ତ୍ରୀରଙ୍ଗାକୁ ନେଇ ମୁହାଁମୁହିଁ

Spread the love

ନୂଆଦିଲ୍ଲୀ: ଦେଶ ସ୍ୱାଧୀନତାର ୭୫ ଅବସରରେ ପାଳନ କରୁଛି ଆଜାଦୀକା ଅମୃତ ମହୋତ୍ସବ। ଏହି ପବିତ୍ର ଉତ୍ସବମୁଖର ବର୍ଷରେ ସ୍ୱାଧୀନତା ଦିବସକୁ ସ୍ମରଣୀୟ କରିବାକୁ କେନ୍ଦ୍ର ସରକାର ପକ୍ଷରୁ ବିଶେଷ ଆୟୋଜନ କରାଯାଇଛି। ଘର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଚାଲିଛି ଓ ପ୍ରତି ଘରେ ଅଗଷ୍ଟ ୧୫ ତାରିଖରେ ତ୍ରୀରଙ୍ଗା ଉଡାଇାକୁ ମୋଦି ଆହ୍ୱାନ ଦେଇଛନ୍ତି। କିନ୍ତୁ ଏହାକୁ ନେଇ ସପକ୍ଷ ଓ ବିପକ୍ଷ ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ଯୁଦ୍ଧ। ତେବେ ଏହି ଯୁଦ୍ଧରେ ଅନ୍ୟାନ୍ୟ ବିରୋଧୀ ଦଳ କଂଗ୍ରେସଠାରୁ ଦୂରତା ରକ୍ଷା କରୁଥିବା ବେଳେ କଂଗ୍ରେସ ଏକା ପଡିଯାଇଛି ଏହି ଲଢେଇରେ।

ହର ଘର ତ୍ରୀରଙ୍ଗା। ଏହି ନାରା ଦେଇ ବିଜେପି ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ କରିବାକୁ ଦେଇଛି ଆହ୍ୱାନ। ଦେଶର ୨୦ କୋଟି ଘର ଉପରେ ତ୍ରୀରଙ୍ଗାକୁ ଫରଫର କରି ଉଡାଇ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ଗୌରବାନ୍ୱିତ କରିବାକୁ ଲକ୍ଷ୍ୟ ରଖିଛି ବିଜେପି। ପ୍ରତି ଘରେ, ପ୍ରତି ଗାଁରେ, ପ୍ରତି ଛକରେ ତ୍ରୀରଙ୍ଗା ଫରଫର ହୋଇ ଉଡିବ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହାକୁ କିଛି ନିଆରା, କିଛି ଖାସ ଓ ସ୍ମରଣୀୟ କରିବାକୁ କେନ୍ଦ୍ର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି। ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ଦେଶ ପାଳନ କରିବ ସ୍ୱାଧୀନତାର ଅମୃତ ମହୋତ୍ସବ। ଏଥିସହ ମୋଦି ତାଙ୍କ ୯୧ତମ ମନକି ବାତ୍ କାର୍ଯ୍ୟକ୍ରମରେ ଅଗଷ୍ଟ୨ରୁ  ପ୍ରତ୍ୟେକ ଭାରତୀୟ ସୋସିଆଲ ମିଡିଆରେ ନିଜ ପ୍ରୋଫାଇଲ ପିକଚରରେ ତ୍ରୀରଙ୍ଗା ରଖିବାକୁ ଦେଶବାସୀଙ୍କୁ ଅପିଲ କରିଥିଲେ। ଅଗଷ୍ଟ ୨ ହେଉଛି ତ୍ରୀରଙ୍ଗାକୁ ରୂପ ଦେଇଥିବା ପିଙ୍ଗାଲି ଭେଙ୍କୟାଙ୍କ ଜନ୍ମ ଜୟନ୍ତୀ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜ ଟ୍ବିଟର ଆକାଉଣ୍ଟର ଡିପି ବଦଳାଇ ସେଥିରେ ତ୍ରିରଙ୍ଗା ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବହୁ ସୋସିଆଲ ମିଡିଆ ୟୁଜର ମଧ୍ୟ ନିଜ ନିଜ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗାକୁ ସ୍ଥାନ ଦେଇଛନ୍ତି। ଏପରିକି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିଜ ଟ୍ବିଟରର ଫଟୋ ବଦଳାଇଥିବା ସହ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କ ତ୍ରିରଙ୍ଗା ଫଟୋ ଦେଇଛନ୍ତି।

ତେବେ କଂଗ୍ରେସ ନେତାଙ୍କ ଦ୍ୱାରା ଜବାହରଲାଲଙ୍କ ହାତରେ ତ୍ରୀରଙ୍ଗା ଥିବା ଫଟୋକୁ ନେଇ ଉପହାସ କରିଛି ବିଜେପି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ମୁଖପାତ୍ର ସମ୍ୱିତ ପାତ୍ର କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି କି, କଂଗ୍ରେସ ନେତା ଚାହିଁଥିଲେ ଖାଲି ତ୍ରିରଙ୍ଗାକୁ ସ୍ଥାନ ଦେଇ ପାରିଥାନ୍ତେ। କିନ୍ତୁ ନିଜ ବଂଶବାଦକୁ ଉପସ୍ଥାପିତ କରିବାକୁ ଏହି ଜାତୀୟ ଉତ୍ସବରେ ଏପରି ଫଟୋ ଦେଇଛନ୍ତି। ସେପଟେ ତ୍ରୀରଙ୍ଗାକୁ ନେଇ ଆକ୍ରମଣ ଓ ପ୍ରତି ଆକ୍ରମଣ ମଧ୍ୟରେ କଂଗ୍ରେସ ନେତା ମଧ୍ୟ ପ୍ରତିକ୍ରୀୟାଶୀଳ ହୋଇଛନ୍ତି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ କରି କହିଛନ୍ତି କି, ଆମେ ତ ଆମ ଡିପିରେ ଆମ ନେତାଙ୍କ ଫଟୋ ଦେଇଛୁ। କିନ୍ତୁ ମନେ ହେଉଛି ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ ଯେମିତି ତାଙ୍କ ପରିବାର କାନରେ ପଡୁନାହିଁ। ଯେଉଁମାନେ ୫୨ ବର୍ଷ ପର୍ଯ୍ୟନ୍ତ ନିଜ ନାଗପୁର ହେଡ କ୍ୱାଟରରେ ପତାକା ଉଡାଇ ନାହାନ୍ତି? କଣ ସେମାନେ ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶକୁ ସମ୍ମାନ ଦେବେ? ବୋଲି ପ୍ରଶ୍ନ କରିଛନ୍ତି ରମେଶ।

ସେପଟେ ଏହି ପ୍ରସଙ୍ଗରେ କଂଗ୍ରେସର ମିଡିଆ ଆଣ୍ଡ ପବ୍ଲିସିଟି ସେଲ ଆହୁରି ଦୁଇ ପାଦ ଆଗକୁ ଯାଇଛନ୍ତି। ସେ ଆରଏସଏସ ନେତାଙ୍କୁ ତ୍ରିରଙ୍ଗା ଗ୍ରହଣ କରିବାକୁ ପ୍ରୋତ୍ସାହିତ କରିବାକୁ କହିବା ସହ ଆରଏସଏସ  ଓ ଆରଏସଏସ ମୁଖ୍ୟ ମୋହନ ଭଗୱତଙ୍କ ଟ୍ୱିଟର ସ୍କ୍ରିନ ସଟ ମଧ୍ୟ ଟ୍ୱିଟରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ଉଭୟର ଡିପିରେ ତ୍ରୀରଙ୍ଗା ଦିଆଯାଇନାହିଁ। ସେହିପରି ଭାରତୀୟ ଯୁବ କଂଗ୍ରେସ ସଭାପତି ବି ଭି ଶ୍ରୀନିବାସ ଟ୍ୱିଟ କରି କହିଛନ୍ତି, ଯେଉଁମାନଙ୍କର ଦେଶର ସ୍ୱାଧୀନତା ସଂଗ୍ରାମରେ କୌଣସି ଅବଦାନ ନାହିଁ ସେମାନଙ୍କ ମନରେ ତ୍ରୀରଙ୍ଗା ପ୍ରତି ସମ୍ମାନ ନାହିଁ। ସେହିପରି କଂଗ୍ରେସର ବହୁ ନେତା ଆରଏସଏସ ତଥା ବିଜେପିର ବହୁ ନେତାଙ୍କ ଆକାଉଣ୍ଟର ସ୍କ୍ରିନ ସଟ ସେୟାର କରିଛନ୍ତି, ଯେଉଁମାନଙ୍କ ଡିପି ଫଟୋ ବଦଳାଯାଇନାହିଁ।

ଅନ୍ୟପଟେ ସାଂସଦମାନଙ୍କର ଏକ ତ୍ରୀରଙ୍ଗା ରାଲିର ଆୟୋଜନ କରାଯାଇଥିଲା, ଯେଉଁଥିରେ ବିଜେପି ସାଂସଦମାନେ ଯୋଗ ଦେଇଥିଲେ, କିନ୍ତୁ ଏଥିରେ କଂଗ୍ରେସ ସାଂସଦ ସମ୍ପୂର୍ଣ୍ଣ ଗାଏବ ଥିଲେ। ଏହାକୁ ନେଇ ବିଜେପି କଂଗ୍ରେସର ଦେଶପ୍ରେମକୁ ନେଇ ପ୍ରଶ୍ନ କରାଯାଇଛି। ଏହାର ଉତ୍ତରରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି କି, ଏହା ଏକ ବିଜେପିର କାର୍ଯ୍ୟକ୍ରମ, ଆମେ ସାମିଲ ହେବାର ଆବଶ୍ୟକତା ନ ଥିଲା। କିଏ ପ୍ରକୃତ ଦେଶପ୍ରେମୀ ଆମକୁ ଜଣା। ଯେଉଁ ଖବରକାଗଜ ସ୍ୱାଧୀନତା ସଂଗ୍ରାମ କାଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲା, ତାକୁ ଏବେ କାଠଗଡାକୁ ଟଣା ଯାଉଛି। ତେଣୁ ଆମେ କାହିଁକି ବିଜେପିର ଅଜେଣ୍ଡାକୁ ଗ୍ରହଣ କରିବୁ? ସେମାନେ ଖାଦିକୁ ଶେଷ କରିଦେଇଛନ୍ତି। ପତାକା ସବୁ ଚୀନରୁ ଆସୁଛି । ସେମାନେ ପତାକାର କୋଡ ମଧ୍ୟ ବଦଳାଇ ଦେଇଛନ୍ତି। ସେମାନେ ସରକାରକୁ ସେମାନଙ୍କ ରାଜନୈତିକ କାର୍ଯ୍ୟ ପାଇଁ ସାଇନବୋର୍ଡ ଭାବେ ବ୍ୟବହାର କରୁଛନ୍ତି ବୋଲି ଅଧୀର ରଞ୍ଜନ କହିଛନ୍ତି।

ତେବେ ତ୍ରୀରଙ୍ଗାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଜାରି ବିବାଦ ମଧ୍ୟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ମିଳିତ ପ୍ରତିକ୍ରୀୟା। ଅନେକ ନିଜ ଡିପିରେ ତ୍ରୀରଙ୍ଗା ଲଗାଇଥିବା ବେଳେ ଅନେକ ଲଗାଇ ନାହାନ୍ତି। ଯାହାକୁ ନେଇ ବଢିଛି ବିବାଦ।

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *