଂଗ୍ରେସ ସଭାପତି ଦୌଡ଼ରୁ ବାଦ୍ ପଡ଼ିବାର ଆଶଙ୍କା ବଢ଼ିବା ସହ ମୁଖ୍ୟମନ୍ତ୍ରୀ ପଦ ବି ଯିବାର ସମ୍ଭାବନା ଦେଖାଗଲାଣି।

ରାଜସ୍ଥାନ ରାଜନୈତିକ ସଂକଟ ବାବଦରେ ଏଆଇସିସି ପର୍ଯ୍ୟବେକ୍ଷକ ଅବଗତ କରାଇଛନ୍ତି ସୋନିଆଙ୍କୁ। ଆଉ ଏ ସବୁ ବିବାଦ ଓ ବିଦ୍ରୋହ ପଛରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଥିବା ହୃଦବୋଧ କରିଛନ୍ତି ହାଇକମାଣ୍ଡ। ଗେହଲଟଙ୍କ ଅନୁଗତ ବିଧାୟକଙ୍କ ବିଶୃଙ୍ଖଳିତ ଆଚରଣକୁ ନେଇ କ୍ଷୁବ୍ଧ ହାଇକମାଣ୍ଡ। ସେଥିଲାଗି ଲିଖିତ ରିପୋର୍ଟ ତଲବ କରିଛନ୍ତି ସୋନିଆ। ରାଜସ୍ଥାନ ବିଧାୟକ ଦଳ ବୈଠକ ବସିପାରିନଥିବାରୁ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଗେହଲଟଙ୍କ ଅନୁଗତ ବିଧାୟକଙ୍କୁ ବିଶୃଙ୍ଖଳିତ ବୋଲି ସୋନିଆଙ୍କୁ ରିପୋର୍ଟ କରିଛନ୍ତି ଏଆଇସିସି ପର୍ଯ୍ୟବେକ୍ଷକ ଅଜୟ ମାକେନ୍। କେବଳ ଏତିକି ନୁହେଁ, କିଭଳି ପର୍ଯ୍ୟବେକ୍ଷକ ଭାବେ ଯାଇ ପାଲଟା ଗେହଲଟ କ୍ୟାମ୍ପ ଦ୍ୱାରା ସର୍ତ୍ତମୂଳକ ପ୍ରସ୍ତାବରେ ସମ୍ମତି ଦେବାକୁ ତାଙ୍କ ଉପରେ ଚାପ ପକାଯାଇଥିଲା, ସେ ବାବଦରେ ବି ବିସ୍ତୃତ ତଥ୍ୟ ଦେଇଛନ୍ତି ସୋନିଆଙ୍କୁ। ବିଧାୟକ ଦଳ ବୈଠକ ବସିବାକୁ ଯୋଜନା ହୋଇଥିଲା ବେଳେ କିଭଳି ସମାନ୍ତରାଳ ଭାବେ ଆଉ ଏକ ବୈଠକ ବସି ବିଶୃଙ୍ଖଳା କରାଯାଇଥିଲା,ତାକୁ ବି ଅବଗତ କରାଇଛନ୍ତି ସୋନିଆଙ୍କୁ। କେବଳ ମାକେନଙ୍କ କ୍ଷେତ୍ରରେ ଏହା ହେଲାନି। ଗେହଲଟ କ୍ୟାମ୍ପର ମନ୍ତ୍ରୀ ଓ ବିଧାୟକ ରାଜ୍ୟସଭା ବିରୋଧୀ ଦଳ ନେତାଙ୍କୁ ଭେଟି ସେମାନଙ୍କର ତିନୋଟି ସର୍ତ୍ତ ମାନିବାକୁ ଚାପ ପକାଇଥିଲେ ସେ କଥାର ବି ଅବତାରଣା କରିଛନ୍ତି।

ଯଦିଓ ତାଙ୍କ ଅନୁଗତ ବିଧାୟକଙ୍କ ଏଭଳି ଆଚରଣକୁ ନେଇ ହାଇକମାଣ୍ଡଙ୍କ ପକ୍ଷରୁ ପ୍ରତିନିଧି ହୋଇ ଜୟପୁର ଯାଇଥିବା ମଲ୍ଲିକାର୍ଜୁନଙ୍କୁ ଗେହଲଟ ଭେଟି କ୍ଷମା ମାଗିଥିବା କୁହାଯାଉଛି। ହେଲେ ଗେହଲଟ ହିଁ ସବୁ ବିବାଦ ଓ ବିଦ୍ରୋହର ମୂଳ ମଞ୍ଜି ବୋଲି ଜାଣିସାରିଲେଣି ପର୍ଯ୍ୟବେକ୍ଷକ। ସେପଟେ ଗେହଲଟ ସବୁବେଳେ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ମାନିଆସିଛନ୍ତି। ୨୦୨୦ରେ ପାଇଲଟ ଯେତେବେଳେ ଦଳରେ ବିଦ୍ରୋହ କରିଥିଲେ, ସେତେବେଳେ ଗେହଲଟଙ୍କୁ ହାଇକମାଣ୍ଡ ହିଁ କହିଥିଲେ, ଯଦିଓ କେହି ଭୁଲ୍ ବାଟରେ ଯାଇଛନ୍ତି, ସେମାନଙ୍କୁ ଫେରାଇଆଣ। ଆଉ ହାଇକମାଣ୍ଡଙ୍କ କଥା ମାନି ପାଇଲଟ ଓ ତାଙ୍କ ଅନୁଗତ ବିଧାୟକଙ୍କୁ କୋଳେଇ ନେଇଥିଲେ ଗେହଲଟ ବୋଲି କହିଛନ୍ତି ମନ୍ତ୍ରୀ ଶାନ୍ତି ଧରିଓ୍ୱାଲ୍। ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଏହା ତାଙ୍କ ବିରୁଦ୍ଧରେ ଶତ ପ୍ରତିଶତ ଷଡ଼ଯନ୍ତ୍ର ଆଉ ଏଥିରେ ସାମିଲ୍ ଅଛନ୍ତି ଦଳର ସାଧାରଣ ସମ୍ପାଦକ। ସେପଟେ ଆଉ ଜଣେ ମନ୍ତ୍ରୀ ମହେଶ ଯୋଶୀ ବି କହିଛନ୍ତି, ହାଇକମାଣ୍ଡ କାହାକୁ ବି ମୁଖ୍ୟମନ୍ତ୍ରୀ କରିପାରନ୍ତି। ନୂଆ ଚେହେରାକୁ ଆଣିପାରନ୍ତି ନଚେତ ଗେହଲଟଙ୍କୁ ପଦବୀରେ ରଖିପାରନ୍ତି। କିନ୍ତୁ ଦଳରେ ବିଦ୍ରୋହ କରିଥିବା କୌଣସି ନେତାଙ୍କୁ ବସାଇ ଦଳକୁ ଦୁର୍ବଳ କରନ୍ତୁନି।

ଗେହଲଟଙ୍କ ବିରୁଦ୍ଧରେ ହାଇକମାଣ୍ଡ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାର ସମ୍ଭାବନା ରହିଛି। ଯଦି ଏହା ହୁଏ, ତେବେ କଂଗ୍ରେସ ସଭାପତି ଦୌଡ଼ରୁ ବାଦ୍ ପଡ଼ିପାରନ୍ତି। ନାମାଙ୍କନ ଦାଖଲ ଲାଗି ଫର୍ମ ନେଇଥିବା ଗେହଲଟ ଏବେ ବ୍ୟାଡ୍ ଫର୍ମରେ ଥିବା ଚର୍ଚ୍ଚା ହେଉଛି। ଯଦିଓ ସଂଖ୍ୟା ଗଣିତରେ ଆଗରେ। ହେଲେ ହାଇକମାଣ୍ଡଙ୍କ ଦୃଷ୍ଟିରେ ଆଉ କିଛି। ହାତରୁ ମୁଖ୍ୟମନ୍ତ୍ରୀ ଚୌକି ବି ଯିବାର ଆଶଙ୍କା ରହିଛି। ହେଲେ ଅନୁଗତ ବିଧାୟକଙ୍କ ବିଦ୍ରୋହ ଜାରି ରହିଲେ ଏହା ଦଳ ଓ ହାଇକମାଣ୍ଡଙ୍କ ପାଇଁ ବି ବଡ଼ ଚିନ୍ତାର ବିଷୟ ସାଜିବ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *