ବାଦ ବିବାଦ ଭିତରେ ମୁଲାୟମଙ୍କ ରାଜନୈତିକ ଯାତ୍ରା

Spread the love

() କିଏ କହେ ତାଙ୍କୁ ନେତାଜୀ ତ କିଏ କହେ ପହେଲବାନ୍ ଜୀ। ହେଲେ ଆଜି ସେ ଆଉ ନାହାନ୍ତି ଏ ଡାକ ଶୁଣିବାକୁ। ସବୁଦିନ ଲାଗି ଆଖି ବୁଜି ଦେଇଛନ୍ତି। ସମାଜବାଦୀ ଦଳର ପ୍ରତିଷ୍ଠାତା ତଥା ମୁଖ୍ୟ ମୁଲାୟମ ସିଂ ଯାଦବ ଆଉ ନାହାନ୍ତି ସତ। ହେଲେ ତାଙ୍କର ରାଜନୈତିକ କ୍ୟାରିଅର ଥିଲା ବେଶ୍ ଦମଦାର। ତା ସହ ତାଙ୍କ ପରିବାର ଭିତରେ ଥିବା ବିବାଦକୁ ନେଇ ଅନେକ ସମୟରେ ଅକଳରେ ବି ପଡ଼ୁଥିଲେ ଏହି ବଡ଼ ନେତା।

ନଭେମ୍ୱର ୨୨, ୧୯୩୯ରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ମୁଲାୟମ ସିଂ ଯାଦବ। ୟୁପିର ସୈଫାଲ୍ ଗାଁରେ ଜନ୍ମିତ ମୁଲାୟମ ଆରମ୍ଭରୁ ଜଣେ କୁସ୍ତିଯୋଦ୍ଧା ଭାବେ କ୍ୟାରିଅର ଆରମ୍ଭ କରିବାକୁ ଚିନ୍ତା କରିଥିଲେ। କିନ୍ତୁ ସମୟର ଚକ୍ର ଥିଲା ଭିନ୍ନ। ନିୟତିର ଆଉ କିଛି ଇଛା ଥିଲା। ଆଗ୍ରା ୟୁନିଭରସିଟିରୁ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ କରିଥିଲେ। ରାଜନୀତିରେ କିନ୍ତୁ ୧୫ ବର୍ଷ ବୟସରୁ ସାମିଲ୍ ହୋଇସାରିଥିଲେ।

ବିଶିଷ୍ଟ ସମାଜବାଦୀ ରାମ ମୋହନ ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇସାରିଥିଲେ ସେତେବେଳୁ। ସମାଜରେ ସମାନତା, ସାମାଜିକ ନ୍ୟାୟ ପ୍ରସଙ୍ଗକୁ ଧରି ଆଗେଇବାକୁ ମନସ୍ଥ କରିଥିଲେ। ଯାଦବ ସମ୍ପ୍ରଦାୟର ନିଜସ୍ୱ ଆଦର୍ଶ ଓ  ରାଜନୀତିକ ଭବିଷ୍ୟତ ନେଇ ପରିକଳ୍ପନା ଆରମ୍ଭ କରିଥିଲେ। ୧୯୬୭ରେ ଜଶଓ୍ୱନ୍ତନଗରରୁ ବିଧାନସଭାକୁ ପ୍ରଥମେ ନିର୍ବାଚିତ ହୋଇଥିଲେ। ୧୯୭୪ରୁ ପୁଣିଥରେ ନିର୍ବାଚିତ ହୋଇଥିଲେ।

କିନ୍ତୁ ୧୯୭୫ରେ ଦେଶରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାରୁ ଏହାକୁ ବିରୋଧ କରି ଗିରଫ ହୋଇଥିଲେ ମୁଲାୟମ। ୧୯ ମାସ ଜେଲରେ ରହିଥିଲେ। ଆଉ ୧୯୭୭ରେ ଜେଲରୁ ମୁକ୍ତ ପରେ ପୁଣି ଲଢ଼ିଥିଲେ ଓ ନିର୍ବାଚିତ ହୋଇଥିଲେ। ଚାଷୀ, ଶ୍ରମିକ, ଯୁବ, ଛାତ୍ର, ସଂଖ୍ୟାଲଘୁ ଓ ପଛୁଆ ବର୍ଗଙ୍କ ଅଧିକାର ଓ ସେମାନଙ୍କ ବିକାଶ ଲାଗି ନାନା ସମୟରେ ଆନ୍ଦୋଳନ କରି ସେ ୯ ଥର ଜେଲ୍ ଯାଇଥିଲେ।

୧୯୮୦ରେ ସେ ଜନତା ଦଳର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୮୯ରେ ବିଜେପିର ବାହ୍ୟ ସମର୍ଥନ ବଳରେ ସେ ୟୁପିର ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ୧୯୯୧ରେ ତାଙ୍କର ସରକାର ଭାଙ୍ଗିଗଲା। ତେବେ ୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ଓ ଏହା ପରବର୍ତ୍ତୀ ଦଙ୍ଗା ସ୍ଥିତି ମୁଲାୟମଙ୍କୁ ନୂଆ ରାଜନୈତିକ ମଞ୍ଚ ଖୋଜିବାକୁ ବାଧ୍ୟ କରିଥିଲା। ସେଥିଲାଗି ଅକ୍ଟୋବର ୧୯୯୨ରେ ସେ ସମାଜବାଦୀ ଦଳ ଗଠନ କରିଥିଲେ। ଯିଏ ମୁସଲିମଙ୍କ ପାଇଁ ଲଢିବାକୁ ଆଗେଇ ଆସିଥିଲା।

ଯେତେବେଳେ ଦିଲ୍ଲୀର କଂଗ୍ରେସ ସରକାର ମସଜିଦକୁ ସୁରକ୍ଷା ଦେବାରେ ଫେଲ୍ ମାରିଥିଲା, ସେତେବେଳେ ମୁଲାୟମ ଏହି କାର୍ଡ ଖେଳିଥିଲେ। ଆଉ ଏହାର ସୁଫଳ ବି ପାଇଥିଲେ ମୁଲାୟମ। ନଭେମ୍ୱର ୧୯୯୩ରେ ତାଙ୍କର ନୂଆ ଦଳ ସମାଜବାଦୀ ଦଳ ଅଧିକ ଆସନ ଆଣି ମେଣ୍ଟ ସରକାର ଗଢ଼ିବାକୁ ସକ୍ଷମ ହୋଇଥିଲା ୟୁପିରେ। ଆଉ ମୁଖ୍ୟମନ୍ତ୍ରୀ ଆସନରେ ପୁଣି ଥରେ ବସିଥିଲେ ମୁଲାୟମ। କିନ୍ତୁ ୧୯୯୫ରେ ପୁଣି ତାଙ୍କ ସରକାର ଭାଙ୍ଗିଯାଇଥିଲା।

୧୯୯୬ରେ ମୁଲାୟମ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଆଉ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡରେ ଆଗରେ ରହିଲେ। ଜନତା ଦଳର ଏଚ.ଡି.ଦେବଗୌଡ଼ା, ଯିଏ ୟୁନାଇଟେଡ ଫ୍ରଣ୍ଟରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଥିଲେ। କାରଣ ୟୁନାଇଟେଡ ଫ୍ରଣ୍ଟେ ସମାଜବାଦୀ ଦଳ ବି ମେମ୍ୱର ଥିଲା। ଦେବଗୌଡ଼ା ଶେଷରେ ପ୍ରଧାନମନ୍ତ୍ରୀ ହେଲେ। ଆଉ ଯାଦବଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ ତାଙ୍କୁ କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଥିଲା। ୨୦୦୨ରେ ୟୁପି ବିଧାନସଭା ନିର୍ବାଚନରେ ଏସପି ନାଟକୀୟ ଢଙ୍ଗରେ ପୁଣି କମବ୍ୟାକ୍ କରିଥିଲା।

ଯଦିଓ ସଂଖ୍ୟାଗରିଷ୍ଠ ଆସନ ଆଣିନଥିଲା ଦଳ। କିନ୍ତୁ ବିଏସପି-ବିଜେପିର ମେଣ୍ଟ ସରକାର ୨୦୦୩ରେ ଭାଙ୍ଗିଯିବାପରେ ସମାଜବାଦୀ ଦଳ ଲାଗି ବଡ଼ ମଉକା ଆସିଥିଲା। ଆଉ ଏଥର ମୁଲାୟମ ୟୁପିର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାର ନେଲେ। ୨୦୧୨ ଆଗରୁ ସମାଜବାଦୀ ଦଳ ଯଦିଓ ସଂଖ୍ୟାଗରିଷ୍ଠ ହାସନ ହାତେଇଥିଲା, ଯାଦବ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ଥୟ ଥିଲା। କିନ୍ତୁ ସେ ଏଥର ତାଙ୍କ ପୁଅ ଅଖିଳେଶଙ୍କୁ ଆଗକୁ ଛାଡ଼ିଥିଲେ। ଅଖିଳେଶ ପ୍ରଥମ କରି ୟୁପିର ମୁଖ୍ୟମନ୍ତ୍ରୀ ଭାର ନେଇଥିଲେ। ୧୯୮୯ରୁ ୯୧, ୧୯୯୩ ରୁ୯୫ ଓ ୨୦୦୩ରୁ ୦୭ ଯାଏ ତିନି ଥର ୟୁପି ମୁଖ୍ୟମନ୍ତ୍ରୀ ହୋଇଥିଲେ ମୁଲାୟମ।

ସବୁଠୁ ବଡ଼ କଥା ଥିଲା କି, ୨୦୧୯ ସାଧାରଣ ନିର୍ବାଚନ ଆଗରୁ ଷୋଡ଼ଶ ଲୋକସଭା ଅଧିବେଶନରେ ମୋଦି ଆଉ ଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି ମୁଲାୟମ କହିଥିଲେ। ଏହା ସହ ମୋଦିଙ୍କୁ ଆଗୁଆ ଅଭିନନ୍ଦନ ଦେଇଥିଲେ। ଏ କଥା ମୁଲାୟମଙ୍କ ବିୟୋଗ ପରେ ପୁଣି ଥରେ ଆଜି ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ତେବେ ମୁଲାୟମଙ୍କ ଏହି ଭବିଷ୍ୟବାଣୀ ତାଙ୍କ ପୁଅ ଅଖିଳେଶଙ୍କ ସମେତ ପୁରା ବିରୋଧୀ ଦଳକୁ ଆଚମ୍ୱିତ କରିଥିଲେ। କାରଣ ୨୦୧୯ ସାଧାରଣ ନିର୍ବାଚନ ଆଗରୁ ବିରୋଧୀ ମହାଗଠବନ୍ଧନ ଗଠନ କରି ମୋଦି ହଟାଅ ଅଭିଯାନ ଆରମ୍ଭ କରିସାରିଥିଲେ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *