ଭାରତ ଯୋଡ ଯାତ୍ରାରେ ସାମିଲ ହେଲେ ଜମ୍ମୁର ପୂର୍ବତନ ମୁଖ୍ୟମନ୍ତ୍ରୀ

Spread the love

ବନିହାଲ: ଶୁକ୍ରବାର ଜମ୍ମୁ କାଶ୍ମୀରର ବନିହାଲରୁ ଭାରତ ଯୋଡ ଯାତ୍ରା ବାହାରିବା ପରେ ଏଥିରେ ସାମିଲ ହୋଇଥିଲେ ଜମ୍ମୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲ୍ଲା। ଏହି ଅବସରରେ ଅବ୍ଦୁଲ୍ଲା କେନ୍ଦ୍ର ସରକାରକୁ ଟାର୍ଗେଟ କରିବାକୁ ପଛେଇ ନାହାନ୍ତି।

ଶୁକ୍ରବାର ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଛନ୍ତି ଉମର ଅବ୍ଦୁଲ୍ଲା। ସେ ମଧ୍ୟ ରହୁଲଙ୍କ ପରି ଧଳା ଟି ସର୍ଟ ପିନ୍ଧି ନିଜ ହଜାର ହଜାର ସମର୍ଥକଙ୍କ ସହ ଦେଖିବାକୁ ମିଳିଛନ୍ତି। ଶ୍ରୀନଗରରୁ ୧୨୦ କମି ଦୂର ବନିହାଲରେ ପହଞ୍ଚିବା ପରେ ଗଣମାଧ୍ୟମକୁ ଉମର କହିଛନ୍ତି, ଭାରତ ଯୋଡ ଯାତ୍ରାର ଉଦ୍ଦେଶ୍ୟ ରାହୁଲଙ୍କ ଭାବମୂର୍ତ୍ତିରେ ସୁଧାର ଆଣିବା ନୁହେଁ, ବରଂ ଦେଶର ସାମ୍ପ୍ରତିକ ସ୍ଥିତିରେ ସୁଧାର ଆଣିବା। ଦେଶର ବର୍ତ୍ତମାନର ସ୍ଥିତିକୁ ନେଇ ସେ ଅତ୍ୟନ୍ତ ଚିନ୍ତାଗ୍ରସ୍ତ ହୋଇପଡିଥିବାରୁ ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଛନ୍ତି।

ସେ ଆହୁରି କହିଛନ୍ତି କି, ରାହୁଲ ଗାନ୍ଧୀ ନିଜ ଉଦ୍ଦେଶ୍ୟ ପୂରଣ ପାଇଁ ଯାତ୍ରାର ଆରମ୍ଭ କରି ନାହାନ୍ତି, ବରଂ ସେ ଦେଶରେ ସାମ୍ପ୍ରଦାୟିକ ବିବାଦ ସୃଷ୍ଟି ଓ ଅଳ୍ପ ସଂଖ୍ୟକଙ୍କୁ ଟାର୍ଗେଟ କରିବାକୁ ହେଉଥିବା ଚେଷ୍ଟାରେ ଚିନ୍ତିତ ହୋଇ ଏପରି ପଦକ୍ଷେପ ନେଇଛନ୍ତି। ଏହି ସରକାର ଗୋଟିଏ ପଟେ ଆରବ ଦେଶସମୂହ ସହ ବନ୍ଧୁତ୍ବ କରୁଛି, କିନ୍ତୁ ବାସ୍ତବତା କି, ଏହି ସରକାରରେ ଦେଶର ସର୍ବବୃହତ୍ତ ଅଳ୍ପସଂଖ୍ୟ ସମୁଦାୟର କୌଣସି ପ୍ରତିନିଧି ନାହାନ୍ତି। ଦେଶ ସ୍ବାଧୀନ ହେବା ପରେ ଏହା ପ୍ରଥମ, ଯେତେବେଳେ କୌଣସି ସରକାରରେ ଜଣେ ବି ମୁସଲମାନ ସମୁଦାୟର ସଦସ୍ୟ ଲୋକସଭା ବା ରାଜ୍ୟ ସଭାରେ ନାହିଁନ୍ତି। ଏହା ହିଁ ସରକାରର ଆଭିମୁଖ୍ୟ ସ୍ପଷ୍ଟ କରିବ।

ସେପଟେ ଜମ୍ମୁ କାଶ୍ମୀରର ବିଶେଷ ଧାରା ୩୭୦ ଉଠାଇବାକୁ ନେଇ କଂଗ୍ରେସର ଆଭିମୁଖ୍ୟ ଉପରେ ଗଣମାଧ୍ୟମର ପ୍ରଶ୍ନରେ ଉମର କହିଛନ୍ତି କି, ଆମେ ଧାରା ୩୭୦ ପୁନଃ ସ୍ଥାପନ ପାଇଁ ଆଇନର ଆଶ୍ରୟ ନେବୁ। ଏଥିସମ୍ବନ୍ଧିତ ଯାଚିକାର ଶୁଣାଣିରୁ ସରକାର ଯେଉଁ ଭଳି ଲୁଚୁଛି, ଏଥିରୁ ଆମ ମକଦମା ମଜବୁତ ଥିବା ସ୍ପଷ୍ଟ ହେଉଛି। ସେହିପରି କାଶ୍ମୀରରେ ନିର୍ବାଚନକୁ ନେଇ ଉମାର କହିଛନ୍ତି, ନିର୍ବାଚନକୁ ଆଠ ବର୍ଷ ବିତିଲାଣି। ୨୦୧୪ରେ ବିଧାନସଭା ନିର୍ବାଚନ ହୋଇଥିଲା। ପୂର୍ବରୁ ଏତେ ଅନ୍ତରାଳରେ କେବେ ନିର୍ବାଚନ ହୋଇନାହିଁ। ଆତଙ୍କବାଦୀ ଆକ୍ରମଣ ଭିତରେ ବି ନିର୍ବାଚନ ହୋଇଛି।  ସରକାର ଚାହୁଁଛି ଜମ୍ମୁର ଲୋକ ନିର୍ବାଚନ ପାଇଁ ବିକଳ ଅନୁରୋଧ କରନ୍ତୁ, କିନ୍ତୁ ଏପରି ହେବନି, ଆମେ ଭିକାରୀ ନୁହଁ କି ନିର୍ବାଚନର ଭିକ ମାଗିବୁ।

Leave a Reply

Your email address will not be published. Required fields are marked *