ସମ୍ବର୍ଦ୍ଧନା ଆଗ ନା କ୍ୟାବିନେଟ ମିଟିଂ ଆଗ ? ପ୍ରଶ୍ନ କଲେ କଂଗ୍ରେସ ନେତା ରଶ୍ମିରଂଜନ ପାଢୀ

Spread the love

ରାଉରକେଲା : ରାଜ୍ୟ ମନ୍ତ୍ରୀ ମଣ୍ଡଳ ନିକଟରେ ସଂପ୍ରସାରଣ ହୋଇଥିବା ବେଳେ ଦିର୍ଘ ୧୧ ବର୍ଷ ପରେ ସେଥିରେ ଶ୍ରମ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ତେବେ ୩୦ ତାରିଖରେ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୁର୍ଣ ମିଟିଂ ଚାଲିଥିବା ବେଳେ ମନ୍ତ୍ରୀ ଶ୍ରୀ ନାୟକ ସେହି ମିଟିଂକୁ ନଯାଇ ରାଜଗାଙ୍ଗପୁର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ନେବା କେତେ ଠିକ ହୋଇଛି ଓ ସମ୍ବର୍ଦ୍ଧନା ଆଗ ନା କ୍ୟାବିନେଟ ମିଟିଂ ଆଗ ବୋଲି କଂଗ୍ରେସ ନେତା ରଶ୍ମିରଂଜନ ପାଢୀ ପ୍ରଶ୍ନ କରିଛନ୍ତି ।

ଶ୍ରୀ ପାଢୀ କହିଛନ୍ତି ଯେ, ଶ୍ରୀ ନାୟକ ମନ୍ତ୍ରୀ ଭାବେ ଯେତେବେଳେ ଶପଥ ନେଲେ ସେତେବେଳେ ସେ ଓଡିଶାର ଜନସାଧାରଣଙ୍କ ଲାଗି ମନ୍ତ୍ରୀ ଭାବେ ଶପଥ ନେଲେ, ତେବେ ଓଡିଶା ବାସୀଙ୍କ ଲାଗି ରାଜ୍ୟ କ୍ୟାବିନେଟରେ ହେବାକୁ ଥିବା ବିଭିନ୍ନ ଗୁରୁତ୍ଵପୁର୍ଣ ନିଷ୍ପତି ବେଳେ ସେ ନିଜେ ସେଠାରେ ନରହି ଓଡିଶା ବାସୀଙ୍କ ଲାଗି ସେ କିଭଳି ନ୍ୟାୟ କଲେ ଓ ନେଇଥିବା ଶପଥକୁ କେତେ ପାଳନ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ, ମନ୍ତ୍ରୀ ଶ୍ରୀ ନାୟକ ଶପଥ ନେଇ ଫେରିବା ବାଟରେ ବଣେଇ ଠାରୁ ରାଉରକେଲା ଯାଏ ତାଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା, ଏପରିକି ଆଜିଯାଏ ମଧ୍ୟ ତାଙ୍କୁ ଏଭଳି ଉତ୍ସବକୁ ଯିବାକୁ ପଡୁଛି, ୧୧ ବର୍ଷ ପରେ ସେ ପୁଣି ମନ୍ତ୍ରୀ ହୋଇଥିବାରୁ ଅନେକ ଲୋକ ତାଙ୍କୁ ଏଭଳି ଉତ୍ସବ କରି ଡାକୁଛନ୍ତି, ହେଲେ ତାଙ୍କର ଏହି ପାଳିରେ ମନ୍ତ୍ରୀ ହେବା ପରେ ଏହା ଥିଲା ତାଙ୍କ ଲାଗି ପ୍ରଥମ ମିଟିଂ। ରାଜ୍ୟରେ ଶ୍ରମିକ ମାନଙ୍କୁ ନେଇ ନାନା ସମସ୍ୟା ରହିଥିବା ବେଳେ ଖୋଦ ତାଙ୍କ ଜିଲ୍ଲାରେ ଶ୍ରମ ବିଭାଗରେ କୋଟି କୋଟି ଟଙ୍କାର ହରିଲୁଟ ମାମଲା ଏବେ ହାଇକୋର୍ଟରେ ପହଁଚିଛି । ଏହା ଛଡା ସୁନ୍ଦରଗଡ ଜିଲ୍ଲା ସମେତ ରାଜ୍ୟର ନାନା ଶ୍ରମିକ ସମସ୍ୟାକୁ ନେଇ ତାଙ୍କର ଏଠାରେ ଆଲୋଚନା କରିବାର ସୁଯୋଗ ରହିଥିଲା କିନ୍ତୁ, ସେ ଏହାକୁ ହାତଛଡା କରି କିଭଳି ନ୍ୟାୟଦେଲେ ଓଡିଶାବାସୀଙ୍କୁ ସେନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ପାଢୀ । ସମ୍ବିଧାନର ବ୍ୟବସ୍ଥା ଅନୁଶାରେ ଏହି ମିଟିଂରେ ଯେତିକି ପ୍ରସ୍ତାବ ଗ୍ରହଣ କରାଗଲା ସେଠି ଯଦି ଏକ ତୃତୀୟାଂଶ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ନଥିବେ ତେବେ ସେହି ପ୍ରସ୍ତାବ ଗୁଡିକ ଗ୍ରହଣୀୟ ହେବ ନାହିଁ, ତେବେ ସେ ମିଟିଂରେ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯଦି ଉପସ୍ଥିତ ନଥିଲେ ତେବେ ତାଙ୍କୁ ସେ ମିଟିଂ କୁ ଡକାଯାଇଥିଲା ନା ନାହିଁ, ଯଦି ଡକାଯାଇ ନାହିଁ ତେବେ କାହିଁକି ବୋଲି ଏବେ ପ୍ରଶ୍ନ ଉଠିଛି । ଏହି ମାମଲାକୁ ନେଇ ଏବେ ଜାଣିବା ଶୁଣିବା ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହେବା ସହ କେଉଁ କ୍ୟାବିନେଟ ମନ୍ତ୍ରୀଙ୍କର କେତେ ଗୁରୁତ୍ଵ ତାହା ମଧ୍ୟ ଆଲୋଚନାକୁ ଅଧିକ ଖୋରାକ ଯୋଗାଇଛି ।

Leave a Reply

Your email address will not be published. Required fields are marked *