ମନ କି ବାତରେ ଇମରଜେନ୍ସି

Spread the love

ଆଜି ପ୍ରଧାନମନ୍ତ୍ରୀଙ୍କ ୯୦ ତମ ମନ୍‌କି ବାତ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିଲା ୪୭ ବର୍ଷ ତଳେ ଦେଶରେ ଲାଗୁ ହୋଇଥିବା ଇମରଜେନ୍ସି। ଯୁବପିଢିଙ୍କୁ ସମ୍ୱୋଧିତ କରିବା ବେଳେ ମୋଦି ଯୁବପିଢିଙ୍କୁ ଜଣାଇଥିଲେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ବେଳେ କିପରି ହୋଇଥିଲା ସାଧାରଣ ଜନତାଙ୍କ ମାନବାଧିକାର କ୍ଷୁର୍ଣ୍ଣ। କିପରି ଯୁବକ ଯୁବତୀଙ୍କ ପିତାମାତା ସେମାନଙ୍କ ବୟସରେ ଥିବା ବେଳେ ସେମାନଙ୍କ ଅଧିକାର ଛଡାଇ ଦିଆଯାଇଥିଲା। ଆସନ୍ତୁ ଦେଖିବା ଏହି ରିପୋର୍ଟରେ।

ମନ୍‌କି ବାତରେ ୪୭ ବର୍ଷ ପୁରୁଣା କଳଙ୍କିତ ଅଧ୍ୟାୟର ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ।କିପରି ଲୋକଙ୍କ ଅଧିକାର ଛଡାଇ ନିଆଯାଇଥିଲା? ୧୯୭୫ରେ ଲୋକତନ୍ତ୍ରର ସଂହାର ପାଇଁ ହୋଇଥିଲା ପ୍ରଚେଷ୍ଟା। କିନ୍ତୁ ଲୋକେ ଲୋକତନ୍ତ୍ର ଉପରୁ ହରାଇ ନ ଥିଲେ ବିଶ୍ୱାସ। ଶେଷରେ ବିଜୟ ହେଲା ଲୋକତନ୍ତ୍ରର। ଗଣତାନ୍ତ୍ରିତ ଉପାୟରେ ପରାଜିତ ହେଲା ଏକଛତ୍ରବାଦ। ୪୭ ବର୍ଷ ପୂର୍ବେ ଦେଶରେ ଇନ୍ଦିରା ଗାନ୍ଧୀ ସରକାର ଦ୍ବାରା ଜାରି ଜରୁରୀ ପରିସ୍ଥିତିକୁ ଭାରତୀୟ ଇତିହାସର କଳଙ୍କିତ ଅଧ୍ୟାୟ କହିଛନ୍ତି ମୋଦି। ଦେଶରେ  ୨୫ ଜୁନ ୧୯୭୫କୁ ଇନ୍ଦିରା ସରକାର ଜାରି କରିଥିଲେ ଇମରଜେନ୍ସି। ଯାହା ୨୧ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଜାରି ରହିଥିଲା। ମୋଦି କହିଥିଲେ,  ଇମରଜେନ୍ସିରେ ଲୋକଙ୍କ ସମସ୍ତ ଅଧିକାର ସେମାନଙ୍କଠାରୁ ଛଡାଇ ନିଆଯାଇଥିଲା।  ଛିନ୍ନ ଅଧିକାର ମଧ୍ୟରେ ସମ୍ୱିଧାନର ଧାରା ୨୧ ଅନ୍ତର୍ଗତ ନାଗରିକଙ୍କୁ ଦିଆଯାଇଥିବା ବ୍ୟକ୍ତି ସ୍ବାଧୀନତା ଅଧିକାର ମଧ୍ୟ ସାମିଲ ଥିଲା। ସେହି ସମୟରେ ଇନ୍ଦିରା ଦେଶର ଲୋକତନ୍ତ୍ରର ଗଳା ଚାପି ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଦେଶର ଅଦାଲତ, ସମସ୍ତ ସାମ୍ୱିଧାନିକ ସଂସ୍ଥା, ଗଣମାଧ୍ୟମ ସବୁକୁ ସରକାର ନିଜ ଅକ୍ତିଆରକୁ  ନେଇଯାଇଥିଲା ବୋଲି କହିଛନ୍ତି ମୋଦି।

 ମୋଦି ଆହୁରି କହିଛନ୍ତି ଯେ , ମୋତେ ଭଲଭାବେ ମନେ ଅଛି,  ଯେତେବେଳେ ପ୍ରସିଦ୍ଧ ଗାୟକ କିଶୋର କୁମାର ଜୀ ସରକାରର ଏହି ଦମନକାର୍ଯ୍ୟକୁ ପ୍ରଶଂସା କରିବାକୁ ମନା କରିଦେଇଥିଲେ। ଏହା ପରେ ତାଙ୍କ ଉପରେ ଲାଗିଥିଲା ସେନ୍‌ସର। ରେଡିଓରେ ତାଙ୍କ ଆଗମନକୁ ମନା କରାଯାଇଥିଲା। ହଜାର ହଜାର ସଂଖ୍ୟାରେ ନାଗରିକଙ୍କୁ ସରକାରର କାର୍ଯ୍ୟକୁ ବିରୋଧ କରିବାକୁ ନେଇ ଗିରଫ କରାଯାଇଥିଲା। ଲୋକଙ୍କ ଉପରେ ନାନା ଯାତନା ଦିଆଯାଇଥିଲା। କିନ୍ତୁ ସରକାରର ତାଡନାରେ ଡରି ଯାଇନଥିଲେ ଦେଶବାସୀ। ଗଣତନ୍ତ୍ର ଉପରୁ ଲୋକଙ୍କ ବିଶ୍ୱାସ ହ୍ରାସ ପାଇନଥିଲା। ଭାରତବାସୀ ଗଣତାନ୍ତ୍ରିକ ଉପାୟରେ ଇନ୍ଦିରାଙ୍କ ଶୃଙ୍ଖଳକୁ କାଟିବାରେ ସକ୍ଷମ ହୋଇଥିଲେ। ଗଣତାନ୍ତ୍ରିକ ପଥରେ ଏକଛତ୍ରବାଦ ମାନସିକତାକୁ ମାତ ଦେଇ ସାରା ବିଶ୍ୱରେ ସୃଷ୍ଟି କରିଥିଲେ ଉଦାହରଣ। ସେହି ସମୟର ସ୍ମୃତିଚାରଣ କରୁ କରୁ ମୋଦି କହିଛନ୍ତି, ଇମରଜେନ୍ସି ସମୟରେ ମୋତେ ମଧ୍ୟ ଦେଶବାସୀଙ୍କ ସଂଘର୍ଷର ସାକ୍ଷୀ ହେବାର ଓ ସେଥିରେ ଭାଗ ନେବାର ସୌଭାଗ୍ୟ ପ୍ରାପ୍ତ ହୋଇଛି। ଆଜି ଦେଶ ସ୍ୱାଧୀନତାର ୭୫ ତମ ବାର୍ଷିକ ପାଳନ କରୁଥିବା ବେଳେ ଆମକୁ ଜରୁରୀ ପରିସ୍ଥିତିର ସେହି କଳା ଅଧ୍ୟାୟକୁ ଭୁଲିବା ଉଚିତ ନୁହେଁ କି ଆମର ପରବର୍ତ୍ତୀ ପିଢିଙ୍କ ଠାରୁ ଏହାକୁ ଲୁଚାଇବା ଉଚିତ୍ ନୁହେଁ। ଏହା ମାଧ୍ୟମରେ ଯୁବପିଢି ଲୋକତନ୍ତ୍ରର ବଳିଷ୍ଠ ଶକ୍ତି ହୃଦବୋଧ କରିବା ସହ ଏହି ଭାବନାକୁ ଦୃଢିଭୂତ କରିବାରେ ସକ୍ଷମ ହୋଇ ପାରିବେ। ସମ୍ବିଧାନରେ ପ୍ରଦତ୍ତ ମୂଲ୍ୟବୋଧ ଅନୁରୂପ ଜୀବନ  ଜୀଇଁବାକୁ ପ୍ରତିଶ୍ରୁତିବଦ୍ଧ ହେବେ ବୋଲି କହିଛନ୍ତି ମୋଦି।

ତେବେ ପ୍ରଧାନମନ୍ତ୍ରୀ ଆଜିର ମନ୍‌କି ବାତ୍‌ରେ ଇମରଜେନ୍ସିର କଳା ଇତିହାସକୁ ବଖାଣିଥିଲେ। ଆଜି କଥା କଥାରେ ସମ୍ବିଧାନ, ଗଣତନ୍ତ୍ରର କ୍ଷୁର୍ଣ୍ଣ ହେଉଥିବା ନେଇ ଅଭିଯୋଗ କରୁଥିବା କଂଗ୍ରେସକୁ ତାର ଇତିହାସ ସ୍ମରଣ କରାଇଥିଲେ ମୋଦି।

Leave a Reply

Your email address will not be published. Required fields are marked *