ଦିଲ୍ଲୀ ଦଖଲ କଲା ବିଜେପି

ଏକଜିଟ୍ ପୋଲର ପୂର୍ବାନୁମାନ ସତ ହେଲା। ଦିଲ୍ଲୀ ଦଖଲ କଲା ବିଜେପି। ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀର ଶାସନ ଡୋରି ଧରିବାକୁ ସକ୍ଷମ ହେଲା ବିଜେପି। ଆପ୍ ହାତରୁ ଶାସନ ଡୋରି ଛଡ଼ାଇନେଲେ ଦିଲ୍ଲୀ ଭୋଟର। ଆରମ୍ଭରୁ କଡ଼ା ଟକ୍କର ସତ୍ତ୍ୱେ ଆପ୍‌କୁ ଅଲବିଦା କରିଦେଇଛି ଜନାଦେଶ। ନିଜ ନିଜ ଭିତରେ ଲଢ଼େଇରୁ ବିଜେପିକୁ ଫାଏଦା ମିଳିଲା ବୋଲି ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ତୀର୍ଯ୍ୟକ ତୀର ମାରିଥିଲେ ଆପ୍ ଓ କଂଗ୍ରେସକୁ। ଆଉ କେତେ ନିଜ ନିଜ ଭିତରେ ଲଢ଼ିବ କହି ସମାଲୋଚନା କରିଥିଲେ। ଏମିତି ଲଢ଼ି ପରସ୍ପରକୁ ସମାପ୍ତ କରିଦିଅ। ୧୯୯୮ରୁ ବିଜେପି ଦିଲ୍ଲୀ ଶାସନ ଚୌକିରୁ ଦୂରେଇ ରହିଥିଲା। ୧୯୯୮ରୁ ୨୦୧୩ ଯାଏ କଂଗ୍ରେସର ଶିଲା ଦୀକ୍ଷିତଙ୍କ ୧୫ ବର୍ଷ ଶାସନ ଓ କେଜ୍ରିଓ୍ୱାଲଙ୍କ ୧୦ ବର୍ଷ ଶାସନ ଦେଖିବା ପରେ ପୁଣି ଦିଲ୍ଲୀବାସି ବିଜେପି ହାତରେ ଦିଲ୍ଲୀ ଶାସନର ଡୋରି ଧରାଇଛନ୍ତି। ୨୦୧୫ରେ ୬୭ ଆସନ ଓ ୨୦୨୦ରେ ୬୨ ଆସନରେ ଜିତି କ୍ଲିନସ୍ୱିପ୍ କରିଥିବା ଆପ୍ କୁ ଏଥର କାଳ ସାଜିଲା ମଦଦୁର୍ନୀତି ପ୍ରସଙ୍ଗ।  ବିଜେପି କ୍ୟାମ୍ପରେ ସେଲିବ୍ରେସନ ଆରମ୍ଭ ହୋଇସାରିଥିଲା। ବାଣ ଫୁଟାଇ ବାଜା ବଜାଇ ମିଠା ବାଣ୍ଟି ଏତେ ବଡ଼ ଜିତକୁ ସେଲିବ୍ରେସନ କରିଥିଲେ କର୍ମୀଙ୍କଠୁ ନେତାଙ୍କ ଯାଏ।

ସେପଟେ କଂଗ୍ରେସ ମୂଳପୋଛ ହୋଇଯାଇଛି ଦିଲ୍ଲୀରୁ। ରାହୁଲ-ପ୍ରିୟଙ୍କାଙ୍କ ବଡ଼–ବଡ଼ ରାଲିର ଷ୍ଟ୍ରାଇକ୍ ରେଟ୍ ଜନାଦେଶରେ ଜିରୋ ରହିଲା। ୧୦ଟି ଆସନରେ ଭୋଟ ବ୍ୟବଧାନ ହଜାରେରୁ ବି କମ୍ ଥିଲା। ୨୩ଟି ଆସନରେ ଭୋଟ ବ୍ୟବଧାନ ପ୍ରାୟ ୨ହଜାର ଥିଲା। ଆସନ ଭାଗବଣ୍ଟାକୁ ନେଇ ଆପ୍ ଓ କଂଗ୍ରେସ ଭିତରେ ସହମତି ନ ହେବାରୁ ପରସ୍ପର ବିରୁଦ୍ଧରେ ଲଢ଼ିଥିଲେ। ଇଣ୍ଡିଆ ମେଣ୍ଟର ଏହି ଦୁଇ ଦଳ ଭିତରେ ଝଗଡ଼ାରୁ ଫାଏଦା ମାରିନେଲା ବିଜେପି। ଭୋଟ ସ୍ପ୍ଲିଟ୍ ଲାଗି କଂଗ୍ରେସ ବିଜେପିକୁ ସହଯୋଗ କରୁଛି ବୋଲି ଆପ୍ ଆରୋପ ଲଦିଥିଲା ବେଳେ ଆପ ସରକାରର ଭ୍ରଷ୍ଟାଚାରକୁ ମୁଖ୍ୟ ମୁଦ୍ଦା କରିଥିଲା କଂଗ୍ରେସ।

ଆମ୍ ଆଦମୀ ଦଳର ଜିତିଆସୁଥିବା ଧାରାରେ ବ୍ରେକ୍ କଷିଲା ବିଜେପି। ୨୭ ବର୍ଷ ପରେ ଦିଲ୍ଲୀର ଶାସନ ଡୋରି ଧରିବାକୁ ଯାଉଛି ବିଜେପି। ମୁଖ୍ୟମନ୍ତ୍ରୀ ଚେହେରା ଭାବେ କେଜ୍ରିଓ୍ୱାଲଙ୍କୁ ଆପ୍ ଓ ସନ୍ଦୀପ ଦୀକ୍ଷିତଙ୍କୁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପ୍ରୋଜେକ୍ଟ କରିଥିଲା ଦଳ। ସନ୍ଦୀପ ହେଉଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପୁଅ। କିନ୍ତୁ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଲଢୁଥିଲା। ମୋଦି ମ୍ୟାଜିକର ଆଧାରରେ ଲଢ଼ିଥିଲା। ଗଣତି ଆରମ୍ଭରୁ ଆଗୁଆ ଥିବା ବିଜେପି ଶେଷ ପର୍ଯ୍ୟନ୍ତ ଧାରା ବଜାୟ ରଖି ଦିଲ୍ଲୀରେ ବିଜୟ ବାନା ଉଡ଼ାଇଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *