କିଟ୍ କାଣ୍ଡ- କମିଟି କେତେ ନିରପେକ୍ଷ?

ନେପାଳୀ ଛାତ୍ରୀ ଆତ୍ମହତ୍ୟା, ଆତ୍ମହତ୍ୟା ପରର ଅମାନବୀୟ ସ୍ଥିତିର ତଦନ୍ତ ଭାର ପଡ଼ିଛି ଉଚ୍ଚସ୍ତରୀୟ କମିଟି ଉପରେ। ତେବେ କମିଟି କିଟ୍ କ୍ୟାମ୍ପସ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଗୃହ ସଚିବ କହିଥିଲେ, ସମସ୍ତ ଦିଗକୁ ତର୍ଜମା ହେବ। ସିପି କହିଥିଲେ, ପୃଥକ ମାମଲା କରି ତଦନ୍ତ ଅନୁସାରେ ଆଇନଗତ ଆକ୍ସନ ହେବ।

କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ୮ଜଣଙ୍କୁ ସମନ କରିଥିଲା କମିଟି। ଶୁକ୍ରବାର ଅଚ୍ୟୁତଙ୍କ ସମେତ ସମସ୍ତେ ହାଜର ହେବା ପରେ ଘନ ଘନ ଜେରାର ସମ୍ମୁଖୀନ ହୋଇଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, କମିଟିର ନିଷ୍କର୍ସ ଉପରେ ନିର୍ଭର କରିବ କାର୍ଯାନୁଷ୍ଠାନ। କିଟ୍ ଜମି ଜବରଦଖଲ ମୁକ୍ତ ହେବ ବୋଲି ଆଇନମନ୍ତ୍ରୀ କହିଥିଲା ବେଳେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ବିନା ବିଡିଏର ଅନୁମତିରେ ଅଟ୍ଟାଳିକା ନିର୍ମାଣ କେମିତି ହେଲା, ତଦନ୍ତ ହୋଇ ଆକ୍ସନ ହେବ। ସର୍ବୋପରି ସରକାରଙ୍କ କହିବା କଥା, କିଟ୍ କାଣ୍ଡକୁ ନେଇ କୌଣସି ପ୍ରକାର ଉଦାସୀନତା ଦେଖାଇବାର ପ୍ରଶ୍ନ ଉଠୁନି।

ହେଲେ କମିଟି ନିରପେକ୍ଷତାର ସହ ତଦନ୍ତ କରିବ ତ। କାରଣ ଏମିତିରେ କିଟ୍‌ରେ ଭର୍ତ୍ତି ହୋଇଛନ୍ତି ଆଇଏଏସ, ଆଇପିଏସ ଓ ବହୁ ବଡ଼ବଡ଼ିଆଙ୍କ ସମ୍ପର୍କୀୟ। କିଏ ମୋଟା ଅଙ୍କର ନେଉଛି ତ କିଏ କାମ ନ କରି ଘରେ ବସି ନେଉଛି। କାରଣ ମୁଖ୍ୟ ଉଦ୍ଦେଶ୍ୟ କିଟ୍‌ ଓ କିସ୍‌ର ସୁରକ୍ଷା କବଚ ସାଜିବା! ପ୍ରଭାବଶାଳୀଙ୍କୁ କଳବଳେ ଶାନ୍ତି କରାଇପାରିଲେ ଆଉ କେହି ଅଚ୍ୟୁତଙ୍କ କଳା ସାମ୍ରାଜ୍ୟରେ ହାତ ମାରିପାରିବେନି। ସେଥିଲାଗି ଉଚ୍ଚସ୍ତରୀୟ କମିଟିରେ ଥିବା ସଦସ୍ୟଙ୍କ କୌଣସି ସମ୍ପର୍କୀୟ କିଟ୍‌ରେ ଚାକିରୀ କରୁନାହାନ୍ତି ତ। ସରକାର ସେମାନଙ୍କଠୁ ସତ୍ୟପାଠ ନେବେ କି ବୋଲି ନୂଆ ଚର୍ଚ୍ଚା ତେଜିଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ବିସ୍ଫୋରକ ବୟାନ ଏ ସନ୍ଦେହକୁ ସତ ପ୍ରମାଣିତ କରିଛି। ବିଜୟ ମୁଖ୍ୟ ଶାସନ ସଚିବ ଥିଲା ବେଳେ କିଟ୍‌ର ସରକାରୀ ଜମି, ଜଙ୍ଗଲ ଜମି ଜବରଦଖଲ, ବିନା ଅନୁମତିରେ ନିର୍ମାଣ ଅଭିଯୋଗରେ ଆଇନ ଅନୁସାରେ ଆକ୍ସନ ଲାଗି ନିର୍ଦେଶ ଦିଆଯାଇଥିଲା। କିନ୍ତୁ କିଛି ଆଗେଇଲାନି। କେବଳ ଇଷ୍ଟେଟ୍ ଅଫିସରଙ୍କ କୋର୍ଟରେ ମାମଲା ହୋଇ ଚୁପ୍ ରହିଗଲେ ସଭିଏଁ। ଡିମ୍‌ଡ ୟୁନିଭରସିଟି ମାନ୍ୟତା ଦିଆଯିବ କି ନାହିଁ, ସେ ନେଇ ଭାରତ ସରକାର ଓ ରାଜ୍ୟ ସରକାର କାରଣଦର୍ଶାଅ ନୋଟିସ୍ ଜାରି କରିବା କଥା ବୋଲି ଦାବି କରିଛନ୍ତି ବିଜୟ।

ସେପଟେ କିଟ୍ ବିଶ୍ୱବିଦ୍ୟାଳୟ ମାମଲାରେ ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। କିଟ୍ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ସହ ପିଲାଙ୍କ ଭରସା ଫେରାଇ ଆଣିବାକୁ ସମସ୍ତ ପଦକ୍ଷେପ ନିଆଯାଉଥିବା ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନେପାଳ ଦୂତାବାସର ଦୁଇ ଅଧିକାରୀ। ଏଯାବତ୍ ୧୦ ଜଣଙ୍କୁ ଗିରଫ ସହ ଘଟଣାରେ ସଂପୃକ୍ତ ସମସ୍ତଙ୍କ ଉପରେ ଆକ୍ସନ ହେବ ବୋଲି କଥା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *