ପୁଣି କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା

Spread the love

ଭୁବନେଶ୍ବର: କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ତାକୁ ନେଇ ଚାଲିଛି ଚର୍ଚ୍ଚା। କିଏ ସମ୍ଭାଳିବ କଂଗ୍ରେସ ମଙ୍ଗ? ଆଗାମୀ ଅଧ୍ୟକ୍ଷ ଗାନ୍ଧୀ ପରିବାରରୁ ହବେ କି ନାହିଁ ତାକୁ ନେଇ ଦ୍ବିମତ ଭିତରେ ଗାନ୍ଧୀ ପରିବାରର ଯୁବରାଜ ରାହୁଲ ଗାନ୍ଧୀ ଏହି ପଦ ପାଇଁ କହିଛନ୍ତି ନା। ରାହୁଲଙ୍କ ଜବାବ ପରେ ଏବେ ଚର୍ଚ୍ଚାର ପରିସରକୁ ଆସୁଛି ବହୁ ନାଁ । ତେବେ ଦଳ ତଥା ଗାନ୍ଧୀ ପରିବାର ପ୍ରତି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ବ୍ୟକ୍ତିଙ୍କୁ ହିଁ ଏହି ପଦ ପାଇଁ ଚୟନ କରାଯିବ ବୋଲି କୁହାଯିବା ଭିତରେ ମୁଖ୍ୟତଃ ଚର୍ଚ୍ଚାର ଆଗରେ ରହିଛନ୍ତି ଅମ୍ବିକା ସୋନି, ମୁକୁଲ ୱାସନିକ ଓ କୁମାରୀ ସୈଲଜା।

ଦୀର୍ଘ ୮ ବର୍ଷ ଧରି ଦଳ କେନ୍ଦ୍ରର ଶାସନ କ୍ଷମତାରୁ ରହିଛି ବହୁ ଦୂରରେ। ଖାଲି କେନ୍ଦ୍ର ନୁହେଁ ରାଜ୍ୟ ସବୁରେ ମଧ୍ୟ କଂଗ୍ରେସର ସ୍ଥିତି ରହିଛି ଅତ୍ୟନ୍ତ ନୈରାଶ୍ୟଜନକ। ରାଜସ୍ଥାନ, ଛତିଶଗଡକୁ  ଛାଡିଦେଲେ କୌଣସି ରାଜ୍ୟରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ। ଏବେ ଏବେ ନୂଆ କରି ବିହାରରେ ଗଠବନ୍ଧନରେ ସରକାର ଗଢିଛି ଦଳ। ପ୍ରାୟତଃ ଅଧିକାଂଶ ରାଜ୍ୟରେ କଂଗ୍ରେସ ନିଜ ସତ୍ତା ହରାଇଛି। ସେପଟେ, ୨୦୧୯ ଲୋକସଭା ନିର୍ବାଚନରେ ଦଳର ଲଜ୍ଜାଜନକ ପରାଜୟ ପରେ ରାହୁଲ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ଏହି ପଦ ଖାଲି ପଡିଛି। ମା ସୋନିଆ ଅନ୍ତରୀଣ ଅଧ୍ୟକ୍ଷା ଭାବେ କାର୍ଯ୍ୟ ତୁଲାଉଛନ୍ତି। କିନ୍ତୁ ଦୀର୍ଘ ବର୍ଷରୁ ଦଳର ମୁଖିଆ ପଦ ଖାଲିକୁ ନେଇ କର୍ମକର୍ତ୍ତାଙ୍କ ମଧ୍ୟରେ ନିରାଶା ଭରିଯାଉଛି। ଦଳର ଭବିଷ୍ୟତକୁ ନେଇ ସୃଷ୍ଟି ହେଲାଣି ସନ୍ଦେହ। ଏହାକୁ ନେଇ କେନ୍ଦ୍ରୀୟ ନେତୃବୃନ୍ଦ ଦ୍ୱନ୍ଦରେ। ଅଧ୍ୟକ୍ଷ ପଦର ଚୟନ କଥା ଆସିଲେ ଦଳର କିଛି ନେତା ଗାନ୍ଧୀ ପରିବାର ଆଡକୁ ଚାହୁଁଛନ୍ତି, ଅନ୍ୟପଟେ କିଛି ଆଉ ଗାନ୍ଧୀ ପରିବାର ଉପରେ ଭରସା କରି ପାରୁ ନାହାନ୍ତି। ଗାନ୍ଧୀ ପରିବାର ପାଇଁ ଦଳର ଏହି ସ୍ଥିତି ବୋଲି ସେମାନଙ୍କ ମତ ରହିଛି। ଏପରି ଘଡିସନ୍ଧି ମୁହୂର୍ତ୍ତରେ ଦଳକୁ କିଏ ଆଗେଇ ନେବ? କିଏ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଭରିଦେବ ଉର୍ଜା? ତା ଉପରେ ସମସ୍ତଙ୍କ ନଜର।

ତେବେ ଏହି ପଦକୁ ନେଇ ଅଗଷ୍ଟ ୨୧ ବା ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହେବାକୁ ଥିଲା, ହେଲେ ଏଯାବତ୍ ଏଥିନେଇ କଂଗ୍ରେସ ୱାର୍କିଂ କମିଟି ବା ସିଡବ୍ଲୁସି ବୈଠକ ଡକାଯାଇ ନାହିଁ। ସୂତ୍ର ଅନୁଯାୟୀ ସିଡବ୍ଲୁସିର ମଞ୍ଜୁରୀ ପୂର୍ବରୁ ମିଳିଯାଇଛି, ତେଣୁ ବର୍ତ୍ତମାନ ପାଇଁ ବୈଠକର କୌଣସି ଆବଶ୍ୟକତା ନାହିଁ । ନିର୍ଦ୍ଧାରିତ ସମୟରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହିଁ ହେବ। ଏହାରି ମଧ୍ୟରେ ଅନେକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ପାଇଁ ଚଳାଇଛନ୍ତି କ୍ୟାମ୍ପେନ। ଏମାନଙ୍କ ବିଶ୍ୱାସ, ପ୍ରିୟଙ୍କା ହିଁ ଏକମାତ୍ର ବ୍ୟକ୍ତି, ଯିଏ ଭାରତବାସୀଙ୍କ ବିଶ୍ୱାସଭାଜନ ହୋଇପାରିବେ। ଏହି ଗାନ୍ଧୀ ପରିବାରର ଭକ୍ତମାନଙ୍କ ବିଶ୍ବାସ, ବିନା ଗାନ୍ଧୀରେ କଂଗ୍ରେସର ଚିନ୍ତନ ଅସମ୍ଭବ। ଏହା ବ୍ୟତୀତ, ଏମାନେ ପ୍ରିୟଙ୍କାଙ୍କ ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦୀରାଙ୍କ ଛବି ଦେଖୁଛନ୍ତି । ପ୍ରିୟଙ୍କାଙ୍କ ବେଶ ପୋଷାକ, କଥା କହିବା ଶୈଳୀ, ଚାଲି, ଠାଣି ସବୁ କିଛିର ଇନ୍ଦିରାଙ୍କ ସହ ରହିଛି ବହୁ ସାମଞ୍ଜସ୍ୟ। ତେଣୁ ଇନ୍ଦୀରାଙ୍କ ଅବତାର ଭାବେ ଦେଶବାସୀଙ୍କ ନିକଟରେ ପ୍ରିୟଙ୍କାଙ୍କୁ ଉପସ୍ଥାପନ କରି ଏହି ଗାନ୍ଧୀ ଭକ୍ତମାନେ ନିଜ ବୁଡିଯାଉଥିବା ନାଆକୁ କୂଳକୁ ଆଣିବାକୁ ଚେଷ୍ଟା କରିଆସୁଛନ୍ତି। ତେବେ ଏପର୍ଯ୍ୟନ୍ତ ପ୍ରିୟଙ୍କା ବା ଗାନ୍ଧୀ ପରିବାର ପକ୍ଷରୁ ଏହି କଳ୍ପନାଜଳ୍ପନାକୁ ନେଇ କୌଣସି ସ୍ପଷ୍ଟିକରଣ ଆସୁନାହିଁ।

ଅନେକ ମଧ୍ୟ ସୋନିଆଙ୍କୁ ପୁନଃ ଏହି ପଦରେ ଆସିନ୍ନ କରିବାକୁ ପ୍ରସ୍ତାବ ଦେଉଛନ୍ତି। ଏହାକୁ ନେଇ କିଛି ଦିନ ପୂର୍ବରୁ ଦଳର ଅନ୍ତରୀଣ ଅଧ୍ୟକ୍ଷା ମଧ୍ୟ ଏକ ପ୍ରସ୍ତାବ ଦେଇଥିଲେ କି, ସେ ଅଧ୍ୟକ୍ଷ ପଦରେ ରହିବା ସହ ପ୍ରତି ଜୋନ ପାଇଁ ତାଙ୍କର ଜଣେ ଜଣେ କାର୍ଯ୍ୟକାରୀ ସଭାପତି ରହିବେ, ଯେଉଁମାନେ ଦଳର କାର୍ଯ୍ୟଧାରାକୁ ତୃଣମୂଳସ୍ତର ପର୍ଯ୍ୟନ୍ତ ନେବା ଉପରେ ପ୍ରାଧାନ୍ୟ ଦେବେ ତଥା ଏହାର ତଦାରଖ କରିବେ।  କିନ୍ତୁ ଏହାକୁ ଦଳର କିଛି ପୁରୁଖା ନାକ ଟେକିଥିଲେ, ତେଣୁ ସୋନିଆଙ୍କ ଇଛା ସତ୍ତ୍ବେ ତାଙ୍କୁ ନିରବ ରହିବାକୁ ପଡିଛି। ଗାନ୍ଧୀ ପରିବାରକୁ ଯଦି ଦଳର ଅଧ୍ୟକ୍ଷ ପଦରୁ ବାଦ ଦିଆଯାଏ ତେବେ ଯେଉଁ ନାମ ସବୁ ଆସୁଛି  ତାହା ହେଉଛି ସୋନିଆଙ୍କ ଅତି ନିକଟତର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାମ। ହେଲେ ଗେହଲଟ ଦଳର ସର୍ବୋଚ୍ଚ ପଦ ପାଇଁ ମନା କରିବା ସହ ରାହୁଲ ଗାନ୍ଧୀଙ୍କୁ ଏହି ପଦ ସମ୍ଭାଳିବାକୁ ବାରମ୍ବାର ଅପିଲ କରୁଛନ୍ତି। 

ଏହାରି ମଧ୍ୟରେ ଏକ ବିଶ୍ବସ୍ତ ସୂତ୍ରରୁ ଶୁଣିବାକୁ ମିଳୁଛି, ଯଦି ଗାନ୍ଧୀ ପରିବାରକୁ ବାଦ ଦିଆଯାଏ, ତେବେ ଦଳର ଏହି ପଦ ପାଇଁ ଜଣେ ଜନଜାତିର ବ୍ୟକ୍ତିଙ୍କୁ ବଛାଯାଇ ପାରେ। ଏପରି କରି ଦଳ ଜନଜାତିଙ୍କ ପ୍ରତି ନିଜର ପ୍ରତିବଦ୍ଧତା ଓ ବିଶ୍ବାସ ପ୍ରକଟ କରି ଆଗାମୀ ନିର୍ବାଚନ ବୈତରଣୀ ପାର କରିବ।  ସୁଶିଲ କୁମାର ସିନ୍ଧେ, ମଲିକାର୍ଜ୍ଜୁନ ଖାର୍ଗେ ଓ ମୀରା କୁମାରଙ୍କ ନାମକୁ ନେଇ ଦଳ ଭିତରେ ଚାଲିଛି ଚର୍ଚ୍ଚା।  ଖାର୍ଗେ ହେଉଛନ୍ତି ରାହୁଲଙ୍କ ଅତି ବିଶ୍ବସ୍ତ ତଥା କର୍ଣ୍ଣାଟକ ନିର୍ବାଚନରେ ତାଙ୍କ ଏକ ହତିଆର ଭାବେ ଦଳ ବ୍ୟବହାର କରି ପାରିବ। ସେହିପରି ମୀରା କୁମାରଙ୍କୁ ଅଧ୍ୟକ୍ଷା କରାଗଲେ ଜନଜାତି ସହ ମହିଳା ଭୋଟ ହାତେଇବା ଦଳ ପାଇଁ ସହଜ ହେବ ବୋଲି ଦଳୀୟ ନେତା ଆଶା କରୁଛନ୍ତି।

ରାହୁଲ ବାରମ୍ବାର ଅଧ୍ୟକ୍ଷ ପଦକୁ ଆଡ କରୁଥିବା ବେଳେ କିନ୍ତୁ  ଦେଶର ବିଭିନ୍ନ ରାଜ୍ୟ ଗସ୍ତ କରି ସେଠାକାର ନେତୃବୃନ୍ଦଙ୍କ ସହ ଆଲୋଚନା କରୁଛନ୍ତି। ଆଗାମୀ ଦିନରେ ପ୍ରତି ଜିଲ୍ଲା ଗସ୍ତ କରି ପରବର୍ତ୍ତୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାର ବିରୋଧରେ କଂଗ୍ରେସର ନେତୃତ୍ୱ ନେଇ ଚଳାଇଛନ୍ତି ବିରୋଧ, ପ୍ରଦର୍ଶନ, ଆନ୍ଦୋଳନ, ରାଲି। ସତ୍ୟାଗ୍ରହ, ଭାରତ ଜୋଡୋ ଯାତ୍ରା ପରି ବହୁ ରାଲିରେ କେନ୍ଦ୍ର ସରକାର ବିରୋଧରେ ଜନ ଜାଗରଣ ସୃଷ୍ଟି ପାଇଁ ଆଗରେ ରହିଛନ୍ତି ରାହୁଲ। ଦଳର ସମସ୍ତ କାର୍ଯ୍ୟକ୍ରମରେ ରାହୁଲ ନେତୃତ୍ବ ନେଉଛନ୍ତି। କିନ୍ତୁ ଅଧ୍ୟକ୍ଷ ପଦରେ ଜଣେ ଅଣ ଗାନ୍ଧୀ ବସିବେ ବୋଲି ରୋକଠୋକ କହିଛନ୍ତି ରାହୁଲ।

ତେବେ ରାହୁଲଙ୍କ ଏହି ଜିଦ୍ ଏବେ ଦଳ ତଥା ନେତୃବୃନ୍ଦଙ୍କୁ ବହୁ ଅଡୁଆରେ ପକାଇ ଦେଇଛି। ଆଗକୁ ଦେଖିବାକୁ ରହିଲା, ବାସ୍ତବରେ ଗାନ୍ଧୀ ପରିବାର ଏହି ପଦରୁ ନିଜକୁ ଦୂରେଇ ରଖୁଛି ଯାହା ୧୯୯୮ ପରେ ସମ୍ଭବ ହୋଇଥିଲା। ନା ଶେଷରେ ପଦକୁ ନିଜ କବଜାକୁ ନେଉଛି।

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *