ଅଭିଯୋଗ ପରେ ଭାରତୀୟ ଆଇ ଡ୍ରପ ଉତ୍ପାଦ ବନ୍ଦ କଲା ସିଡିଏସସିଓ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ବା ସିଡିଏସସିଓ ଭାରତୀୟ ଆଇ ଡ୍ରପ ଉତ୍ପାଦନକୁ ସସ୍ପେଣ୍ଡ କରିଛନ୍ତି। ଆମେରିକାରେ ଏହି ଆଇ ଡ୍ରପର ୫୫ ନକାରାତ୍ମକ ମାମଲା ଆସିବା ପରେ ଆମେରିକୀୟ ଖାଦ୍ୟ ଓ ଡ୍ରଗ୍ସ ପ୍ରଶାସନ ବା ଏଫଡିଏ ଅଭିଯୋଗ ଆଣିଥିଲା। ସିଡିଏସସିଓ ଏଫଡିଏ ଅଭିଯୋଗ ଆଧାରରେ ଏହା ଉପରେ ଆରମ୍ଭ କରିଛି ତଦନ୍ତ। ତଦନ୍ତକାରୀ ଏଜେନ୍ସି ଉଭୟ ଦେଶରେ ଏହି ଔଷଧ ଉପରେ ତଦନ୍ତ କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏହି ଔଷଧ ଏକ ଚେନ୍ନାଇ ବେସ କମ୍ପାନୀ ଗ୍ଲୋବାଲ ଫାର୍ମା ପ୍ରାଇଭେଟ ହେଲ୍ଥକେୟାର ଲିମିଟେଡ ଦ୍ବାରା ପ୍ରସ୍ତୁତ ହେଉଛି।

ଆମେରିକାରେ ଭାରତୀୟ ଆଇ ଡ୍ରପ ଜନିତ ସମସ୍ୟା ଆସିବା ପରେ ଏଫଡିଏ ଲୋକଙ୍କୁ ଏଜିକେୟାର ଅଟିଫିସିଆଲ ଟିୟର୍ସ ବା ଡେଲସାମ ଫାର୍ମାର ଆର୍ଟିଫିସିଆଲ ଟିୟର୍ସରେ ଜୀବାଣି ସଂକ୍ରମଣ ହେଉଥିବାରୁ ସେସବୁକୁ ନ କିଣିବାକୁ ଓ ବ୍ୟବହାର ନ କରିବାକୁ ଚେତାଇ ଦେଇଛି। ଏହି ସଂକ୍ରମଣ ଦ୍ବାରା ଆଖିରେ ସଂକ୍ରମଣ ହେବା ସହ ଏହା ଅନ୍ଧତ୍ବ ବା ମୃତ୍ୟୁର କାରଣ ହୋଇପାରେ ବୋଲି କୁହାଯାଇଛି।

ସେପଟେ ଏହି ଅଭିଯୋଗ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ସିଡିଏସସିଓ ଓ ତାମିଲନାଡୁ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ବା ଏସଡିସି ଏହା ଉପରେ ଯାଞ୍ଚ କରିବା ଆରମ୍ଭ କରି ଦେଇଛନ୍ତି। ତେବେ ଭାରତରେ ଏହି ଔଷଧ ବିକ୍ରି ହେଉନଥିବା ବେଳେ ଏହା କେବଳ ଆମେରିକା ବଜାର ପାଇଁ ଉତ୍ପାଦିତ ହେଉଛି ଓ ଅନ୍ୟମାନଙ୍କ ଦ୍ବାରା ସେଠା ବଜାରକୁ ଛାଡାଯାଉଥିବା କୁହାଯାଇଛି।

ହେଲେ ଏହି ଔଷଧର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଜଣାପଡିବା ପରେ ଏଫଡିଏ ଏହାର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏଫଡିଏର ଘୋଷଣା ପରେ ଗ୍ଲୋବାଲ ଫାର୍ମା ଗ୍ରାହକଙ୍କ ସ୍ତରରୁ ଏହି ଔଷଧ ଫେରାଇ ନେବାକୁ ପଦକ୍ଷେପ ନେଇଛି।  ସେପଟେ ଏଫଡିଏ ଆହୁରି କହିଛନ୍ତି କି,  ବର୍ତ୍ତମାନ କମ୍ପାନୀ ଉତ୍ପାଦନ ନିୟମ ଉଲ୍ଲଙ୍ଘନ କରୁଛି। ଏହାର ସଠିକ ମାଇକ୍ରୋବାଇଏଲ ଟେଷ୍ଟ କରାଯାଉନାହିଁ। ଔଷଧର ପ୍ୟାକେଜିଂ ପ୍ରତି ଧ୍ୟାନ ଦିଆଯାଉନାହିଁ ବୋଲି କୁହାଯାଇଛି।

ଏହା ପୂର୍ବରୁ ଭାରତରେ ନିର୍ମିତ କଫ ସିରଫ ଦ୍ବାରା ଘାନା, ଜାମ୍ବିଆ, ଉଜବେକିସ୍ତାନରେ ବହୁ ଲୋକଙ୍କ ମୃତ୍ୟୁ ହୋଇଥିଲା। ତେଣୁ ଏହି କଫସିରଫ ସବୁକୁ ଡବ୍ଲୁଏଚଓ ବ୍ଲାକ ଲିଷ୍ଟ କରିବା ସହ ସେସବୁର ବିକ୍ରୟ, ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *