ଦୀପାବଳି ରାତିରେ ଅଗ୍ନିଶମ ବିଭାଗକୁ ମିଳିଛି ୨୦୧ଟି କଲ

Spread the love

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାଣ ବ୍ୟାନ ହୋଇଛି। ବାଣ ଫୁଟାଇଲେ, ରଖିଲେ, ବିକିଲେ ଜରିମାନା ରହିଛି। କିନ୍ତୁ ଦୀପାବଳି କାଳରେ ବାଣ ଫୁଟାଇବାକୁ ନେଇ ଘଟିଥିବା ଅଘଟଣ ପାଇଁ ଅଗ୍ନିଶମ ବାହିନୀକୁ ମିଳିଛି ୨୦୧ଟି କଲ। ଦିଲ୍ଲୀରେ ଦୀପାବଳି ପାଳନ ଅବସରରେ ୨୦୧ ଅଗ୍ନିକାଣ୍ଡ ଘଟିଥିବା ଦିଲ୍ଲୀ ଅଗ୍ନିଶମ ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି।

ଦୀପାବଳିକୁ ନେଇ ଅଗ୍ନିଶମ ବାହିନୀ ସଜାଗ ଥିବା କହିଛନ୍ତି ଦିଲ୍ଲୀ ଅଗ୍ନିଶମ ନିର୍ଦ୍ଦେଶକ। ବିଭାଗ ପକ୍ଷରୁ ଉଚ୍ଚ ଅଟ୍ଟାଳିକାରେ ନିଆଁକୁ ଆୟତ୍ତ କରିବାକୁ ଡ୍ରୋନ ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ସଂକୀର୍ଣ୍ଣାଞ୍ଚଳରେ ଅଗ୍ନିଶମ ଗାଡି ମହଜୁଦ କରାଯାଇଥିଲା। ତେବେ ଗ୍ରେଟର ନଏଡାର ଏକ ସୋସାଇଟି ଆପାର୍ଟମେଣ୍ଟରେ ନିଆଁ ଲାଗିଥିଲା ସଂଧ୍ୟାରେ।

ବିଶ୍ରଖ ଥାନା ଅଧୀନରେ ଥିବା ବେଦାନ୍ତମ ସୋସାଇଟିର ଏକ ଫ୍ଲାଟରେ ନିଆଁ ଲାଗିଯାଇଥିବା ପୁଲିସ ସୂଚନା ଦେଇଛି। ତେବେ ଅଗ୍ନିଶମ ବାହିନୀ ବଡ ଧରଣ ଅଘଟଣକୁ ଏଡାଇବାରେ ସକ୍ଷମ ହୋଇଥିଲା। ରାତି ପ୍ରାୟ ୧୦ଟାରେ ଅଗ୍ନିଶମ ବାହିନୀକୁ ବେଦାନ୍ତମ ସୋସାଇଟିର ଏକ କୋଠାର ୧୭ ମହଲାରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଥିଲା। ନିଆଁ ୧୮ ମହଲାକୁ ମଧ୍ୟ ବ୍ୟାପିଯାଇଥିଲା। ଅଗ୍ନିଶମବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲା।

ସେହିପରି ଦୀପାବଳି ରାତିରେ ଅଗ୍ନିଶମ ବାହିନୀ ନିକଟକୁ ୨୦୧ଟି ଅଗ୍ନିକାଣ୍ଡ ଜନିତ ଫୋନ ଆସିଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ନିର୍ଦ୍ଦେଶକ। ତେବେ ସୌଭାଗ୍ୟକୁ କାହାର ଜୀବନ ହାନୀ ହୋଇନ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *