ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ ମନା

ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ ମନା । ଗୃହରେ କାଲିର ଘଟଣାପରେ ସାମ୍ବାଦିକଙ୍କୁ ମୋବାଇଲ ବାରଣ କରାଯାଇଛି ।ସାମ୍ୱାଦିକଙ୍କୁ ଏଭଳି ପ୍ରତିବନ୍ଧକ ଅଚାନକ ଲାଗିଥିଲା ବିଧାନସଭାରେ। ଯଦି ପ୍ରେସ ଗ୍ୟାଲେରିକୁ ଯିବେ, ତା ହେଲେ  ସୁରକ୍ଷା କର୍ମୀଙ୍କ ଜିମାରେ ମୋବାଇଲ ଦେବେ। ଏଭଳି ସର୍ତ୍ତ ଦେଖି ଆଶ୍ଚର୍ଯଚକିତ ହୋଇଯାଇଥିଲେ ସାମ୍ୱାଦିକ। ମଙ୍ଗଳବାର ବିଧାନସଭା ଭିତରେ ବିଧାୟକଙ୍କ ଭିତରେ ହାତାହାତିର ଦୃଶ୍ୟ ଗଣମାଧ୍ୟମରେ ପ୍ରଦର୍ଶିତ ସହ ଏହାର ଭିଡ଼ିଓ ଭାଇରାଲ ପରେ ଏହାକୁ ନେଇ ହଡ଼ବଡ଼େଇ ଯାଇଥିଲେ ସରକାର। ଏଭଳି କଟକଣା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଆକ୍ରମଣ ଓ ସାମ୍ୱାଦିକତାକୁ ଅପମାନ କହି ଏହାର ପ୍ରତିବାଦରେ କେହି ଯାଇନଥିଲେ ପ୍ରେସଗ୍ୟାଲେରିକୁ। ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ। ବିଧାନସଭାରେ ବିଧାୟକ ନିଜ ଆଚରଣ ଓ ଉଚ୍ଚାରଣରେ ସଂଯତ ରଖିଲେନି। ହାତାହାତି ଯାଏଁ କଥା ଗଲା। ଏହାର ଭିଡ଼ିଓ ବି ଅନେକ ବିଧାୟକ ନିଜ ସୋସିଆଲ ମିଡିଆ ସାଇଟରେ ଅପଲୋଡ୍ କରିଥିଲେ। ସରକାରୀ ଦଳ ବିଜେପିର ସୋସିଆଲ ମିଡିଆ ପେଜରେ ବି ଏହା ଅପଲୋଡ୍ ହୋଇଛି। ସେ ଭିଡ଼ିଓ ଗଣମାଧ୍ୟମ ପ୍ରସାରିତ କରିବାରୁ ଗଣମାଧ୍ୟମକୁ କାହିଁକି ସରକାର ଦାଉ ସାଧିଲେ ବୋଲି ସବୁଠି ପ୍ରଶ୍ନ ଉଠିଛି।

ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟ ବି ସାମ୍ୱାଦିକଙ୍କ ପ୍ରତି ଏଭଳି ଅଙ୍କୁଶ ବିରୁଦ୍ଧରେ ଗାନ୍ଧୀମୂର୍ତ୍ତି ତଳକୁ ଆସି ସମର୍ଥନ ଦେଇଥିଲେ। ସରକାର ନିଜ ଦୋଷକୁ ଘଣ୍ଟ ଘୋଡ଼ାଇବାକୁ ଏଭଳି ମାନସିକତା ଆପଣାଇଥିବା ଆରୋପ ଲଦିଥିଲେ ବିରୋଧୀ। ହାତ ପାହାନ୍ତାରେ ମୋବାଇଲରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଥିବା ସାମ୍ୱାଦିକଙ୍କୁ ମୋବାଇଲ ନେବାରେ କଟକଣା କରିଦେଲେ ଖବର ଦେବେ କେମିତି।

ସେପଟେ ସାମ୍ୱାଦିକଙ୍କୁ ବୁଝାଇବା ସକାଶେ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ସରକାରୀ ଦଳ ମୁଖ୍ୟ ସଚେତକ, ଉପ-ମୁଖ୍ୟ ସଚେତକ ପ୍ରମୁଖ ଧାରଣାସ୍ଥଳକୁ ଆସି ବୁଝାସୁଝା କରିଥିଲେ। ମୁଖ୍ୟ ସଚେତକଙ୍କ ଚାମ୍ୱରକୁ ଘଟଣା ବାବଦରେ ବୁଝିବାକୁ ଡାକିଥିଲେ। ସାମ୍ୱାଦିକଙ୍କ ପ୍ରତି ଏଭଳି କଟକଣାକୁ ନେଇ ଗୃହ ଭିତରେ ବିଜେଡି ବି ସ୍ୱର ଉଠାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଗାନ୍ଧୀମୂର୍ତ୍ତି ତଳେ ପ୍ରତିବାଦ ବେଳେ ବୟସ୍କ ସାମ୍ୱାଦିକ ଭାଗବତ ତ୍ରିପାଠୀ ଅସୁସ୍ଥ ହୋଇପଡ଼ିଥିଲେ।

ସାମ୍ୱାଦିକଙ୍କ ପ୍ରତି ମୋହନ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ସବୁଠି ସମାଲୋଚନା କରାଯାଇଛି। ନବୀନ ସରକାର ଅମଳରେ ସାମ୍ୱାଦିକଙ୍କ ପ୍ରତି ଅନେକ କଟକଣା ଜାରି ହୋଇଥିଲା। କିନ୍ତୁ ମୋହନ ସରକାର ଅମଳରେ ଏଭଳି କଟକଣାକୁ ସହଜେ ଗ୍ରହଣ କରିପାରିନାହାନ୍ତି ସାମ୍ୱାଦିକ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *