ମାଓରୀ ନାଚ କରି ବିଲ୍ ଫାଡ଼ିଲେ ମହିଳା ସାଂସଦ। ନ୍ୟୁଜିଲ୍ୟାଣ୍ଡର ସବୁଠୁ କନିଷ୍ଠ ମହିଳା ସାଂସଦଙ୍କ ଏଭଳି ଅଭିନବ ପ୍ରତିବାଦର ଭିଡ଼ିଓ ଭାଇରାଲ ପରେ ଯେତିକି ଚର୍ଚ୍ଚା, ସେତିକି ବିବାଦ ବଢ଼ିଛି। ସଂଘୀୟ ସିଦ୍ଧାନ୍ତ ବିଧେୟକ ଉପରେ ମତଦାନ ଚାଲିଥିଲା ବେଳେ ୨୨ ବର୍ଷୀୟ ମହିଳା ସାଂସଦ ହାନା ଏହାକୁ ବିରୋଧ କରି ବିଲ୍ ଫାଡ଼ିବାରୁ ତାଙ୍କ ବିରୁଦ୍ଧରେ କି ଆକ୍ସନ ହେବ, ତାହାର ବିଚାରବିମର୍ଶ ଚାଲିଛି।
ସଂସଦରେ ରୋଚକ ଦୃଶ୍ୟ। ନିଜ ଭାଷଣ ଲାଗି ସବୁବେଳେ ଚର୍ଚ୍ଚାରେ ଥିବା ନ୍ୟୁଜିଲାଣ୍ଡର ସର୍ବକନିଷ୍ଠ ମହିଳା ସାଂସଦଙ୍କ ଆଉ ଏକ ଆଚରଣ ଏବେ ଚର୍ଚ୍ଚାର ମୁଖ୍ୟ ବିଷୟ ସାଜିଛି। ମାଓରୀ ସାଂସଦ ହାନା-ରାଓ୍ୱହିତି ସଂସଦରେ ସ୍ୱଦେଶୀ ସଂଘୀୟ ବିଧେୟକକୁ ବିରୋଧ କରି ଯେଭଳି ଅଭିନବ ପ୍ରତିବାଦ କଲେ, ତାହାର ଭିଡ଼ିଓ ଜୋରଦାର ଭାଇରାଲ ହେବାରେ ଲାଗିଛି। ଏହି ବିଲ୍ ବିରୁଦ୍ଧରେ ଉତ୍ସାହପୂର୍ଣ୍ଣ ହାକା ଡ୍ୟାନ୍ସ କରିବା ଆରମ୍ଭ କରିଦେଇଥିଲେ ଗୃହ ମଝିରେ। ଏମିତି କରି କରି ସ୍ୱଦେଶୀ ସଂଘୀୟ ବିଲର ଏକ ପୃଷ୍ଠାକୁ ଚିରି ଦେଇଥିଲେ। ଆଉ ହାନାଙ୍କ ଏଭଳି ପ୍ରତିବାଦକୁ ସମର୍ଥନ କରି ଆଉ କିଛି ସାଂସଦ ବି ସମାନ ଢଙ୍ଗରେ ସାମିଲ୍ ହୋଇଯାଇଥିଲେ। ଦର୍ଶକ ଗ୍ୟାଲେରୀ ବି ହାନାଙ୍କ ନୃତ୍ୟଶୈଳୀ ସହ ତାଳ ଦେଇ ପ୍ରତିବାଦରେ ସାମିଲ୍ ହୋଇଗଲେ। ସଂସଦରେ ସମସ୍ତ ସାଂସଦ ଏହି ବିଧେୟକ ଉପରେ ମତଦାନ ଲାଗି ଏକାଠି ହୋଇଥିଲେ। କିନ୍ତୁ ୨୨ ବର୍ଷୀୟା ତେ-ପାଟି ଦଳର ମାଓରୀ ସାଂସଦ ହାନା ବିଲ୍ ଉପରେ କହିବା ଅବସରରେ ଆଗ ରାଗି ଯାଇଥିଲେ। ତା ପରେ ବିଲ୍କୁ ଫାଡ଼ି ଅଚାନକ ଏଭଳି ଅଭିନବ ଢଙ୍ଗରେ ପାରମ୍ପରିକ ମାଓରୀ ନୃତ୍ୟ ହାକାକୁ କରି ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ।
ଏଭଳି ଦୃଶ୍ୟ ଦେଖି ବାଚସ୍ପତି ବି ତାଜୁବ୍ ହୋଇଯାଇଥିଲେ। ବାଚସ୍ପତି ଗେରି ବ୍ରାଉନିଲ୍ ସଂସଦକୁ କିଛି ସମୟ ଲାଗି ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ। ଏଭଳି ବିଶୃଙ୍ଖଳିତ ଆଚରଣ ଲାଗି ହାନାଙ୍କ ବିରୁଦ୍ଧରେ କି ଆକ୍ସନ ହେବ, ତାକୁ ନେଇ ବିଚାର ଚାଲିଛି। ହାନା ଗଲା ବର୍ଷ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ସଂସଦକୁ ନିର୍ବାଚିତ ହୋଇଛନ୍ତି। ନାନାଇୟା ମହୁତାଙ୍କୁ ହରାଇ ହାନା ଜିତିଥିଲେ। ୨୦୦୮ରୁ ଏହି ଆସନ ନାନାୟାଙ୍କ ଦଖଲରେ ଥିଲେ। ନ୍ୟୁଜିଲ୍ୟାଣ୍ଡର ମୂଳନିବାସୀଙ୍କ ଅଧିକାର ଲାଗି ହାନା କ୍ରମାଗତ ଲଢ଼େଇ କରିଆସୁଛନ୍ତି। ହାନାଙ୍କ ପିତା ମାଓରୀ ସମୁଦାୟର। ମାଓରୀ ସମ୍ପ୍ରଦାୟର ପିଲାଙ୍କ ଲାଗି କାମ କରନ୍ତି ହାନା। ନିଜକୁ ରାଜନେତା ନୁହେଁ, ବରଂ ମାଓରୀ ଭାଷାର ରକ୍ଷକ ବୋଲି ମାନନ୍ତି ହାନା। ଯେଉଁ ହାକା ଡ୍ୟାନ୍ସ କରିଥିଲେ ହାନା, ତାହା ଦକ୍ଷିଣ ପ୍ରଶାନ୍ତ ମହାସାଗରସ୍ଥିତ ଦୀପର ପାରମ୍ପରିକ ନୃତ୍ୟଶୈଳୀ ଅଟେ। ନ୍ୟୁଜିଲାଣ୍ଡରେ ରଗବି ଖେଳାଳୀ ନିଜର ମୁକାବିଲା ଆଗରୁ ମାଓରୀ ରୂପର ପ୍ରଦର୍ଶନ କରିଥାଆନ୍ତି। ଏହି ନୃତ୍ୟଶୈଳୀରେ ଗୋଡ଼ ବାଡ଼େଇ, ଚିଲେଇ ନାଚ କରାଯାଏ। ଟ୍ରିଟି ପ୍ରିନ୍ସପୁଲ ବିଲ୍ରେ ନ୍ୟୁଜିଲ୍ୟାଣ୍ଡର ଟ୍ରିଟ୍ ଅଫ ଓ୍ୱାଇଟଙ୍ଗିରେ ଥିବା କିଛି ଧାରାରେ ପରିବର୍ତ୍ତନ ଲାଗି ପ୍ରସ୍ତାବ ଥିଲା। ୧୮୪୦ରେ ବ୍ରିଟିଶ ସରକାର ଓ ୫ଶହରୁ ଅଧିକ ମାଓରୀ ପ୍ରମୁଖଙ୍କ ଭିତରେ ଚୁକ୍ତି ହୋଇଥିଲା। ତେବେ ମାଓରୀ ସମ୍ପ୍ରଦାୟ ଓ ତାଙ୍କ ସମର୍ଥକଙ୍କ କହିବା କଥା, ଏହି ବିଲ୍ ସେମାନଙ୍କ ଅଧିକାରକୁ ଦୁର୍ବଳ କରିଦେବ। ମାଓରୀ ସମ୍ପ୍ରଦାୟର ପରିଚୟ ଓ ସଂସ୍କୃତି ପ୍ରତି ବିପଦ। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଏହି ମୁଦ୍ଦା ଉପରେ କହିଛନ୍ତି ଯେ, ଗୋଟିଏ ସାଧାରଣ ବିଲ୍ ଜରିଆରେ ୧୮୪ ବର୍ଷର ବୁଝାମଣା ଓ ଚୁକ୍ତିକୁ ଅସ୍ୱୀକାର କରିହେବନି। ସେଥିଲାଗି ଏହି ବିଲରେ ସଂଶୋଧନ ଜରୁରୀ ନଚେତ ଏହାକୁ ପ୍ରତ୍ୟାହାର କରିଦିଆଯିବ। ଟ୍ରିଟି ପ୍ରିନ୍ସପୁଲ ବିଲ୍ ବିରୁଦ୍ଧରେ ମାଓରୀ ସମ୍ପ୍ରଦାୟ ୯ ଦିନ ଧରି ବିରୋଧ ପଦଯାତ୍ରା କରିଥିଲେ। ମାଓରୀ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବାକୁ ଏହି ପଦଯାତ୍ରା ହୋଇଛି। ନ୍ୟୁଜିଲ୍ୟାଣ୍ଡର ମେଣ୍ଟ ସରକାରରେ ସାମିଲ୍ ଏସିଟି ନ୍ୟୁଜିଲ୍ୟାଣ୍ଡ ପାର୍ଟି ଏହି ବିଲକୁ ସଂସଦରେ ରଖିଥିଲା। ଏହି ବିଲ୍କୁ ନାସନାଲ ପାର୍ଟି ଓ ନ୍ୟୁଜିଲ୍ୟାଣ୍ଡ ଫାଷ୍ଟ ପାର୍ଟି ବି ଏହାର ପ୍ରଥମ ପୃଷ୍ଠା ଯାଏ ସମର୍ଥନ କରିଥିଲା। କିନ୍ତୁ ଏହାକୁ ଅନ୍ତିମ ଆଇନରେ ପରିବର୍ତ୍ତନ କରିବାକୁ ସମର୍ଥନ ଦେଇନଥିଲା।
୨୦୨୩ ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ପରେ ସଂସଦରେ ନିଜର ପ୍ରଥମ ଅଭିଭାଷଣ ରଖିଥିଲା ବେଳେ ବି ହାନା ପାରମ୍ପରିକ ହାକା ନୃତ୍ୟ କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now