ଆସନ୍ତା ସପ୍ତାହରୁ ପାର୍ଟ-ପ୍ଲଟ ବିକ୍ରି : କେଁ ପୁରାଉଥିବା ଅଫିସରଙ୍କୁ ଚିହ୍ନଟ କଲେଣି ସରକାର

ଆସନ୍ତା ସପ୍ତାହରୁ ପାର୍ଟ-ପ୍ଲଟ୍ କିଣାବିକା ଉପରୁ ହଟିବ କଟକଣା। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହା ସ୍ପଷ୍ଟ କରିଛନ୍ତି। ପ୍ରାରମ୍ଭରେ ୫ହଜାର ବର୍ଗଫୁଟ୍ ଯାଏ ପାର୍ଟ-ପ୍ଲଟ୍ କିଣାବିକା ଉପରୁ ହଟିବ ପ୍ରତିବନ୍ଧକ। ସ୍ପଷ୍ଟ ଗାଇଡଲାଇନ୍ ସହ ଏହାକୁ ପ୍ରକାଶ କରିବେ ସରକାର। ଆଇନ ବିଭାଗ ସମ୍ମତି ଦେଇସାରିଛି। ଆଡଭୋକେଟ ଜେନେରାଲ ପୀତାମ୍ୱର ଆଚାର୍ଯ୍ୟ ବି ଏହାକୁ ଅନୁଧ୍ୟାନ କରି ସବୁଜସଙ୍କେତ ଦେଇସାରିଛନ୍ତି। କେବଳ ସରକାର ମୋହର ଲଗାଇବାକୁ ଯାଉଛନ୍ତି। ଜରୁରୀକାଳୀନ ସମୟରେ ନିଜ ଜମିର କିଛି ଅଂଶ ବିକିବାକୁ ଚାହୁଁଥିଲେ ସୁଦ୍ଧା ଲୋକେ କିଣାବିକା କରିପାରୁନାହାନ୍ତି। ତେବେ ପାର୍ଟ-ପ୍ଲଟ୍‌ ଓ ପ୍ଲଟିଂ ଜମି ଭିତରେ ଆକାଶ ପାତାଳ ତଫାତ ରହିଛି। ଏହାକୁ ବୁଝିବାକୁ ପଡ଼ିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ। ଚାଷ ଜମିରେ ରେରା ଲାଗୁ ନୁହେଁ। କିନ୍ତୁ ଏହି ରେରା ଆଳରେ ଅତୀତ ସରକାରରେ ଅନେକ ଅଧିକାରୀ ଅକାରଣରେ ପ୍ରତିବନ୍ଧକ ଲଗାଇ ଲୋକଙ୍କୁ ହଇରାଣ କରିଆସୁଥିଲେ। ଏବେ ବି ସେଇ ମାନସିକତାରୁ ବାହାରିପାରିନାହାନ୍ତି ଅନେକ ଅଧିକାରୀ। ବିଶେଷ କରି ରେରାର କିଛି ଅଧିକାରୀ ସରଳ ଭାଷାରେ ସହଜ ସମାଧାନର ବାଟ ବତାଇବା ବଦଳରେ ରୀତିମତ ଏଥିରେ କେମିତି ପ୍ରତିବନ୍ଧକ ସୃଷ୍ଟି ହେବ, ଫନ୍ଦି କରୁଥିବା ଭଳି ବଡ଼ ଗୁମର ଖୋଲିଛନ୍ତି ମନ୍ତ୍ରୀ। କିଏ କାଠଗଡ଼ାକୁ ଟାଣି ଏହାକୁ ବିଳମ୍ୱିତ କରିବାକୁ ଚାହିଁଥିଲା ତ କିଏ କେନ୍ଦ୍ରୀୟ ଆଇନର ଆଧାର ଦର୍ଶାଇ ଗାଁ ଗହଳିରେ ବି ସେଇ ଆଇନର ଥୋପ ଦେଖାଇ ଭୟ ସଞ୍ଚାର କରିବାରେ ଲାଗିଛି।

ତେବେ ମୋହନ ସରକାରଙ୍କୁ କୌଣସି ଅଧିକାରୀଙ୍କ ପେଞ୍ଚ ଆଉ ବୁଝିବାକୁ ବାକି ନାହିଁ। ଆଇନ ଯିଏ ଜାଣିନଥିବ, ତାକୁ ଆଇନା ଦେଖାଇଲେ ଚଳିବ। କିନ୍ତୁ ଯିଏ ତୃଣମୂଳସ୍ତରରେ ଲୋକଙ୍କ ଅସୁବିଧା ଉପଲବ୍ଧି କରିଛି। ଆଇନପ୍ରଣେତା ହିସାବରେ କଅଣ ଦାୟିତ୍ୱ ରହିଛି ହୃଦୟଙ୍ଗମ କରିଛି। ତାଙ୍କୁ ବି ଭ୍ରମରେ ରଖିବାକୁ ଚାହୁଁଛନ୍ତି କିଛି ଅଧିକାରୀ। ତା ସତ୍ତ୍ୱେ ବି କିଛି ଅଧିକାରୀ କେମିତି ମୋଡ଼ିମକଚି ଜଟିଳ ଆଇନର ଫାଶ ଓ ଫନ୍ଦିରେ ପକାଇବାକୁ ନିୟମିତ ଚେଷ୍ଟାରେ ଅଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ସରକାରଙ୍କ ସାମୂହିକ ସ୍ୱାର୍ଥ ରକ୍ଷାର ମାନସିକତାରେ କେଁ ପୁରାଇବାକୁ ଲାଗିଛନ୍ତି। ଗଲା ତିନି ତିନୋଟି ସମୀକ୍ଷାରୁ ଏହାର ଗୁଢ଼ ରହସ୍ୟକୁ ଧରିସାରିଲେଣି ମନ୍ତ୍ରୀ ପୂଜାରୀ। ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ ଯେହେତୁ ଆରମ୍ଭରୁ ପାର୍ଟ-ପ୍ଲଟ୍ ନେଇ ଗୁରୁତ୍ୱାରୋପ କରିଆସୁଛନ୍ତି। କେମିତି ଲୋକେ ହନ୍ତସନ୍ତ ହେଉଛନ୍ତି ଅଫିସରଙ୍କ ଲାଗି। ଏ ନେଇ ସେ ବି ଉଭୟ ରାଜସ୍ୱ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ନିରନ୍ତର ସମ୍ପର୍କରେ ରହି ଆଲୋଚନା କରି ଏହାର ତ୍ୱରିତ ସମାଧାନ ଦିଗରେ ଅଣ୍ଟା ଭିଡ଼ିଛନ୍ତି। ଯେଉଁମାନେ ପ୍ଲଟିଂ କରି ବା ପ୍ଲଟିଂ ଉଦେଶ୍ୟରେ ଜମିକୁ ଖଣ୍ଡ ଖଣ୍ଡ କରି ବିକିବାକୁ ଚାହୁଁଛନ୍ତି, ସେମାନେ ଆଗ ରାସ୍ତା ସଂଯୋଗୀକରଣ ଲାଗି ଆବଶ୍ୟକୀୟ ଜାଗା ଆଗ ମ୍ୟୁନିସିପାଲିଟି ବି ବିଏମସିକୁ ହସ୍ତାନ୍ତର କରିବେ। ତା ପରେ ଯାଇ ଜମି ବିକିବାକୁ ଯୋଗ୍ୟ ହେବେ। ଏମିତି ନ କଲେ, ପ୍ଲାନିଂ ସିଟିର ପରିକଳ୍ପନା ସାକାର ହେବନି। ଏହା ସହ ଲୋକଙ୍କ ସରକାରରେ ନିୟମିତ ଷଡ଼ଯନ୍ତ୍ର କରି ନିୟମରେ କେଁ ପୁରାଇ ଏହାକୁ ଜଟିଳ କରାଉଥିବା ଅଫିସରଙ୍କୁ ଚିହ୍ନଟ କରିସାରିଲେଣି ସରକାର। ଖୁବ୍ ଶୀଘ୍ର ସେମାନଙ୍କୁ ବିଦା କରାଯିବ ବୋଲି ସଙ୍କେତ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

ରିପୋର୍ଟ-ପ୍ରଦୀପ ନାୟକ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *