ଭୁବନେଶ୍ବର: ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଏଥିଲାଗି ବିଜେପି ଶିବିର ଚଳଚଞ୍ଚଳ। ଦୁଇ ଦିନିଆ ଗସ୍ତରେ ଆସୁଥିବା ନଡ୍ଡାଙ୍କ ବିସ୍ତୃତ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଜନତା ମୈଦାନରେ ବିଭିନ୍ନ ମୋର୍ଚ୍ଚା, ଜିଲ୍ଲା ପଦାଧିକାରୀଙ୍କୁ ଗୁରୁମନ୍ତ୍ର ଫୁଙ୍କିବେ। ସେପଟେ ନଡ୍ଡାଙ୍କ ଗସ୍ତ ଏକ ଦଳୀୟ କାର୍ଯ୍ୟକ୍ରମର ଅଂଶବିଶେଷ। କେହି ଓଡ଼ିଶା ଗସ୍ତ କଲେ ଏହାର ପ୍ରଭାବ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ପଡ଼ିବନି ବୋଲି ବିଜେଡି କହିଥିଲା ବେଳେ କଂଗ୍ରେସ ବି ସମାନ କଥା କହିଛି।
ଆସନ୍ତା ୨୯ ଓ ୩୦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଗସ୍ତକୁ ସଫଳ କରିବାକୁ ବିଜେପି କ୍ୟାମ୍ପର ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ମାଳ ମାଳ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସରିବା ସହ ପୁରୀରେ ତିନି ଦିନିଆ ପ୍ରଶିକ୍ଷଣ ପରେ ଏବେ ରାଷ୍ଟ୍ରୀୟ ସଭାପତି ଆସୁଥିବାରୁ ୨୪ ଲଢ଼େଇ ପାଇଁ ବଡ଼ ଧରଣର ପ୍ରସ୍ତୁତି ପଥେ ପଦ୍ମ ଶିବିର। ୨୯ରେ ଦିନ ୧୦ଟା ବେଳେ ବିମାନବନ୍ଦରରେ ପହଞ୍ଚିବେ ନଡ୍ଡା। ୧୧ଟା ବେଳେ ଜନତା ମୈଦାନରେ ପ୍ରତି ଶକ୍ତିକେନ୍ଦ୍ରର ତିନି ଜଣ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ସମ୍ମିଳନୀରେ ସାମିଲ ହେବେ। ଏହା ପରେ ରାଜ୍ୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି, ପଦାଧିକାରୀ, ବିଧାୟକ, ସାଂସଦ, ପ୍ରଭାରୀଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିବେ। ୩୦ରେ ଜଗନ୍ନାଥଙ୍କ ଦର୍ଶନ କରି ସିଧାସଳଖ ଧାମନଗର ଯାଇ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପରିବାରକୁ ଭେଟିବେ ନଡ୍ଡା। ସେଠାରୁ ଫେରିଲା ପରେ ୭ଟି ମୋର୍ଚ୍ଚାର ଜିଲ୍ଲା କମିଟିର ସମସ୍ତ ସଦସ୍ୟଙ୍କ ସହ ଆଲୋଚନା କରିବେ।
ସେପଟେ ନିର୍ବାଚନ ଆସିଲେ ସବୁ ଦଳ ସକ୍ରିୟ ହୁଅନ୍ତି। ଯେଉଁମାନେ ପୂର୍ବରୁ ଜନସମ୍ପର୍କ ରଖିନଥାଆନ୍ତି, ସେମାନେ ଏଭଳି ଉଲ୍ଲସିତ ହୁଅନ୍ତି ବୋଲି କହିଛି ବିଜେଡି। ବିଜେଡି ସବୁବେଳେ ଜନତାଙ୍କ ସହ ଅଛି। ଯଦି ୨୪କୁ ଲକ୍ଷ୍ୟ ରଖି ନଡ୍ଡା ଏଭଳି ଗସ୍ତ କରୁଥାଆନ୍ତି, ତେବେ ଏହାର କୌଣସି ଫରକ ପଡ଼ିବନି। କଂଗ୍ରେସ ବି ସମାନ କଥା କହିଛି। ୨୪ରେ ପରିବର୍ତ୍ତନ ଅବଶ୍ୟ। ଜନତା ମୁହଁ ଫେରାଇବାକୁ ଆରମ୍ଭ କରିଛନ୍ତି ଏଇ ଦୁଇ ଦଳପ୍ରତି।
୨୪ ପାଇଁ ସବୁ ଦଳ ଉଣା ଅଧିକେ ପ୍ରସ୍ତୁତିରେ ମାତିଲେଣି। ଧର୍ମଶାଳାରୁ ବିଜେଡି ନିଜର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲା ବେଳେ ଭାରତ ଯୋଡ଼ ଯାତ୍ରା ଆଧାରରେ ରାଜ୍ୟ କଂଗ୍ରେସ ବି ପଛରେ ପଡ଼ିନି। ଆଉ ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ଆଗମନ ବି ଏତିକିବେଳେ।
ସିମ୍ପୁଲ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now