ରାଜସ୍ଥାନର ଅମଲାତନ୍ତ୍ରରେ ହଇଚଇ

ଜୟପୁର: ରାଜସ୍ଥାନର ଅମଲାତନ୍ତ୍ରରେ ବୁଧବାର ଆସିଛି ହଇଚଇ। ଜଣେ ବରିଷ୍ଠ ଆଇଏଏସ ଅଧିକାରୀଙ୍କ ବିରୋଧରେ ଜଣେ ଆରଏଏସ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ଅଧିକାରୀ ତାଙ୍କୁ ଉତ୍ପୀଡନ କରିଥିବା ସହ ସେକ୍ସ ରାକେଟ ଚଳାଇଥିବା ଅଭିଯୋଗ ହୋଇଛି। ତେବେ ମହିଳା ଅଧିକାରୀଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବରିଷ୍ଠ ଅଧିକାରୀ।

ରାଜ୍ୟର ଚର୍ଚ୍ଚିତ ଆଇଏଏସ ଅଧିକାରୀ ପବନ ଅରୋରାଙ୍କ ଉପରେ ରାଜସ୍ଥାନ ପ୍ରଶାସନିକ ସେବା ଅଧିକାରୀ ପୂଜା ମଣି ଆଣିଛନ୍ତି ଗମ୍ଭୀର ଅଭିଯୋଗ । ପୂଜା ମଣି ଅଭିଯୋଗ କରିଛନ୍ତି କି, ଅରୋରା ସେକ୍ସ ରାକେଟ ଚଳାଉଛନ୍ତି ଓ ତାଙ୍କୁ ମଧ୍ୟ ଉତ୍ପୀଡନ କରିଛନ୍ତି। ପୂଜାଙ୍କ ଏପରି ଅଭିଯୋଗ ପରେ ରାଜ୍ୟର ଅମଲାତନ୍ତ୍ରରେ ଦେଖାଦେଇଛି ହଲଚଲ। ଖାଲି ଏତିକି ନୁହେଁ, ଅର୍ବାନ ବଡି  ମନ୍ତ୍ରୀ ଶାନ୍ତି ଧରିୱାଲା ଆଇଏଏସ ଅରୋରାଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ମଧ୍ୟ କରିଛନ୍ତି ପୂଜା।

ପୂଜା ମଣି! ରାଜସ୍ଥାନ ପ୍ରଶାସନିକ ସେବାର ଜଣେ ଅଧିକାରୀ। ସେ ଝାଲାଭାଡ ଜିଲ୍ଲାର ନଗର ପରିଷଦ କମିଶନର ଥିଲେ। ୯ ଜାନୁଆରୀରେ ତାଙ୍କୁ ନାଗୌର ନଗର ପରିଷଦ କମିଶନର ଭାବେ ବଦଳି କରାଯାଇଥିଲା। କିନ୍ତୁ ସେ ନୂତନ ପଦରେ ଯୋଗ ଦେବା ପୂର୍ବରୁ ସେହି ଆଦେଶରେ ସଂଶୋଧନ ଅଣାଯାଇ ତାଙ୍କୁ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।  ଆଦେଶରେ ପରିବର୍ତ୍ତନ ପରେ ପୂଜା ଅଭିଯୋଗ ଆଣିଥିବା ବେଳେ କିନ୍ତୁ ୧୦ ଜାନୁଆରୀରେ ତାଙ୍କୁ ଜୟପୁର ହେରିଟେଜ ନଗର ନିଗମର ଡେପୁଟି କମିଶନର ଭାବେ ନିଯୁକ୍ତ କରାଯାଇଛି।  

ଅନ୍ୟପଟେ ଆଇଏଏସ ପବନ ଅରୋରା ହେଉଛନ୍ତି ରାଜସ୍ଥାନର ଜଣେ ପ୍ରଭାବଶାଳୀ ଅଧିକାରୀ। ସେ  ଅର୍ବାନ ବଡିର ନିର୍ଦ୍ଦେଶକ ଥିଲେ ଓ ବର୍ତ୍ତମାନ ରାଜସ୍ଥାନ ହାଉସିଂ ବୋର୍ଡ କମିଶନର ଅଛନ୍ତି। ଖାଲି ଅରୋରାଙ୍କ ବିରୋଧରେ ନୁହେଁ, ଡିଏଲବି ଡାଇରେକ୍ଟର ହୃଦୟେଶ ଶର୍ମା ଓ ମୁଖ୍ୟ ମନ୍ତ୍ରୀ ଅଶୋକ ଗହଲୋତଙ୍କ ନିକଟତମ ମନ୍ତ୍ରୀ ଶାନ୍ତି ଧାରିବାଲାଙ୍କ ଉପରେ ଆଣିଛନ୍ତି ଗମ୍ଭୀର ଅଭିଯୋଗ। ପୂଜା କାନ୍ଦି କାନ୍ଦି ଏହି ସବୁ ରାଜନେତା  ଅରୋରାଙ୍କୁ ସୁରକ୍ଷା ଯୋଗାଉଥିବା ଅଭିଯୋଗ କରିଛନ୍ତି।

 ସେପଟେ ପୂଜାଙ୍କ ଅଭିଯୋଗ ପରେ ଅରୋରା କହିଛନ୍ତି, ଏହି ମହିଳାଙ୍କୁ ବାରମ୍ବାର ବିଭିନ୍ନ ବିଭାଗକୁ ବଦଳି କରାଯାଇଛି। ଯାହା ମାତ୍ର ବିଭାଗୀୟ ମାମଲା। ଏଥିରେ ମୁଁ କେଉଁଠୁ ମଝିରେ ଆସୁଛି?  ତାଙ୍କ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ । ଅରୋରା ଆହୁରି କହିଛନ୍ତି, ନା ମୁଁ ତାଙ୍କୁ ଜାଣିଛି, ନାହିଁ କେବେ ତାଙ୍କୁ ଫୋନ କରିଛି।   ଯଦି ସେ ଭାବୁଛନ୍ତି ତାଙ୍କ ବଦଳି ମୁଁ କରାଉଛି,  ସେଥିରେ ମୁଁ କଣ କରି ପାରିବି?

ତେବେ ପରବର୍ତ୍ତୀ ସମୟରେ ଏହି ଅଧିକାରୀଙ୍କ ବିବାଦ କେଉଁ ରୂପ ନେବ ତାହା ଦେଖିବାକୁ ବାକି ରହିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *