ରାହୁଲ ଗାନ୍ଧୀଙ୍କୁ ନମ୍ୱର ଓ୍ୱାନ୍ ଆତଙ୍କବାଦୀ ଆଖ୍ୟା ଦେବା ମନ୍ତବ୍ୟକୁ ନେଇ ତେଜୁଛି ବିବାଦ

ରାହୁଲ ଗାନ୍ଧୀଙ୍କୁ ନମ୍ୱର ଓ୍ୱାନ୍ ଆତଙ୍କବାଦୀ ଆଖ୍ୟା ଦେବା ମନ୍ତବ୍ୟକୁ ନେଇ ବିବାଦ ତେଜିବାରେ ଲାଗିଛି। କେନ୍ଦ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରି ଦେଶ ତମାମ କଂଗ୍ରେସ ହଙ୍ଗାମା ଜାରି ରଖିଛି। ବିଟ୍ଟୁଙ୍କ ବିରୋଧରେ ଏତଲା କରିଛି କଂଗ୍ରେସ। ବିଟ୍ଟୁଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ସହ କ୍ଷମାପ୍ରାର୍ଥନା ଦାବି କରିଛି କଂଗ୍ରେସ। ସେପଟେ ବିଜେପି ରବନୀତଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛି। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ନାଁରେ ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ରାହୁଲ। ରାହୁଲ କେତେଦୂର ଠିକ୍ କରୁଛନ୍ତି ବୋଲି ପଚାରିଛି ବିଜେପି।

ଦେଶର ଏକ ନମ୍ୱର ଆତଙ୍କବାଦୀ ହେଉଛନ୍ତି ରାହୁଲ ଗାନ୍ଧୀ। ଧରିବା ଲାଗି ତାଙ୍କ ଉପରେ ବଡ଼ ପୁରଷ୍କାର ରଖିବା କଥା। ବିରୋଧୀ ଦଳ ନେତା ରାହୁଲଙ୍କୁ ନେଇ ଏଭଳି ଆପତ୍ତିଜନକ ଓ ବିବାଦୀୟ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ। କେବଳ ଏତିକି ନୁହେଁ। ରାହୁଲ ଶିଖ୍‌ଙ୍କୁ ଭାଗ ଭାଗ କରିବାକୁ ପ୍ରୟାସ କରିଥିଲେ। ରାହୁଲ ଆମେରିକାରେ ଶିଖ୍‌ଙ୍କୁ ନେଇ ଦେଇଥିବା ଟିପ୍ପଣୀ ଉପରେ ଏଭଳି ବୟାନ ଦେଇଥିଲେ ବିଟ୍ଟୁ। ଭାଗଲପୁରରେ ବିଟ୍ଟୁ ଏୟା ବି କହିଥିଲେ, ଆଗ ନିଆଁ ଲଗାଇବାକୁ ମୁସଲିମଙ୍କୁ ବ୍ୟବହାର କରୁଥିଲେ। ଏହା ସମ୍ଭବ ନ ହେବାରୁ ଶିଖ୍‌ଙ୍କ ଭିତରେ ଏହାକୁ ପ୍ରୟୋଗ କଲେଣି। ଯେଉଁ ଶିଖ୍ ଦେଶକୁ ସୁରକ୍ଷା ଦେବାକୁ ନିଜ ଜୀବନକୁ ବାଜି ଲଗାନ୍ତି। ରାହୁଲ ହିନ୍ଦୁସ୍ତାନକୁ ଭଲ ପାଆନ୍ତିନି।

ବର୍ଜିନିଆରେ ୪ ଦିନିଆ ଗସ୍ତ କାଳରେ ଭାରତୀୟ ଆମେରିକୀୟ ସମୁଦାୟ ସହ ଆଲୋଚନା ବେଳେ ରାହୁଲ କହିଥିଲେ ଯେ, ଆରଏସଏସ କିଛି ଧର୍ମ, ଭାଷା ଓ ସମୁଦାୟକୁ ଅନ୍ୟମାନଙ୍କ ତୁଳନାରେ ହୀନ ଦୃଷ୍ଟିରେ ଦେଖିଥାଏ। ଭାରତରେ ରାଜନୀତି ପାଇଁ ନୁହେଁ, ବରଂ ଏଥିଲାଗି ଲଢ଼େଇ ହୁଏ। ଶିଖ୍ ହେତୁ ଭାରତରେ ପଗଡ଼ି ପିନ୍ଧିବାକୁ ଅନୁମତି ଅଛି କି ନାହିଁ।  ହାତରେ କଡ଼ା ପିନ୍ଧିପାରିବେ କି ନାହିଁ। କେବଳ ଶିଖ୍ ନୁହଁନ୍ତି, ସବୁ ଧର୍ମକୁ ନେଇ ଲଢ଼େଇ ହେଉଛି। ଭାରତୀୟ ରାଜନୀତିରେ ଭଲ ପାଇବା, ସମ୍ମାନ ହଜିଗଲାଣି।

ରାହୁଲଙ୍କୁ ନେଇ ରଭନୀତଙ୍କ ଏହି ବିବାଦୀୟ ବୟାନ ନେଇ ହଙ୍ଗାମା ଜାରି ରହିଛି। ବିରୋଧୀ ଦଳ କହିଛନ୍ତି, ରାହୁଲଙ୍କ ପରିବାର ଦେଶ ଲାଗି ବଳିଦାନ ଦେଇଛନ୍ତି। ବିଜେପି ଦେଶର ରାଜନୀତିର ସ୍ତରକୁ ବହୁ ତଳକୁ ନେଇଗଲେଣି। ରାହୁଲଙ୍କୁ ଆତଙ୍କବାଦୀ କହିବା ବଡ଼ ପାପ। ଏଥିଲାଗି ବିଟ୍ଟୁ କ୍ଷମା ମାଗନ୍ତୁ। ବିଟ୍ଟୁଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ ମୋଦି। ଏହା ବିଜେପିର ଷଡ଼ଯନ୍ତ୍ର। ବିଟ୍ଟୁଙ୍କ ଏଭଳି ବିବାଦୀୟ ବୟାନ ବିରୁଦ୍ଧରେ କଂଗ୍ରେସ ଦେଶତମାମ ସଡକକୁ ଓହ୍ଲାଇଛି। ଏତଲା ଦେଇଛି। ପ୍ରତିବାଦ ରାଲି କରିଛି। ବିଜେପିର ସହଯୋଗୀ ଦଳ ରାହୁଲଙ୍କ ଜିଭ କାଟିଦେଲେ ୧୧ଲକ୍ଷ ଟଙ୍କାର ପୁରଷ୍କାର ଦେବାକୁ ଘୋଷଣା କରିଛି। ସେଥିଲାଗି ପୁଲିସ ତୁରନ୍ତ ଆକ୍ସନ ନେଉ ବୋଲି ଦାବି କରିଛି କଂଗ୍ରେସ। ଏଆଇସିସି ଅଧ୍ୟକ୍ଷ ଖଡ଼ଗେ ମୋଦିଙ୍କୁ ଚିଠି ଲେଖି ଦୃଢ଼ ଆକ୍ସନ ଲାଗି ଦାବି କରିଛନ୍ତି। ନିଜ ନେତାଙ୍କୁ ଅନୁଶାସନ ଓ ମର୍ଯ୍ୟାଦା ଭିତରେ ରଖିବାକୁ ମୋଦିଙ୍କୁ ଅପିଲ୍ କରିଛନ୍ତି ଖଡ଼ଗେ। ମୋଦିଙ୍କ ନୀରବତା ଏଭଳି ବୟାନକୁ ସମର୍ଥନ କରୁଛି କି। ସେପଟେ ଖଡ଼ଗେଙ୍କୁ ବିଜେପି ପାଲଟା ଚିଠି ଦେଇ ଉତ୍ତର ରଖିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଖୋଲା ଚିଠି ଦେଇ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ପୁରା ଓବିସି ସମାଜକୁ ଚୋର କହି ଗାଳି ଦିଅନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅତି ଅମର୍ଯ୍ୟାଦିତ ଶବ୍ଦ ପ୍ରୟୋଗ କରନ୍ତି, ସେହି ରାହୁଲ ଗାନ୍ଧୀଙ୍କୁ ଠିକ୍ ବୋଲି ଦର୍ଶାଇବାକୁ କେଉଁ ଚାପ ଆପଣଙ୍କୁ ବାଧ୍ୟ କରୁଛି। ସେପଟେ ରାହୁଲଙ୍କ ବୟାନକୁ ବିରୋଧ କରି ବି ଅନେକ ଜାଗାରେ ରାହୁଲଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ରାହୁଲଙ୍କୁ ଏକ ନମ୍ୱର ଆତଙ୍କବାଦୀ କହିବା ଭଳି ବିବାଦୀୟ ବୟାନ ନେଇ ରାଜନୀତି ଥମୁନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *