ରାଜଧାନୀବାସୀଙ୍କୁ କଲବଲ କରୁଛି ମଶା। ମଶା ଉପଦ୍ରବ ଲାଗି ଦିନ ହେଉ କି ରାତି, ଘରେ କି ବାହାରେ କେଉଁଠି ବସିହେଉନି କି ଶୋଇ ହେଉନି। ବିଏମସି ଅଞ୍ଚଳରୁ ମଶା ବଂଶ ଲୋପ ପାଇଁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ୨ ଦିନ ଭିତରେ ମଶା ଦମନ ପାଇଁ ପଦକ୍ଷେପ ନେବା ସହ ୭ ଦିନ ଭିତରେ ମଶାପ୍ରବଣ ସ୍ଥାନ ବା ହଟସ୍ପଟ୍ ଚିହ୍ନଟ କରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ପ୍ରତି ସପ୍ତାହରେ ଦୟାଓ୍ୱେଷ୍ଟ କେନାଲରେ ମଶାମରା ତେଲ ପଡ଼ିବ। କାରଣ ଦୟାଓ୍ୱେଷ୍ଟ କେନାଲ ମଶାବଂଶ ବୃଦ୍ଧିର ପ୍ରମୁଖ ସ୍ଥଳ ଭାବେ ଚିହ୍ନଟ ହୋଇଛି।
ସନ୍ଧ୍ୟା ସମୟରେ ଏକକାଳୀନ ଫଗିଙ୍ଗ ନକଲେ ମଶା ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଚାଲିଯାଉଛନ୍ତି। ସେଥିଲାଗି ନିୟମିତ ମଶାମରା ତେଲ ସିଞ୍ଚନ ସହ ମଶାଧୂଆଁ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ବିଏମସିରେ ଥିବା ଅଟୋ ମାଉଣ୍ଟେଡ୍ ଫଗିଙ୍ଗ ମେସିନ ଯଥେଷ୍ଟ ନଥିବାରୁ ଆଉ ୪ଟି ଟ୍ରାକ୍ଟର ମାଉଣ୍ଟେଡ୍ ମେସିନ ତୁରନ୍ତ କିଣାଯିବ। ରାଜଧାନୀ ବାସିନ୍ଦାଙ୍କ କହିବା କଥା, ମଶାଧୂଆଁ କି ତେଲ ସିଞ୍ଚନ କାମ କରୁନି। କେବଳ ନାଁକୁ ମାତ୍ର ବିଏମସି ଫଗିଙ୍ଗ ଗାଡ଼ି ବୁଲାଇ ପଳାଉଛି। ମଶାବଂଶ ଲୋପ ଲାଗି କୌଣସି ଠୋସ୍ ପଦକ୍ଷେପ ନିଆଯାଉନି। ସେଥିଲାଗି ବସ୍ତିରୁ ବିଲଡିଂ। କେଉଁଠି ବି ମଶା ଉପଦ୍ରବରୁ ତ୍ରାହି ମିଳୁନି। ନାଳନର୍ଦ୍ଦମାକୁ ନିୟମିତ ସଫେଇ ହେଉନି।
ମନ୍ତ୍ରୀଙ୍କୁ ମଶା ଚିନ୍ତା ଘାରିଛି। ଆଣ୍ଟି ଲାର୍ଭା ଓ୍ୱାର୍କର ସଂଖ୍ୟା ଦୁଇଗୁଣ ବଢ଼ିବ। ଏକକାଳୀନ ଫଗିଙ୍ଗ ଲାଗି ମେସିନରୁ ମାନବସମ୍ୱଳ ବୃଦ୍ଧି ହେବ। ଦେଖିବାର କଥା ମଶା ଦମନ ଲାଗି ବିଏମସି କେତେଦୂର ସଫଳ ହେଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now