କେନ୍ଦ୍ରାପଡା ଡେରାବିଶ ବ୍ଲକ ସଲାରୋ ଗାଁରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି ଏହି ମନ୍ଦିର । ମନ୍ଦିରଟି ସମ୍ପୂର୍ଣ୍ଣ ପଥରରେ ଏବଂ ପ୍ରାଚୀନ ଶୈଳୀରେ ନିର୍ମାଣ କରାଯାଇଛି। ୧୯୮୦ ମସିହା ବେଳକୁ ମଠର ମହନ୍ତ ବୈରାଗୀ ବାବାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ମନ୍ଦିର ନିର୍ମାଣ କାର୍ଯ୍ୟ କିନ୍ତୁ ଅଧାରେ ଅଟକି ରହିଛି । ମନ୍ଦିର ନିର୍ମାଣରେ କୌଣସି ପ୍ରକାର ଲୁହା ଅଥବା ଧାତୁ ବ୍ୟବହାର ହୋଇ ନାହିଁ । ମନ୍ଦିରର ପାହାଚ, ମୁଖଶାଳା, ଗର୍ଭଗୃହ, ପଣା, ଛକା ଇତ୍ୟାଦି ସମ୍ପୂର୍ଣ ପଥରରେ ନିର୍ମାଣ କରାଯାଇଛି । କେବଳ ସେତିକି ନୁହେଁ ପଥରରେ ଖୋଦେଇ କରି ବିଭିନ୍ନ କଳାକୃତ ମଧ୍ୟ ନିର୍ମାଣ କରାଯାଇଛି । ମନ୍ଦିରର ମୁଖଶାଳା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଗର୍ଭଗୃହର ମୁଣ୍ଡି ମରାଯାଇପାରିନାହିଁ । ପ୍ରାୟ ଦୁଇ ଡିସମିଲ ଜାଗାରେ ନିର୍ମିତ ଏହି ମନ୍ଦିର ନିର୍ମାଣରେ ଲକ୍ଷାଧିକ ଟଙ୍କା ଖର୍ଚ ହୋଇଛି। ମଠର ତତକାଳୀନ ମହନ୍ତ ଭିକ୍ଷା ମାଗି ମନ୍ଦିର କାମ ଆରମ୍ଭ କରିଥିଲେ । ପରର୍ବତୀ ସମୟରେ ଅର୍ଥ ଯୋଗାଡ ହୋଇ ନପାରିବାରୁ ଅଧାରେ ଅଟକି ରହିଛି ମନ୍ଦିର କାମ । ବର୍ଷବର୍ଷ ଧରି ପଡି ରହିବା ଦ୍ଵାରା ନିର୍ମାଣ କ୍ଷୟ ହେବା ଆରମ୍ଭ ହେଲାଣି । ମନ୍ଦିର ଗାତ୍ରରେ ଗଛଲତା ଉଠିବା ଦ୍ୱାରା ହୋଇଥିବା ନିର୍ମାଣ ପାଇଁ ବିପଦର କାରଣ ପାଲଟିଛି ।
ପ୍ରାୟ ଦେଢଶହ ବର୍ଷ ପୂର୍ବେ ସନ୍ଥ ସୀତାରାମ ବାବାଙ୍କ ଦ୍ଵାରା ତୀର୍ଥ ଯାତ୍ରୀଙ୍କ ସେବା ଉଦ୍ଦେଶ୍ୟରେ ସଲାରୋ ମଠ ସ୍ଥାପନ ହୋଇଥିଲା । ପରେ ମଠରେ ଗୋ ସେବା ଆରମ୍ଭ ହୋଇଥିଲା । ଆଜିବି ଅସୁସ୍ଥ ଗାଈ ଗୋରୁଙ୍କ ପାଇଁ ଏଠାରେ ଆର୍ୟୁବେଦିକ ଔଷଧ ପ୍ରସ୍ତୁତ ହେବାର ଜଣାଯାଏ । ମଠର ଆୟର ଉତ୍ସ କହିଲେ ଭକ୍ତଙ୍କ ଠାରୁ ମିଳୁଥିବା ଦାନ ଅର୍ଥ। ମନ୍ଦିର ନିର୍ମାଣ ବିଳମ୍ବ ହେଲେ ହୋଇଥିବା ନିର୍ମାଣ ମଧ୍ୟ କ୍ଷତିଗ୍ରସ୍ତ ହେବାର ଅଶଙ୍କା କରିଛନ୍ତି ସ୍ଥାନୀୟ ଲୋକେ। ଏହି ପ୍ରଚୀନ ମନ୍ଦିର ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅବଗତ କଲା ପରେ, ସେ କହିଛନ୍ତି ଯେ, ସଂସ୍କୃତି ବିଭାଗ ସହିତ ଆଲୋଚନା କରିବା ସହିତ ସରକାରୀ ସ୍ତରରେ ଯାହା ସହଯୋଗ ଯୋଗାଇ ଦିଆଯିବ।
ସଂସ୍କୃତି ବିଭାଗ ପକ୍ଷରୁ ମନ୍ଦିର ନିର୍ମାଣ ତଥା ପ୍ରାଚୀନ ସଲାରୋ ମଠର ବିକାଶ ପାଇଁ ସରକାର ଅନୁଦାନ ଯୋଗାଇ ଦେବାକୁ ସ୍ଥାନୀୟ ଗ୍ରାମବାସୀ ତଥା ବୁଦ୍ଧିଜୀବୀ ଦାବି କରିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now