କାହା ପାଇଁ ବଦନାମ ମୁଣ୍ଡାଇଲା ବାରବାଟୀ ?

ବଦନାମ ବାରବାଟୀ! ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌କୁ ନେଇ ଓଡ଼ିଶା ଗର୍ବ କରୁଥିଲା ବେଳେ ପରିଚାଳନାଗତ ତୃଟି ଲାଗି ବଦନାମ ହୋଇଛି। ଫ୍ଲଡ୍ ଲାଇଟ ଅଚଳ ଲାଗି ପ୍ରାୟ ୩୦ ମିନିଟ୍ ଧରି ଖେଳ ହୋଇନଥିଲା। ଶୃଙ୍ଖଳିତ କ୍ରୀଡ଼ା ପରିଚାଳନାରେ ଓସିଏର ଅପାରଗତାକୁ ଏହା ପଦାରେ ପକାଇଛି। ଅପରପକ୍ଷରେ ଏଭଳି ତ୍ରୁଟି କାହିଁକି ହେଲା, ସେ ନେଇ ଓସିଏକୁ ନୋଟିସ୍ ଜାରି କରିଛି କ୍ରୀଡ଼ା ବିଭାଗ।  ଘଟଣା ପାଇଁ କିଏ ଦାୟୀ, ୧୦ ଦିନ ଭିତରେ ଜବାବ ଦେବାକୁ କୁହାଯାଇଛି। ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି  ନ ହୁଏ, ସେଥିଲାଗି କଅଣ ପଦକ୍ଷେପ ନିଆଯିବ, ସେ ନେଇ ରୂପରେଖ ପ୍ରସ୍ତୁତ ଲାଗି ବି ନିର୍ଦେଶ ଦିଆଯାଇଛି।

କ୍ରୀଡ଼ା ମନ୍ତ୍ରୀ କହିଛନ୍ତି, ଏଭଳି ତୃଟିକୁ ଗୁରୁତର ସହ ବିଚାର କରିଛି ବିଭାଗ। ଏହାର ଅନୁସନ୍ଧାନ କରାଯିବ। ମ୍ୟାଚ୍ ଦାୟିତ୍ୱରେ ଅନେକ ସବ୍‌ କମିଟି ଥିଲା। ବିଜୁଳି ଦାୟିତ୍ୱରେ କେଉଁ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଓ ପରିବହନ କମିଟି ଦାୟିତ୍ୱରେ ଥିଲା, ଜଣାଇବାକୁ ଓସିଏକୁ ନିର୍ଦେଶ ଦିଆଯାଇଛି। ଡିଜି ଡ୍ରାଇଭର୍ କି ବ୍ୟାକଅପ୍ କାହିଁକି ନଥିଲା। ୨୦ ସେକେଣ୍ଡରେ ବିଜୁଳି ପୁନଃ ସଂଯୋଗ ହୋଇପାରିଥାଆନ୍ତା। ଏହା ସମସ୍ତଙ୍କୁ ଆଘାତ ଦେଇଛି। ଅବହେଳା କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବାକୁ ପୁଲିସକୁ କୁହାଯାଇଛି। ବାରବାଟୀକୁ ୫ ବର୍ଷ ପରେ ଏହି ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ମିଳିଥିଲା। ତେବେ ଆଗକୁ ଓଡ଼ିଶାକୁ ଅଧିକ ମ୍ୟାଚ୍ ଆସିବ ବୋଲି ଆଶ୍ୱାସନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ।

ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଥିଲେ, ବ୍ୟାକଅପ୍ ଜେନେରେଟର ପାଖରେ ଖେଳାଳୀଙ୍କ ବସ୍ ରହିଥିଲା। ଗାଡ଼ି ଡ୍ରାଇଭର ଖେଳ ଦେଖୁଥିଲେ। ଫୋନ୍ କରି ଡାକିବା ପରେ ଜେନେରେଟର ସାମ୍ନାରୁ ବସ୍ ହଟାଇବା ପରେ ବିଜୁଳି ସଂଯୋଗ ଦିଆଯାଇଥିଲା। ଏଥିଲାଗି ବିଳମ୍ୱ ହୋଇଥିଲା।

ଏତେ ବଡ଼ ମ୍ୟାଚରେ ଦୀର୍ଘ ୨୬ ମିନିଟ୍ ଧରି ଖେଳ ବିଳମ୍ୱ ହେବା ଓ ଦୁଇ ଭାରତୀୟ ଖେଳାଳୀ ରୋହିତ ଶର୍ମା ଓ ଶୁଭମନ ଗିଲ୍ ବିରକ୍ତି ପ୍ରକାଶ କରି ପାଭିଲିୟନକୁ ଫେରିବା ଓସିଏର ବଡ଼ ଧରଣର ପରିଚାଳନାଗତ ତୃଟିକୁ ପଦାରେ ପକାଇଛି। ପୂର୍ବରୁ ବାରବାଟୀ ପାଣି ବୋତଲ ଫିଙ୍ଗାକୁ ନେଇ ବଦନାମ ହୋଇଥିଲା। ଏବେ ଫ୍ଲଡ୍ ଲାଇଟ୍ ଲାଗି ବଦନାମ ମୁଣ୍ଡାଇଛି। ଷ୍ଟାଡିୟମରେ ୮ଟି ଫ୍ଲଡ୍ ଲାଇଟ୍ ରହିଛି। ପ୍ରତି ଫ୍ଲଡ୍ ଲାଇଟ ଜଳିବା ଲାଗି ଗୋଟିଏ ଲେଖାଏଁ ଜେନେରେଟର ରହିଛି। ଆନ୍ତର୍ଜାତୀୟ ମ୍ୟାଚ୍ ସମୟରେ ଫ୍ଲଡ୍ ଲାଇଟ୍ ନିଟରେ ବ୍ୟାକଅପ୍‌ ଜେନେରେଟର ରହିବା କଥା। ବ୍ୟାକଅପ୍ ଜେନେରେଟର ଆଗରେ ବସ୍ କିଭଳି ରହିଥିଲା। ଏହାକୁ ନେଇ ରାଜନୀତି ବି ଘମାସାନ ହୋଇଛି।

ଭାରତର ରେକର୍ଡ ବିଜୟ ଭିତରେ ବଡ଼ ବିଭ୍ରାଟ ପଦାରେ ପଡ଼ିଛି। ବାରବାଟୀରେ ରୋହିତଙ୍କ ବିସ୍ଫୋରକ ପାଳିରେ ଆଗୁଆ ସିରିଜ୍ କବଜା କରିନେଇଛି ଅବଶ୍ୟ ଭାରତ। ଭାରତୀୟ କ୍ରିକେଟ ଦଳ ଲାଗି ବାରବାଟୀ ପୁଣି ଶୁଭଙ୍କର ସାଜିଛି। କିନ୍ତୁ ବିଜୟକୁ ନେଇ ଯେତିକି ଉଲ୍ଲାସ ସବୁଠି। ଏଭଳି ବିଭ୍ରାଟକୁ ନେଇ ସବୁଠି ନିରାଶ ବି ସେତିକି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *