ଓ୍ୱାୟାନାଡ଼ରୁ ପ୍ରିୟଙ୍କା ଗାନ୍ଧୀଙ୍କ ଆରମ୍ଭ ହେବ ସଂସଦୀୟ କ୍ୟାରିଅର। ସେପଟେ ବିହାରରୁ ଡେବ୍ୟୁ କରୁଛନ୍ତି ପିକେ। ବୁଧବାର ଉପନିର୍ବାଚନରେ ବିଶେଷ କରି ପିକେ ଓ ପ୍ରିୟଙ୍କାଙ୍କ ଉପରେ ସମସ୍ତଙ୍କ ନଜର। କେରଳର ଓ୍ୱାୟାନାଡ଼ ଆସନରୁ ଜିତି ରାହୁଲ ଏହି ଆସନରୁ ଇସ୍ତଫା ଦେବା ପରେ ପ୍ରିୟଙ୍କା ଏହି ଆସନରୁ ଭାଗ୍ୟପରୀକ୍ଷା କରୁଛନ୍ତି। ସେହିଭଳି ପ୍ରତ୍ୟକ୍ଷ ପଲିଟିକ୍ସ ମୈଦାନରେ ଏଣ୍ଟ୍ରି ମାରିଛନ୍ତି ପ୍ରଶାନ୍ତ କିଶୋର। ନିର୍ବାଚନୀ ରଣନୀତିକାର ଭାବେ ନିଜର ପାରଦର୍ଶିତା ଦେଖାଇଆସିଥିବା ପ୍ରଶାନ୍ତଙ୍କ ଡେବ୍ୟୁ କେତେ ଫଳପ୍ରଦ ହେବ, ତା ଉପରେ ନଜର। ବୁଧବାର ୧୧ ରାଜ୍ୟର ୩୧ ବିଧାନସଭା ଆସନ ଓ ଗୋଟିଏ ସଂସଦୀୟ କ୍ଷେତ୍ରରେ ଉପ-ନିର୍ବାଚନ ସରିଛି।
ନିର୍ବାଚନୀ ମୈଦାନରେ ସଫଳ ହେବେ କି ନାହିଁ ପ୍ରିୟଙ୍କା। ଓ୍ୱାୟାନାଡ଼ ଆସନରୁ ଜିତିଲେ ଯାଇ ପ୍ରିୟଙ୍କା ଆରମ୍ଭ କରିବେ ନିଜର ସଂସଦୀୟ କ୍ୟାରିଅର। କଂଗ୍ରେସ ମହାସଚିବଙ୍କ ଲାଗି ବଡ଼ ପରୀକ୍ଷା। ଏହି ଆସନରୁ ପ୍ରିୟଙ୍କାଙ୍କୁ ବିଜେପିର ନବ୍ୟା ହରିଦାସ ଓ ଏଲଡିଏଫର ସତ୍ୟମ ମୋକେରୀ ଟକ୍କର ଦେଉଛନ୍ତି। ରାହୁଲ ଗାନ୍ଧୀ ୨୦୧୯ ଓ ୨୦୨୪ ଲୋକସଭା ନିର୍ବାଚନରେ ଓ୍ୱାୟାନାଡ଼ ଆସନରୁ ଜିତିଥିଲେ। ୨୦୨୪ରେ ଓ୍ୱାୟାନାଡ଼ ସମେତ ରାଏବରେଲି ଆସନରୁ ବି ଜିତିଥିଲେ ରାହୁଲ। ଓ୍ୱାୟାନାଡ଼ରୁ ଇସ୍ତଫା ଦେବା ପରେ ଏହି ଆସନରେ ଉପ-ନିର୍ବାଚନ ହୋଇଛି। ୟୁଡିଏଫର ଗଡ଼ କୁହାଯାଉଥିବା ଓ୍ୱାୟାନାଡ଼ରେ ନିଜର ଦବଦବା ଜାହିର ଲାଗି ପ୍ରିୟଙ୍କାଙ୍କୁ ଏଥର ମୈଦାନକୁ ଓହ୍ଲାଇଛି କଂଗ୍ରେସ। ପ୍ରିୟଙ୍କା ବି ଭୋଟରଙ୍କୁ ଅପିଲ କରିଥିଲେ, ଭୋଟିଂ ବେଳେ ନିଜର ଲୋକତାନ୍ତ୍ରିକ ଅଧିକାରର ଉପଯୋଗ କରନ୍ତୁ। ଓ୍ୱାୟାନାଡ଼ ଭୋଟର ଯେଭଳି କଂଗ୍ରେସକୁ ଭଲ ପାଇବା ଓ ସମର୍ଥନ ଦେଇଆସିଛନ୍ତି, ତାଙ୍କୁ ବି ସେମିତି ଭଲ ପାଇବା ଦେବେ ବୋଲି ଆଶା କରିଛନ୍ତି ପ୍ରିୟଙ୍କା। ରାହୁଲ ବି ପ୍ରିୟଙ୍କାଙ୍କ ଲାଗି ପ୍ରଚାର ବେଳେ କହିଥିଲେ, ଓ୍ୱାୟାନାଡ଼ ଭୋଟରଙ୍କ କୌଣସି ସମସ୍ୟାକୁ ଅଣଦେଖା କରିବେନି ପ୍ରିୟଙ୍କା। ସେପଟେ ବିରୋଧୀ କହିଥିଲେ, ଭାଇ ଭଳି ଭଉଣୀ ବି ଓ୍ୱାୟାନାଡ଼କୁ ୟୁଜ୍ ଆଣ୍ଡ ଥ୍ରୋ ଭଳି ବ୍ୟବହାର କରିବେ। ଓ୍ୱାୟାନାଡ଼ବାସୀଙ୍କୁ ରାହୁଲ ଧୋକ୍କା ଦେଲେ। ପ୍ରିୟଙ୍କା ବି ଆଗକୁ ସେମିତି କରିବେ।
ସେପଟେ ବିହାରର ୪ ବିଧାନସଭା ଆସନ ତରାରି, ରାମଗଡ଼, ଇମାମଗଞ୍ଜ ଓ ବେଲାଗଞ୍ଜରେ ହୋଇଛି ଉପ-ନିର୍ବାଚନ। ୨୦୨୫ରେ ବିହାର ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପ-ନିର୍ବାଚନ ଏସିଡ୍ ଟେଷ୍ଟ ବୋଲି କୁହାଯାଉଛି। ଏହି ଉପନିର୍ବାଚନରେ ନିର୍ବାଚନୀ ରଣନୀତିକାରରୁ ରାଜନେତା ଭାବେ ଡେବ୍ୟୁ କରୁଛନ୍ତି ପ୍ରଶାନ୍ତ କିଶୋର। ପ୍ରଶାନ୍ତ କିଶୋର ବା ପିକେଙ୍କ ଦଳ ଜନସ୍ୱରାଜ ଦଳ ଉପ-ନିର୍ବାଚନରେ ପ୍ରାର୍ଥୀ ଦେଇଛି। ପିକେଙ୍କ ଏହା ପ୍ରଥମ ନିର୍ବାଚନୀ ପରୀକ୍ଷା। ପ୍ରଶାନ୍ତ କିଶୋର କହିସାରିଲେଣି, ଯଦି ତାଙ୍କ ଦଳ ଏହି ସମସ୍ତ ୪ ଆସନ ଜିତେ, ତାହେଲେ ୨୦୨୫ର ନିର୍ବାଚନ ଭବିଷ୍ୟତ ଆପେ ଆପେ ତିଆରି ହୋଇଯିବ। ଦାଦନ, ବେରୋଜଗାର ଭଳି ମୁଦ୍ଦାକୁ ନେଇ ପ୍ରଚାରର ମଙ୍ଗ ଧରିଥିଲେ ପିକେ। ଏମିତିରେ ଉପନିର୍ବାଚନ ତାରିଖ ବଦଳାଇବାକୁ ସୁପ୍ରିମକୋର୍ଟରେ କରିଥିବା ପ୍ରଶାନ୍ତଙ୍କ ଆବେଦନ ଖାରଜ ହୋଇଯାଇଥିଲା।
ବଡ଼ କଥା ହେଲା, ବିହାରରେ ନୀତିଶ କୁମାର, ଲାଲୁ ଯାଦବଙ୍କ ଭଳି ମହାରଥୀଙ୍କ ଭିତରେ ପିକେ ନିଜର ଜାଗା କେତେଦୂର ସୁରକ୍ଷିତ ରଖିବେ। ସେପଟେ ସମ୍ମାନର ଲଢେଇରେ ଓ୍ୱାୟାନାଡ଼ରୁ ନିଜର ସଂସଦୀୟ କ୍ୟାରିଅର ଆରମ୍ଭ କରିବାକୁ ଯାଉଥିବା ପ୍ରିୟଙ୍କା କେତେଦୂର ସଫଳ ହେବେ। ତା ଉପରେ ସମସ୍ତଙ୍କ ନଜର।
Naxatra News is now on Whatsapp
Join and get latest news update delivered to you via whatsapp
Join Now