ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ନାଟକୀୟ ଦୃଶ୍ୟ । ମିଡିଆକୁ ସାଙ୍ଗରେ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଦେଖାଇବା ବ୍ୟବସ୍ଥା କରିଥିଲା ଆପ୍ । ଶିଶମହଲ ଅଭିଯୋଗର ସତ ମିଡିଆ ଜାଣିଲେ ବିଜେପିର ମିଛ ଧରା ପଡ଼ିବ ବୋଲି ପ୍ରସ୍ତୁତି ଥିଲା । କିନ୍ତୁ ଆଇନ ଶୃଙ୍ଖଳା ଆଳରେ ଅଧାରୁ ଅଟକାଇଲା ପୋଲିସ । ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ସହ ତୀବ୍ର ହୋଇଛି ରାଜନୀତି। ମୁଖ୍ୟମନ୍ତ୍ରୀ ଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବଙ୍ଗଳାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ କରି ବିଜେପି ବାରମ୍ୱାର ଟାର୍ଗେଟ କରୁଛି। ମୁଖ୍ୟମନ୍ତ୍ରୀ ବାସଭବନ ନବୀକରଣରେ କୋଟି କୋଟି ଖର୍ଚ୍ଚ ହୋଇଥିବା ଅଭିଯୋଗ ପ୍ରତି ପ୍ରଚାର ମଞ୍ଚରେ ବିଜେପି ଶୀର୍ଷ ନେତୃତ୍ୱ କରୁଛନ୍ତି। ଲୋକଙ୍କ ଅର୍ଥରେ ଶିଶମହଲ ତିଆରି କରାଯାଇଛି।ଯେଉଁଥିରେ ସୁନାର ଶୌଚାଳୟ, ସ୍ୱିମିଂ ପୁଲ, ମିନି ବାର ଅଛି କହି ବିଜେପି ଟାର୍ଗେଟ କରୁଥିବା ବେଳେ ତାର ଜବାବ ଦେବାକୁ ଏମିତି ଅଭିନବ ଉପାୟ ଆପଣାଇଥିଲା ଆମ ଆଦମୀ ପାର୍ଟି ।
ସାଂସଦ ସଞ୍ଜୟ ସିଂ ଏବଂ ଦିଲ୍ଲୀର ମନ୍ତ୍ରୀ ସୌରଭ ଭରଦ୍ୱାଜ ମିଡିଆକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ନିକଟରେ ପହଞ୍ଚିଥିଲେ। କିନ୍ତୁ ଆଇନ ଶୃଙ୍ଖଳା ପରିସ୍ଥିତି ଆଳରେ ପୋଲିସ ଅଟକାଇଥିଲା। ଯାହାକୁ ନେଇ ଉଭୟ ସାଂସଦ ଓ କ୍ୟାବିନେଟ ମନ୍ତ୍ରୀଙ୍କ ବିଶେଷାଧିକାର ହନନ ବୋଲି ଅଭିଯୋଗ କରିଥିଲେ । ଯେହେତୁ ବିଜେପି ମିଛ ପ୍ରଚାର କରୁଛି ତେଣୁ ସତ କ’ଣ ତାହା ଦେଖେଇବା ଦରକାର ବୋଲି ପ୍ରତିକ୍ରିୟା ଦେଇଥିଲେ । କିନ୍ତୁ ଆମକୁ ପ୍ରବେଶ ଅଧିକାର ନମିଳିବା ଅର୍ଥ ବିଜେପିର ମିଛ ଧରା ପଡ଼ିଛି ବୋଲି ଉଭୟ ପ୍ରତିକ୍ରିୟା ଦେଇଥିଲେ।ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଘର ଆଡକୁ ଯିବା ସମୟରେ ମଧ୍ୟ ପୋଳିସ ଅଟକାଇଥିଲା ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଘର ଡିଡିଏର । ଯାହାର ନବୀକରଣ, ସମ୍ପ୍ରସାରଣ ଓ ମରାମତି ଦାୟିତ୍ୱ ପିଡବ୍ଲ୍ୟୁଡିର । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଆବାସ କେଜ୍ରିୱାଲଙ୍କର ନୁହେଁ । ଯିଏ ମୁଖ୍ୟମନ୍ତ୍ରୀ ହେବେ ସିଏ ରହିବେ । କିନ୍ତୁ ଏଭଳି ଅଭିଯୋଗକୁ ନେଇ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି । ସେପଟେ ଅବକାରୀ ଦୁର୍ନୀତିକୁ ନେଇ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରଠାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଖାଲି ପଡ଼ିଛି । ଜନତାଙ୍କ ଅଦାଲତରୁ ଫଇସଲା ମିଳିଲା ପରେ ଶୀର୍ଷ ପଦକୁ ଫେରିବେ ବୋଲି ବେଲ ପାଇବା ପରେ କହିଥିଲେ ।କିନ୍ତୁ ବିଜେପିର ଅଭିଯୋଗ କୋଭିଡ ବେଳେ ଅକ୍ସିଜେନ ଓ ଔଷଧ ପାଇଁ ଯେତେବେଳେ ଦିଲ୍ଲୀବାସୀ ହଇରାଣ ହେଉଥିଲେ ସେତେ ବେଳେ ଆପ ମୁଖ୍ୟଙ୍କ ଧ୍ୟାନ ଶିଶମହଲ ନିର୍ମାଣରେ ଥିଲା । କିନ୍ତୁ ଏବେ ସତ ଧରା ପଡ଼ିବାରୁ ନାଟକ କରୁଛନ୍ତି ନେତା ।
ଫେବୃଆରୀ ୫ରେ ଭୋଟ୍, ୮ରେ ଆସିବ ଦିଲ୍ଲୀବାସୀଙ୍କ ଜନାଦେଶ । ୭୦ ଆସନ ବିଶିଷ୍ଠ ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ତା ପୂର୍ବରୁ ବିଜେପି ଓ ଆପ ମଧ୍ୟରେ ଟକରାଟକରି ସ୍ଥିତି ଜାରି ରହିଛି। ଆପ ଶିକ୍ଷା,ସ୍ୱାସ୍ଥ୍ୟ ବିଜୁଳି ଓ ତାର ବିଭିନ୍ନ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବାକୁ ଚାହୁଁଥିବା ବେଳେ ବିଜେପି କିଛି ଏଭଳି ପ୍ରସଙ୍ଗ ଉଠାଇବାକୁ ଚାହୁଁଛି ଯେଉଁଥିରେ ଆପ ମୁଖ୍ୟ ଭ୍ରଷ୍ଟଚାରରେ ସମ୍ପୃକ୍ତ ବୋଲି ଲୋକଙ୍କ ପାଖକୁ ବାର୍ତ୍ତା ଯିବ। ତେବେ ଆଗାମୀ ସମୟ କହିବ ଦିଲ୍ଳୀ ରାଜନୀତି କୁଆଡେ ମୁହାଁଇବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now