ଓଡ଼ିଶା

ଆଜି ରେଖାପଞ୍ଚମୀ

ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖାପଞ୍ଚମୀ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା। ଏହା ଏକ ଗୁପ୍ତନୀତି ହୋଇଥିବାରୁ ଅପରାହ୍ନ ୨ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି ରାହୁରେଖାକୁ ଚତୁଃର୍ଦ୍ଧାମୂର୍ତ୍ତୀଙ୍କୁ ଲାଗି କରାଯିବ। ମହାପ୍ରଭୁଙ୍କ ଏହା ଏକ ଗୁପ୍ତନୀତି ହୋଇଥିବାରୁ ଦଇତାପତି ସେବାୟତମାନେ ଗୋଷ୍ଠୀଗତ ଭାବେ ଏହି ନୀତିକୁ ନିଷ୍ଠାର ସହ ସମ୍ପାଦନ କରିବେ। ପ୍ରଥମ ଭୋଗମଣ୍ଡପ ସରିବା ପରେ ରାହୁରେଖା ଲାଗି ନୀତି ଆରମ୍ଭ ହେବ। ତେବେ ସ୍ନାନ ପୂର୍ଣ୍ଣୀମା ଦିନ ୧୦୮ ଗରା ଜଳରେ ସ୍ନାନ କରି ଥଣ୍ଡା ଜ୍ୱରରେ ପିଡୀତ ହେବା ପରେ ଶ୍ରୀଜିଉଙ୍କ ଶ୍ରୀମୁଖରୁ ରାହୁରେଖାକୁ କାଢି ଦିଆଯାଇଥିଲା। ତେବେ ପୁନର୍ବାର ଆଜି ଦେଉଳକରଣ,ତଢଉ କରଣ,ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ଭଣ୍ଡାର ଘରୁ ରାହୁରେଖାକୁ କଢାଯିବ। ପ୍ରଥମ ଭୋଗମଣ୍ଡପ ସରିବା ପରେ ପୁଷ୍ପାଳକ ସେବାୟତ ଝୋବାକଣ୍ଠି,ମଇଲମ କରିବା ସହ ମହାଜନ ସେବାୟତ ମାନେ ଭୂଦେବୀ ଏବଂ ଶ୍ରୀଦେବୀଙ୍କୁ ଖଟଶେଜ ଘରେ ବିରାଜମାନ କରାଇବେ। ଏହାପରେ ପତିମହାପାତ୍ର ସେବାୟତ ଏହି ରାହୁରେଖାକୁ ସଂସ୍କାର କରିସାରିବା ପରେ ୪ ବାଡର ବାଡଗ୍ରାହୀ ଓଷୁଅ ଏବଂ କନା ଦ୍ୱାରା ଚତୁଃର୍ଦ୍ଧାମୂର୍ତ୍ତୀଙ୍କ ଶ୍ରୀମୁଖରେ ରାହୁରେଖାକୁ ଲାଗି କରାଇବେ। ରାହୁରେଖା ନୀତି ସମାପ୍ତ ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।

Leave a Reply

Your email address will not be published.

Back to top button