protest

  • ଧାରଣାରେ କିଡ଼ନୀ ରୋଗୀ

    ଭୁବନେଶ୍ୱର: ୧୨୫ ଦିନ ହେବ କିଡ଼ନୀ ରୋଗୀ ଧାରଣାରେ ଅଛନ୍ତି l ମୁଖ୍ୟ ଶାସନ ସଚିବ ଦାବି ପତ୍ର ପୂର୍ବରୁ ଗ୍ରହଣ କରିଛନ୍ତି ଓ ଦୁଇ ସପ୍ତାହ ସମୟ ମାଗିଛନ୍ତିl ମୁଖ୍ୟ ଶାସନ ସଚିବଙ୍କ କଥା ଅନୁସାରେ ଆଉ ୩ ସପ୍ତାହ ଟାଇମ ଦେଇଛନ୍ତି କିଡ଼ନୀ ରୋଗୀl ସେଥିପାଇଁ କିଡ଼ନୀ ରୋଗୀ ଏକ ମାସ ଧାରଣା ସ୍ଥଗିତ ରଖିବା ପାଇଁ ସ୍ଥିର କରିଛନ୍ତି l ଯଦି ସୁଫଳ ନ ମିଳେ  ଆଗକୁ ଧାରଣାକୁ ନ ଫେରି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାସ ଭବନ ଆଗରେ ଆତ୍ମହୂତି ଦେବାକୁ ଚେତାବନୀ ଦେଇଛନ୍ତି l କାଲିର ଆଲୋଚନାରେ ଆନ୍ଦୋଳନରତ ରୋଗୀଙ୍କ ସହ ଆଲୋଚନା ହୋଇନି ବରଂ ଅନ୍ୟ 6 ଜଣ ରୋଗୀଙ୍କୁ ଡକାଯାଇଥିଲା, ଯାହାର ନୂଆ କିଡ଼ନୀ ପ୍ରତ୍ୟାରୋପଣ ହୋଇଛିl ସେପଟେ କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ଖବର ପ୍ରସାରଣ କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା ବୋଲି କହିଛନ୍ତି କିଡ଼ନୀ ରୋଗୀ l

  • ଚାଷୀଙ୍କ ରାସ୍ତା ରୋକ

    ବରଗଡ଼: ବରଗଡ଼ ସୋହେଲା ଠାରେ କୃଷକ ବିକାଶ ମଞ୍ଚ ଚାଷୀ ସଂଗଠନ ପକ୍ଷରୁ 9 ଦଫା ଦାବି ନେଇ 53 ନମ୍ବର ଜାତୀୟ ରାଜପଥ ଅବରୋଧ। ଚାଷୀଙ୍କ ଉତ୍ପାଦିତ ଧାନ ଗାଡିକୁ ରଖି ଅନିର୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି କହିଛି କୃଷକ ବିକାଶ ମଞ୍ଚ। ତେବେ ଚାଷୀଙ୍କ ମୁଖ୍ୟ ଦାବି ଧାନ ମଣ୍ଡି ଖୋଲାଯାଉ, ଧାନର କ୍ଵିଣ୍ଟାଲ ପ୍ରତି ମୂଲ୍ୟ ୪୦୦୦ ଟଙ୍କା ଦିଆଯାଉ, କୃଷକ ପେନସନ ମାସକୁ ୨୦୦୦ ଟଙ୍କା ପ୍ରଦାନ, ଜଳକର ସହ ବିଦ୍ୟୁତ ବିଲ ସମାନ କରାଯାଉ,କୃଷି ସମବାୟ ସମିତିର ସମସ୍ତ ସଭ୍ୟଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ।ଏସବୁ ଦାବି ପୁରାଣ ନହେଲେ ଆଗକୁ ଚାଷୀ ଆନ୍ଦୋଳନ ତୀବ୍ରତର ହେବ ବୋଲି କୃଷକ ବିକାଶ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

  • କାଲି ପୁଣି ହାଜର ହେବେ ଦୀପିକା

    ଭୁବନେଶ୍ୱର: ମହିଳା କମିଶନଙ୍କ ନିକଟରେ ହାଜର ହେଲେ ବ୍ରହ୍ମପୁରର ଆନ୍ଦୋଳନରତ ମହିଳା କେ ଦୀପିକା। ନିଜ ପିଲାକୁ ବାପାର ପରିଚୟ ଦେବା ପାଇଁ ସ୍ୱାମୀଙ୍କ ଘର ସମ୍ମୁଖରେ ଆନ୍ଦୋଳନ କରୁଛନ୍ତି ଦୀପିକା। ପୂର୍ବରୁ ମହିଳା କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ ଦୀପିକା। କିନ୍ତୁ ସ୍ୱାମୀ ଦିନେଶ ଆସିନଥିଲେ। ଏବେ ପୁଣି ଥରେ ଦୀପିକା ମହିଳା କମିଶନ ଙ୍କ ନିକଟରେ ହାଜର ହୋଇଛନ୍ତି। ସେପଟେ ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି  ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା। ଆଜି ନୁହେଁ, ଆସନ୍ତାକାଲି  ହାଜର ହେବାକୁ ଉଭୟ ପକ୍ଷକୁ କୁହାଯାଉଛି। ଏସପି ଙ୍କ ଜରିଆରେ ଦୀପିକାଙ୍କ ସ୍ୱାମୀଙ୍କୁ ମଧ୍ୟ ହାଜର ପାଇଁ କୁହାଯାଇଛି। ଦୀପିକା ଏବଂ ତାଙ୍କ ସ୍ୱାମୀ ଆସନ୍ତାକାଲି ହାଜର ହେବେ।

  • ସ୍କୁଲ ଗେଟରେ ପଡିଲା ତାଲା

    କେନ୍ଦ୍ରାପଡା: ଶିକ୍ଷା ବିଭାଗ ଉପରେ ଅସନ୍ତୁଷ୍ଟ ହୋଇ ସ୍କୁଲ ଗେଟରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷା ସମୟରେ ଶିକ୍ଷକଙ୍କ ବଦଳିକୁ ନେଇ ସ୍କୁଲ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ। ବିଦ୍ୟାଳୟରେ ବିଜ୍ଞାନ ପରୀକ୍ଷା ଥିବାବେଳେ, କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଶ୍ୟାମ ସୁନ୍ଦରପୁର ଉପ୍ରା ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଲ ଗେଟରେ ତାଲା ପକାଇଛନ୍ତି। ଶିକ୍ଷକ ନିରଞ୍ଜନ ମଲ୍କିକ ଗତ 28 ତାରିଖରେ ଅନ୍ୟ ଏକ ବିଦ୍ୟାଳୟକୁ ବଦଳି ହୋଇଥିଲେ। ତେବେ ଶିକ୍ଷକଙ୍କ ବଦଳି କୁ ଛାତ୍ରଛାତ୍ରୀ ବିରୋଧ କରିବା ସହ ଯେ ପର୍ଯ୍ୟନ୍ତ ଶିକ୍ଷକଙ୍କୁ ପୁନର୍ବାର ବିଦ୍ୟାଳୟକୁ ଅଣାନଯାଇଛି ସେ ପର୍ଯ୍ୟନ୍ତ ବିଦ୍ୟାଳୟ ଗେଟରେ ତାଲା ପଡିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ।

    ସେପଟେ ଛାତ୍ରଛାତ୍ରୀଙ୍କ ତାଲା ପକାଇବା ଘଟଣାକୁ ସ୍କୁଲ କମିଟି ସମର୍ଥନ କରିଛି। ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିଦ୍ୟାଳୟ ବନ୍ଦ ରହିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ।  ସ୍ଥାନୀୟ କ୍ଲଷ୍ଟର ଲିଡର ଛାତ୍ରଛାତ୍ରୀଙ୍କୁ ସ୍କୁଲ ତାଲା ଖୋଲିବା ପାଇଁ ନିବେଦନ କରିଥିଲେ ବି କିଛି ଲାଭ ହୋଇନି।

    ତେବେ କେବେ ସମସ୍ୟାର ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା।

  • MKCG ମେଡିକାଲରେ ଉତ୍ତେଜନା

    ଗଞ୍ଜାମ: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଅଭାବନୀୟ ଘଟଣା। ମେଡିକାଲର ହାଉସ ସର୍ଜନ ଡାକ୍ତର ଓ ନର୍ସ ଧସ୍ତାଧସ୍ତି। ଏମକେସିଜି ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଘଟଣା ଘଟିଛି। ଉଭୟ ନର୍ସ ସଂଘ ଓ ହାଉସ ସର୍ଜନ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ କାର୍ଯ୍ୟରତ ନର୍ସମାନେ ଜଣେ ରୋଗୀଙ୍କ ଶର୍କରା ପରୀକ୍ଷା ନକରିବାରୁ ଉତ୍ତେଜନା ଦେଖାଦେଇଛି। ଯାହାକୁ ନେଇ ଉଭୟ ପକ୍ଷର ଶତାଧିକ ଡାକ୍ତର ଓ ନର୍ସ ପୃଥକ୍ ଭାବେ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିବା ପାଇଁ ଜମା ହୋଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ଉପୁଜି ଥିଲା।  ଏନେଇ ନର୍ସଙ୍କ ଧାରଣା ଜାରି ରହିଛି। ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି।

  • ଅଦାନୀ ବନ୍ଦର ବିରୋଧରେ ଭୟଙ୍କର ଆନ୍ଦୋଳନ

    କେରଳ ରେ ମତ୍ସ୍ୟଜୀବୀଙ୍କ ଆନ୍ଦୋଳନ l ଭିଜିଞ୍ଜାମରେ ଚାଲିଥିବା ଆଦାନୀ ବନ୍ଦର ପ୍ରକଳ୍ପ ବିରୋଧରେ କେରଳର ଥିରୁବନନ୍ତପୁରମରେ ମତ୍ସ୍ୟଜୀବୀମାନେ ଆଜି ଦ୍ଵିତୀୟ ଦିନ ପାଇଁ ବିରୋଧ କରିଛନ୍ତି। ସେମାନେ ସମୁଦ୍ରର କ୍ଷୟ ପାଇଁ ପୁନର୍ବାସ ଏବଂ ସ୍ଥାୟୀ ସମାଧାନ ପାଇଁ ଦାବି କରୁଥିବାବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାପରେ ଶହ ଶହ ଏକର ଉପକୂଳବର୍ତ୍ତୀ ଜମି ନଷ୍ଟ ହୋଇଯାଇଥିବା ଅଭିଯୋଗ କରି ଭୟଙ୍କର ଆନ୍ଦୋଳନ କରିଛନ୍ତି l

  • ପୁଣି ହୋଇପାରେ ବଡ ଧରଣର କୃଷକ ଆନ୍ଦୋଳନ

    ପୁଣି ହୋଇପାରେ ବଡ ଧରଣର କୃଷକ ଆନ୍ଦୋଳନ। ସରକାର ପୂର୍ବ ପ୍ରତିଶ୍ରୁତି ପୁରଣ କରିବାରେ ଅବହେଳା କରିଥିବାରୁ ପୁଣି ସରକାର ବିରୋଧୀ ସ୍ୱର ଶାଣିତ କରି ଏକାଠି ହେବାକୁ ଯାଉଛନ୍ତି ଚାଷୀ ସଂଗଠନ । ଦିଲ୍ଲୀ ଜନ୍ତରମନ୍ତରରେ ଏମଏସପି, ଲକ୍ଷ୍ମୀମପୁର ଖେରୀ ହିଂସା ପ୍ରସଙ୍ଗ ଏବଂ ଅଗ୍ନିପଥ ଯୋଜନାକୁ ନେଇ ଆନ୍ଦୋଳନ ହେବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଜଣାପଡିଛି। ବିଭିନ୍ନ ପର୍ଯ୍ୟାୟରେ ଏହି ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ତେବେ ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକରେ ନିଷ୍ପତି ନିଆଯାଇଛି ଯେ କୌଣସି ରାଜନୈତିକ ଦଳକୁ ଏହାସହ ସାମିଲ କରାଯିବ ନାହିଁ। ସମ୍ପୂର୍ଣ୍ଣ ଭାବେ ଅଣରାଜନୈତିକ ଆନ୍ଦୋଳନ ଆରମ୍ଭ ହେବ ।

    ପୁଣି ଦେଶରେ ଆରମ୍ଭ ହେବ ଆଉ ଏକ ଚାଷୀ ଆନ୍ଦୋଳନ । ତିନି କୃଷି ଆଇନ ପ୍ରତ୍ୟାହାର ପାଇଁ ଚାଷୀ ସଂଗଠନ ଯେଉଁ ଲଢେଇ କରିଥିଲେ ସେ ଲଢେଇର ଦ୍ବିତୀୟ ପର୍ଯ୍ୟାୟ ଆଗାମୀ ୧୮ ତାରିଖରୁ ପୁଣି ଆରମ୍ଭ ହେବାକୁ ଯାଉଛି । ହୁଏତ ଆନ୍ଦୋଳନର ପୂର୍ବ ରୂପ ପରିବର୍ତ୍ତନ ହୋଇପାରେ। କିନ୍ତୁ ଆନ୍ଦୋଳନର ଉଦେଶ୍ୟ ପୂର୍ବବତ ରହିବ ବୋଲି ଚାଷୀ ନେତା କହିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଅନ୍ୟାନ୍ୟ ଚାଷୀ ସଂଗଠନ ପକ୍ଷରୁ ଯେଉଁ ବିରୋଧ ଚାଲିଥିଲା, ତାହା ଦେଶର ଦୀର୍ଘତମ ଅନ୍ଦୋଳନ କୁହାଯାଇପାରେ। ଚାଷୀଙ୍କ ବିରୋଧ ଏତେ ତୀବ୍ର ଥିଲା ଯେ ବାଧ୍ୟ ହୋଇ କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର କରିଥିଲେ ।

    ତେବେ ଚାଷୀ ସଂଗଠନର ସେ ଶକ୍ତି ଅଛି କି ନାହିଁ ସେ ଆଶଙ୍କା ପ୍ରକାଶ ପାଇଛି । ଯେହେତୁ ଚାଷୀ ଆନ୍ଦୋଳନର ପାୱାର ହାଉସ କୁହାଯାଉଥିବା ପଞ୍ଜାବର ରାଜନୈତିକ ଦୃଶ୍ୟପଟ୍ଟ ବଦଳିଛି ତେଣୁ ଏହା ଆଗାମୀ ଆନ୍ଦୋଳନକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପଟେ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ମଧ୍ୟ ବିଭାଜିତ ସଂଗଠନରେ ପରିଣତ ହୋଇଯାଇଛି । ଗୋଟିଏ ପଟେ କୃଷକ ରାସ୍ତାରେ ଆନ୍ଦୋଳନ କରୁଥିବା ବେଳେ ସରକାରଙ୍କ ସହ ଆଲୋଚନା ପାଇଁ ପ୍ରୟାସ ହେଉଥିଲା ଅନ୍ୟପଟେ କୃଷକ ଆନ୍ଦୋଳନରେ ଜଡିତ କିଛି ନେତା ଚିଠି ଲେଖି ପୃଥକ ଭାବରେ ଆଲୋଚନା କରୁଥିଲେ।

    ସଂଗଠନକୁ ସରକାର ଭାଗ ଭାଗ କରି ଦୁର୍ବଳ କରିବାକୁ ଚାହୁଁଥିଲେ, ଆଉ ସଂଗଠନର କିଛି ସଦସ୍ୟ ସେଥିରେ ସହଯୋଗ କରିବା ଭଳି ଘଟଣା ସାମ୍ନାକୁ ଆସିଥିଲା । ଏପରିକି ପରେ ଅନେକ ଚାଷୀ ନେତା ରାଜନୈତିକ ମୈଦାନକୁ ଓହ୍ଲାଇ ତାଙ୍କ ରାଜନୈତିକ ମହତ୍ବାକାଂକ୍ଷା ପୂରଣ କରିଥିଲେ। ଫଳରେ ଚାଷୀ ସଂଗଠନ ବଦନାମ ହୋଇଥିଲା, ଚାଷୀ ଆନ୍ଦୋଳନକୁ ରାଜନୈତିକ ରୂପରଙ୍ଗ ଦିଆଯାଇଥିଲା । ଯାହା ଏଥର କିଭଳି ନ ହେବ ସେଥିପ୍ରତି ଗୁରୁତ୍ବ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ସେଥିପାଇଁ ଭିନ୍ନ ଗୋଷ୍ଠୀ ଭିନ୍ନ ପ୍ରକାରେ ଆନ୍ଦେଳନକୁ ଓହ୍ଲାଇବାର ସମ୍ଭାବନା ରହୁଛି ।

    ତିନି କୃଷି ଆଇନ ପ୍ରତ୍ୟାହାର ହେବା ମୂଳ ଦାବି ଥିଲା । କିନ୍ତୁ ବଡ କଥା ଥିଲା ଏମଏସପିକୁ ଆଇନସିଦ୍ଧ କରିବା । ଯେଉଁଥିପାଇଁ କମିଟି ଗଠନ କରି ତର୍ଜମା କରିବା କଥା କୁହାଯାଇଥିଲେ ମଧ୍ୟ ସେ କାମ ଟିକିଏ ମଧ୍ୟ ଆଗକୁ ବଢିନାହିଁ । ଅନ୍ୟପଟେ ଚାଷୀ ଆନ୍ଦୋଳନ ବେଳେ ଯେଉଁ ମାମଲା ଆନ୍ଦୋଳନକାରୀଙ୍କ ନାମରେ ହୋଇଥିଲା ତାକୁ ମଧ୍ୟ ସରକାର ଏଯାଏଁ ପ୍ରତ୍ୟାହାର କରିନାହାଁନ୍ତି । ତା ସହ ଲକ୍ଷ୍ମୀମପୁର ଖେରୀ ଭଳି ଅମାନବୀୟ ଘଟଣା ସତ୍ତ୍ବେ ଅଜୟ ମିଶ୍ରା ଟେନୀଙ୍କୁ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ପଦରୁ ବାଦ ଦିଆଗଲାନି ।

    ତେଣୁ ଚାଷୀ ଆନ୍ଦୋଳନ ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ କହିଛି ଚାଷୀ ସଂଗଠନ । ତା ସହ ଅଗ୍ନିବୀର ଭଳି ଯୋଜନା ଆଣି ଯୁବକମାନଙ୍କୁ ନିରାଶ କରିଥିବା ସରକାରଙ୍କ ଆଭିମୁଖ୍ୟ ବିରୋଧରେ ମଧ୍ୟ ଚାଷୀ ସଂଗଠନ ଲଢିବ ବୋଲି ସ୍ଥିର କରିଛି । ସେଥିପାଇଁ ଜୟ ଜୱାନ୍ ଜୟ କିଷାନ ନାରା ଦେଇ ଚାଷୀ ସଂଗଠନ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଛି ।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
  • ସେ ଆମ ଦଳର କର୍ମୀ, ସେ ମୋ କାର ରେ ଯିବେ…ଦେଖନ୍ତୁ ପ୍ରିୟଙ୍କା ଗାନ୍ଧୀ ଙ୍କ ଏହି ଭିଡ଼ିଓ

    ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା । ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। RPF , GRP ହାଇଆଲର୍ଟରେ ରହି ହିଂସା ସୃଷ୍ଟିକାରୀଙ୍କ ଉପରେ ନଜର ରଖିଛନ୍ତି l ସେପଟେ କ୍ରମାଗତ ଚତୁର୍ଥ ଦିନ ପାଇଁ କଂଗ୍ରେସ କର୍ମୀମାନେ ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲଙ୍କ ବିରୋଧରେ ଇଡି ଯାଞ୍ଚକୁ ବିରୋଧ କରି ଦେଶ ର ବିଭିର୍ଣ୍ଣ ସ୍ଥାନ ରେ ବିରୋଧ ପ୍ରଦର୍ଶନ କରୁଛନ୍ତି l ଏହି ସମୟ ରେ ଆଜି ଦେଖିବାକୁ ମିଳିଛି ଏକ ନିଆରା ଚିତ୍ର l ସାଧାରଣରେ ବଡ ବଡ ନେତା ଏସି ଗାଡି ରେ ପ୍ରତିବାଦ ସ୍ଥଳ କୁ ଯିବାବେଳେ ସାଧାରଣ କର୍ମୀ ଚାଲି ଚାଲି ରାଜରାସ୍ତା ରେ ବିରୋଧ କରିଥାନ୍ତି l

    ଆଜି କିନ୍ତୁ ଚିତ୍ର ଥିଲା ଭିର୍ଣ୍ଣ l କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ଜନ୍ତରମନ୍ତର ଆଡକୁ ଯାଉଥିବାବେଳେ ସେ ରାହୁଲ ଗାନ୍ଧୀଙ୍କ ସମର୍ଥକଙ୍କୁ ଚାଲି ଚାଲି ଯାଉଥିବାର ଦେଖି କର୍ମୀ ଙ୍କୁ ନିଜ କାରରେ ବସିବାକୁ କହିଲେ ଓ ସାଙ୍ଗରେ ନେଇ ଜନ୍ତରମନ୍ତର ଅଭିମୁଖେ ଯାତ୍ରା କଲେ l

    • ଅଭିଷେକ ପୁରୋହିତଙ୍କ ରିପୋର୍ଟ
Back to top button