Spread the love
ଅପରେସନ ଟ୍ରାଇଡେଣ୍ଟକୁ ମନେପକାଇଲେ ନୌସେନା ମୁଖ୍ୟ
() ଆଜି ନୌସେନା ଦିବସ। ୧୯୭୧ ଭାରତ ପାକ ଯୁଦ୍ଧରେ ନୌସେନାର ପରାକ୍ରମ ତଥା ସହିଦ ଯବାନଙ୍କ ବଳିଦାନକୁ ମନେ ପକାଉଛି ଦେଶ। ଏହି ଅବସରରେ ତିନି ସେନାର ମୁଖ୍ୟ  ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି। ନୌସେନା ଦିବସ ଅବସରରେ ସୂର୍ଯ୍ୟାସ୍ତ ପରେ ଏହି ୱିଙ୍ଗର କ୍ଷମତା ପ୍ରଦର୍ଶନ ହୋଇଛି ମନମୁଗ୍ଧକର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନୌସେନା ଦିବସରେ ନୌସେନାର ସଦସ୍ୟ ଓ ସେମାନଙ୍କ ପରିବାର ବର୍ଗଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ନୌସେନାର ଗରିମାମୟ ଇତିହାସକୁ ସ୍ମରଣ କରିଛନ୍ତି।
୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ନୌସେନାର ଉପଲବ୍ଧିକୁ ସ୍ମରଣ କରିବାକୁ ପ୍ରତିବର୍ଷ ଦେଶ ଆଜିର ଦିନରେ ପାଳିଆସୁଛି ନୌସେନା ଦିବସ। ୧୯୭୧ ଭାରତ ପାକ୍ ଯୁଦ୍ଧ ବେଳେ ନୌସେନା ତୁଲାଇଥିଲା ମୁଖ୍ୟ  ଓ ଗୁରୁତ୍ବପୂର୍ଣ୍ଣ ଭୂମିକା। ନୌସେନାର ଅପରେସନ ଟ୍ରାଇଡେଣ୍ଟ ଯୁଦ୍ଧର ଦିଗ ବଦଳାଇଦେଇ ଭାରତକୁ ଆଣି ଦେଇଥିଲା ବିଜୟର ଶ୍ରେୟ। ସେହି ସ୍ବର୍ଣ୍ଣିଭ ଇତିହାସକୁ ଆଜିର ଦିନରେ ଦେଶ ପାଳୁଛି ନୌସେନା ଦିବସ। ବିଗତ ଦୁଇ ବର୍ଷ ଧରି କରୋନା ମହାମାରୀ ପାଇଁ ନୌସେନା ଦିବସ ସମାରୋହ ହୋଇପାରି ନ ଥିବା ବେଳେ ଚଳିତ ବର୍ଷ ଏହି ଅବସରରେ ସିଡିଏସ  ଜେନେରାଲ ଅନିଲ ଚୌହାନ, ବାୟୁସେନା ପ୍ରମୁଖ ଏୟାର ଚିଫ ମାର୍ଶଲ ବି ଆର ଚୌହାନ ଓ ନୌସେନା ପ୍ରମୁଖ ଏଡମିରଲ ଆର ହରି କୁମାର ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। 
ଏହି ଅବସରରେ ତିନି ସେନା ଅଧିକାରୀଗଣ ଅପରେସନ ଟ୍ରାଇଡେଣ୍ଟ ଅନ୍ତର୍ଗତ ହୋଇଥିବା ଗୁଳିମାଡରେ କିପରି ପାକିସ୍ତାନର କରାଚି ବନ୍ଦରକୁ ଧୂଳିସାତ୍ କରାଯାଇଥିଲା ତାକୁ ସ୍ମରଣ ପୂର୍ବକ ସେନାର ରଣନୀତିକୁ ପ୍ରଶଂସା କରିଛନ୍ତି। ତେବେ ଆଜିର ନୌସେନା ଦିବସ ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀ ବାହାରେ ବିଶାଖାପଟନମ୍ ସମୁଦ୍ର ତଟରେ ପାଳିତ ହେଉଛି। ନୌସେନାଧ୍ୟକ୍ଷ ଏଡମିରଲ ଆର ହରି କୁମାରଙ୍କ ନେତୃତ୍ବରେ ନୌସେନା ଜାହାଜ, ପାଣ୍ଡୁବି ଓ ବିମାନର ସାମୁଦ୍ରିକ କ୍ଷମତା ଓ ବହୁମୁଖୀ ପ୍ରତିଭାର ପ୍ରଦର୍ଶନ କରିଛନ୍ତି। ତେବେ କଣ ଏହି ଅପରେସନ ଟ୍ରାଇଡେଣ୍ଟ, ଯାହାକୁ ଦେଶ ପ୍ରତିବର୍ଷ ଏତେ ଜାକଜମକରେ ପାଳନ କରି ଆସୁଛି? 
୧୯୭୧ ମସିହା।  ଭାରତ ପାକିସ୍ତାନ ଭିତରେ ଚାଲିଥିଲା ଘମାଘୋଟ ଲଢେଇ। ଆଉ ଏହି ଯୁଦ୍ଧ କାଳରେ ଭାରତୀୟ ନୌସେନା ଦ୍ବାରା ପାକ ବିରୋଧରେ ହୋଇଥିଲା ଅପରେସନ ଟ୍ରାଇଡେଣ୍ଟ, ଯାହା ଭାରତକୁ ଆଣିଦେଇଥିଲା ବିଜୟଶ୍ରୀ। ଯୁଦ୍ଧର ଘମାସାନ ଭିତରେ ୧୯୭୧ ଡିସେମ୍ବର ୩ ତାରିଖ ରାତିରେ ଭାରତୀୟ ନୌସେନାର ଏକ ଜାହାଜ ମୁମ୍ବାଇ ଛାଡିଥିଲା। କିନ୍ତୁ ଏହାକୁ ଆକ୍ରମଣ କରିବାକୁ ପାକିସ୍ତାନର ଏକ ପାଣ୍ଡୁବି ବା ବୁଡା ଜାହାଜ ପିଏନଏସ ହଙ୍ଗୋର ଅପେକ୍ଷା କରୁଥିଲା। ଏହି ପାଣ୍ଡୁବି ପାଣି ଭିତରେ ଭାରତୀୟ ସିପ୍‌ କୁ ଅପେକ୍ଷା କରୁଥିବା ବେଳେ  ହଠାତ୍ ଏହାର ଏୟାର କଣ୍ଡିସନରରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟ। 
ତେଣୁ ବାଧ୍ୟହୋଇ ପାଣ୍ଡୁବିକୁ ସମୁଦ୍ରର ଜଳସ୍ତର ଉପରକୁ ଆଣିବାକୁ ହୋଇଥିଲା। ଆଉ ଭାରତୀୟ ନୌସେନାକୁ ସନ୍ଦେହ ହୋଇଥିଲା କି ପାକିସ୍ତାନୀ ପାଣ୍ଡୁବି ଡିୟୁ ଉପକୂଳରେ ଚକ୍କର କାଟୁଛି। ଏହା ପରେ ନୌସେନା ମୁଖ୍ୟ ଏଡମିରଲ ଏସଏମ ନନ୍ଦାଙ୍କ ନେତୃତ୍ବରେ ଅପରେସନ ଟ୍ରାଇଡେଣ୍ଟର ଯୋଜନା ହୋଇଥିଲା। ଏହି ଯୋଜନା ଅନ୍ତର୍ଗତ ପାକ୍‌ ପାଣ୍ଡୁବିକୁ ଧ୍ବଂସ କରିବାର ଦାୟିତ୍ବ ଆଣ୍ଟି ସବମାରାଇନ ପ୍ରେଗେଟ ଆଇଏନଏସ ଖୁଖରୀ ଓ କୃପାଣକୁ ଦିଆଯାଇଥିଲା। ଏହି ଟାସ୍କର ଗୁରୁଭାର ଥିଲା ୨୫ତମ ସ୍କ୍ବାର୍ଡନ କମାଣ୍ଡର ବବରୁ ଭାନ ଯାଦବଙ୍କ କାନ୍ଧରେ। 
ଅପରେସନ ଟ୍ରାଇଡେଣ୍ଟ ଅନ୍ତର୍ଗତ ୪ ଡିସେମ୍ବର ୧୯୭୧କୁ ଭାରତୀୟ ନୌସେନା କରାଚୀ ନୌସେନା ଆଡ୍ଡା ଉପରେ ଆକ୍ରମଣ କରିଥିଲା। ଫଳରେ ସେଠାର ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ଜାହାଜ ସମେତ ବହୁ ଜାହାଜ  ଧ୍ବଂସ ହୋଇଯାଇଥିଲା। ଖାଲି ଏତିକି ନୁହେଁ ପାକିସ୍ତାନର ତୈଳ ଟ୍ୟାଙ୍କର ବି ନଷ୍ଟ ହୋଇଯାଇଥିଲା। ଭାରତୀୟ ନୌସେନାର ଯୁଦ୍ଧନୀତି ଅନେକ ପାକିସ୍ତାନୀ ଜାହାଜକୁ ବୁଡାଇବାରେ ସକ୍ଷମ ହୋଇଥିଲା। 
ଆଇଏନଏସ ବିକ୍ରାନ୍ତର ଡେକରୁ ଯୁଦ୍ଧ ବିମାନସବୁ ଚଟଗାଁଓ ଓ ଖୁଲନାରେ ବ୍ୟାପକ କ୍ଷତି କରିବା ସହ ଶତ୍ରୁପକ୍ଷର କରାଚି ପୋର୍ଟକୁ ନିଆଁର ପିଣ୍ଡୁଳାରେ ବଦଳାଇ ଦେଇଥିଲା। ବିକ୍ରାନ୍ତ ଡେକ ଉପରୁ ବିମାନ ଉଡାଣ ଭରି  ଆକାଶ ମାର୍ଗରୁ ମଧ୍ୟ ଆକ୍ରମଣ କରିଥିଲା। ଯେଉଁଥିରେ ପାକିସ୍ତାନ ସେନାର ବହୁ ଜାହାଜ, ରକ୍ଷା ସୁବିଧା ଓ ପ୍ରତିଷ୍ଠାନ ନଷ୍ଟ ହୋଇଯାଇଥିଲା। 
ବିକ୍ରାନ୍ତର ବାୟୁ କ୍ଷେତ୍ରରେ ଆକ୍ରମଣ କାରଣରୁ ପରାଜୟର ମୁହଁ ଦେଖିବାକୁ ହୋଇଥିଲା ପାକିସ୍ଥାନକୁ। କେତେ ଦିନ ଯାଏଁ କରାଚି ପୋର୍ଟରେ ତେଲରେ ଲାଗିଥିବା ନିଆଁ ଲିଭିବାର ନାଁ ନେଇ ନ ଥିଲା। ଏହି ଯୁଦ୍ଧରେ ଭାରତୀୟ ସେନା ମଧ୍ୟ ବହୁ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲା। ଭାରତୀୟ ନୌସେନାର ଆଇଏନଏସ ଖୁଖରୀ ବୁଡିଯାଇଥିଲା ସମୁଦ୍ର ଗର୍ଭରେ। ଯେଉଁଥିରେ ୧୮ ଅଧିକାରୀଙ୍କ ସମେତ ୧୭୪ ନାବିକ ସହିଦ ହୋଇଥିଲେ। 
ନୌସେନାର ପରାକ୍ରମ ଓ ବୀର ଯବାନଙ୍କ ବଳିଦାନକୁ ମନେ ପକାଇବାକୁ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ କରାଯାଉଛି। ଏହି ଅବସରରେ ଭାରତୀୟଙ୍କ ମଧ୍ୟରେ ସାମୁଦ୍ରିକ ଚେତନାକୁ ଉଜାଗର କରିବା ଓ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ନୌସେନାର ଯୋଗଦାନକୁ ମନେ ପକାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତି। ଚଳିତ ବର୍ଷ  ଭାରତୀୟ ସଶସ୍ତ୍ରବଳଗୁଡିକର ସର୍ବୋଚ୍ଚ କମାଣ୍ଡର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ବିଶିଷ୍ଠ ଅତିଥି ରୂପେ ଭାଗ ନେଇଛନ୍ତି। 
ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା କାଳରେ ନୌସେନା  ତାର ଶକ୍ତି ପ୍ରଦର୍ଶନ କରି ସାରା ଦୁନିଆକୁ ନିଜ କ୍ଷମତା ଜାହିର କରିଛି। ନୌସେନାର ଜାହାଜ, ପୋତ ଜାହାଜ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜର ଦମ ଦେଖାଇଛନ୍ତି। ନୌସେନାର ପୋତ, ପାଣ୍ଡୁବି, ବିମାନ, ସବୁ ସୂର୍ଯ୍ୟାସ୍ତ ପରେ ଚକିମିକି ଆଲୋକମାଳା ଭିତରେ ନିଜ କ୍ଷମତା ପ୍ରଦର୍ଶନ କରି ଆଖି ଝଲସାଇ ଦେଇଛନ୍ତି ଦୁନିଆର। ଦେଶର ପୂର୍ବ, ପଶ୍ଚିମ ଓ ଦକ୍ଷିଣ ନୌସେନାର ବିଶେଷ ବଳ ସବୁ ମଧ୍ୟ ନିଜ ନିଜର କ୍ଷମତା ଓ ବହୁମୁଖୀ ପ୍ରତିଭା ପ୍ରଦର୍ଶନ କରିଛନ୍ତି। 

Leave a Reply

Your email address will not be published. Required fields are marked *