କଂଗ୍ରେସ ପକ୍ଷରୁ ଭାରତ ଯୋଡ ଯାତ୍ରା ଜାରି ରହିଛି। ଅନ୍ୟପଟେ ଭାରତ ଯୋଡ ଯାତ୍ରାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ତିକ୍ତତା ଲାଗି ରହିଛି। ଉଭୟ ଦଳ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି। କେହି କାହାକୁ ଛାଡୁନଥିବା ନଜର ଆସିଛି। ଏସବୁ ମଧ୍ୟରେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କଂଗ୍ରେସକୁ ଟାର୍ଗେଟ କରି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ପକ୍ଷରୁ ଏହା ଭାରତ ଯୋଡ ଯାତ୍ରା ନୁହେଁ କଂଗ୍ରେସ ଯୋଡ ଯାତ୍ରା।
ପ୍ରମୋଦ ସାୱନ୍ତ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି ଯେ, କଂଗ୍ରେସର ଦେଶକୁ ବାଣ୍ଟିବାର ଅଭ୍ୟାସ ରହିଛି। କିନ୍ତୁ ବିଜେପି ଏବଂ ଆରଏସଏସ ସର୍ବଦା ଭାରତ ଯୋଡ କଥା କହିଆସୁଛନ୍ତି। ଭାରତର ଇତିହାସକୁ ଯଦି ଦେଖିବା ତେବେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ କଂଗ୍ରେସ ଭାରତକୁ ବିଭାଜିତ କରି ପାକିସ୍ତାନ ଗଠନ କରିଛି ବୋଲି ସାୱନ୍ତ କହିଛନ୍ତି। ଏହାସହ କଂଗ୍ରେସ ଆରଏସଏସ ୟୁନିଫର୍ମ ଜାଳି ହୀନତାର ବାତାବରଣ ସୃଷ୍ଟି କରିଛି। ବିଜେପି ଏବଂ ଆରଏସଏସକୁ ଟାର୍ଗେଟ କରୁଛି। କଂଗ୍ରେସର ଏହି ନୀତିକୁ କଡା ନିନ୍ଦା କରିଛନ୍ତି ସାୱାନ୍ତ।
ସୋମବାର କଂଗ୍ରେସ ତାର ଅଫିସିଆଲ ଟ୍ୱୁଟର ହ୍ୟାଣ୍ଡେଲରେ ଆରଏସଏସର ଏକ ପୋଷ୍ଟର ପୋଷ୍ଟ କରିବା ପରେ ଗୋଆ ସିଏମ୍ ଏହି ବିବୃତ୍ତି ରଖିଛନ୍ତି। ଏହି ପୋଷ୍ଟରେ ଆରଏସଏସର ୟୁନିଫର୍ମ ଜଳୁଥିବାର ଦେଖାଦେଇଥିଲା। ଯାହାକୁ ନେଇ ବିବାଦ ଦେଖାଦେଇଛି। ସେପଟେ ଏହି ପୋଷ୍ଟର ପୋଷ୍ଟ ହେବାପରେ ବିଜେପି ନେତାମାନେ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି।
ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now