ଜିଦି ପାଇଁ ଚାଲିପାରୁନି ସଂସଦ

Spread the love

() ରାହୁଲଙ୍କୁ କହିବାକୁ ଦେଉନାହାନ୍ତି ସରକାର ବୋଲି ବିରୋଧୀଙ୍କ ହଟ୍ଟଗୋଳ ସାଙ୍ଗକୁ ଦେଶକୁ ଅପମାନ କରିଥିବାରୁ ରାହୁଲ କ୍ଷମା ମାଗନ୍ତୁ ଦାବିରେ ଅଟଳ ଶାସକ ଦଳ। ଏଭଳି ସ୍ଥିତିରେ ସଦନର ଉଭୟ ଗୃହ ବାରମ୍ୱାର ବାଧାପ୍ରାପ୍ତ ହୋଇଛି। ଆଦାନୀ ବିରୁଦ୍ଧରେ ଜେପିସି ତଦନ୍ତ ଦାବିରେ ଅଡ଼ି ବସିଛନ୍ତି ବିରୋଧୀ। ରାହୁଲ ଗାନ୍ଧୀଙ୍କୁ କହିବାକୁ କାହିଁକି ସୁଯୋଗ ଦିଆଯାଉନି। ତାକୁ ନେଇ ତୁମ୍ୱିତୋଫାନ କରିଛନ୍ତି ବିରୋଧୀ ଦଳ। ରାହୁଲଙ୍କୁ କହିବାକୁ ଦିଅ। ଆଦାନୀକୁ ବଞ୍ଚାଇବା ବନ୍ଦ କର ନାରାବାଜିରେ ଗୃହକୁ କମ୍ପାଇଥିଲେ ବିରୋଧୀ। ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ ଯେତେ ବୁଝାଇଲେ ବି ବୁଝିନଥିଲେ ବିରୋଧୀ ଦଳ। ସମସ୍ତଙ୍କୁ କହିବାକୁ ସୁଯୋଗ ମିଳିବ। କିନ୍ତୁ ପ୍ରଶ୍ନୋତ୍ତର କାଳକୁ ଚାଲିବାକୁ ଦିଆଯାଉ ବୋଲି ଅପିଲ୍ କରିଥିଲେ। କିନ୍ତୁ କେହି ଶୁଣିନଥିଲେ।

ଫଳରେ ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୨ଟା ଯାଏ ଆଗ ମୁଲତବୀ କରିଦିଆଯାଇଥିଲା। ରାଜ୍ୟସଭାରେ ଗୃହର ନେତା ତଥା ମନ୍ତ୍ରୀ ପିୟୁଷ ଗୋଏଲ ସିଧା ଟାର୍ଗେଟ କରିଥିଲେ ରାହୁଲଙ୍କୁ।  ପୁରା ଦେଶ ମୁଖ୍ୟ ବିରୋଧୀ ଦଳର ନେତାଙ୍କ ମନ୍ତବ୍ୟକୁ ନେଇ ଚିନ୍ତିତ ଓ ବ୍ୟଥିତ ବୋଲି ଦର୍ଶାଇଥିଲେ। ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ରାହୁଲ। କେଉଁ ଅଭିସନ୍ଧି ରଖି ବାରମ୍ୱାର ଦେଶ ବିରୋଧୀ ମନ୍ତବ୍ୟ ଦେଉଛନ୍ତି, ତାହାର ସ୍ପଷ୍ଟୀକରଣ ରଖନ୍ତୁ। ତାଙ୍କର ମନ୍ତବ୍ୟ ଦେଶ ଓ ସଂସଦର ଗାରିମା କ୍ଷୁର୍ଣ୍ଣ କରୁଛି। ଗୃହ କିଭଳି ସୁରୁଖୁରୁରେ ଚାଲିପାରିବ, ତାକୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ବିଭିନ୍ନ ଦଳର ନେତାଙ୍କୁ ଡାକି ଆଲୋଚନା କରିଥିଲେ।

ଗୃହ ମୁଲତବୀ ପରେ ବିରୋଧୀ ଦଳ ସଂସଦର ଏକ ନମ୍ୱର ଗେଟ୍ ସମ୍ମୁଖରେ ପ୍ରତିବାଦ ରାଲି କରିଥିଲେ। ପ୍ଲାକାର୍ଡ ଓ ବ୍ୟାନର ଧରି ବିରୋଧୀ ଦଳ ଜେପିସି ତଦନ୍ତ ଦାବିରେ ସ୍ଲୋଗାନ୍ ଦେଇଥିଲେ। କେନ୍ଦ୍ରରେ ଥିବା ସ୍ୱେଛାଚାରୀ ସରକାର ଆଲୋଚନା ଓ ଗଣତନ୍ତ୍ରରେ ବିଶ୍ୱାସ କରୁନି ବୋଲି ଆରୋପ ଲଦିଛନ୍ତି। ଆଉ ଶାସକ ଦଳ ଏହାର କଡ଼ା କାଉଣ୍ଟର କରିଛି।

ବଜେଟ ଅଧିବେଶନ ପରି ଗୁରୁତ୍ବପୂର୍ଣ୍ଣ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶ ଚାଲିପାରୁନି ବିରୋଧୀ ଓ ଶାସକଙ୍କ ନିଜ ନିଜ ଜିଦ୍ଦିରେ। ଯାହା ଦେଶବାସୀଙ୍କ ଅଧିକାର କ୍ଷୁନ୍ନ କରୁଛି ବୋଲି ମତପ୍ରକାଶ ପାଇଲାଣି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *