ସଫଳ ରାଜନେତା ମୁଲାୟମଙ୍କ ପାରିବାରିକ ଜୀବନ କନ୍ଦଳପୂର୍ଣ୍ଣ

Spread the love

() ଜଣେ ସଫଳ ରାଜନେତା ଭାବେ ମୁଲାୟମ ସିଂ ଯାଦବ ଯେତିକି ଜନମାନସରେ ପରିଚିତ ଥିଲେ। ତାଙ୍କ ପରିବାର ଭିତରେ କ୍ଷମତା ପାଇଁ କନ୍ଦଳ ଲାଗି ସେତିକି ଚର୍ଚ୍ଚିତ ଥିଲେ। ମୁଲାୟମଙ୍କ ହାତରେ କ୍ଷମତା ଡୋରି ଥିଲେ ବି ଦଳର କମାଣ୍ଡ ହାତରୁ ଖସିବା ପରେ ସେ ବି ନିଜ ଘରକୁ ଯୋଡ଼ିବାରେ ଫେଲ୍ ମାରିଥିଲେ ବୋଲି ଅନେକ ଘଟଣାର ମୁକସାକ୍ଷୀ ଏହାକୁ ପ୍ରତିଫଳିତ କରୁଛି।

ନେତାଜୀ ମୁଲାୟମ ସିଂ ଯାଦବ ଏବେ ପରଲୋକରେ। ଜଣେ ସଫଳ ରାଜନେତା ଭାବେ ଦେଶ ତାଙ୍କୁ ଯେତିକି ଜାଣେ, ତାଙ୍କ ପରିବାର ଭିତରେ କ୍ଷମତାକୁ ନେଇ କନ୍ଦଳ ଲାଗି ବି ସେତିକି ଜାଣେ। ବାପା-ପୁଅ, ଦାଦା-ପୁତୁରା, ପୁଅ-ବୋହୂ ଭିତରେ କ୍ଷମତାକୁ ନେଇ ସଦା ବିବାଦରେ ରହିଆସିଛି ମୁଲାୟମଙ୍କ ପରିବାର। ଯିଏ ନିଜ ବାପର ନୁହେଁ, ସେ ଆଉ କାହାର କେମିତି ହୋଇପାରିବ। ମୋ ପୁଅ ଦ୍ୱାରା ଯେଭଳି ଅପମାନିତ ହୋଇଛି, ମୁଁ ମୋ ଜୀବନରେ ଏମିତି ଅବସ୍ଥା ଭୋଗିନି। ଜୀବିତ ଅବସ୍ଥାରେ କୌଣସି ଦଳର ନେତା ନିଜ ପୁଅକୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇନାହାନ୍ତି। କିନ୍ତୁ ମୁଁ ଅଖିଳେଶଙ୍କୁ ମୁଖ୍ୟମନ୍ତ୍ରୀ କରି ଅନୁତପ୍ତ। ୟୁପି ବିଧାନସଭା ନିର୍ବାଚନରେ ୪୦୩ ଆସନରୁ ମାତ୍ର ୪୭ ସିଟରେ ହାମୁଡେଇ ପଡ଼ିବା ପରେ ଅଖିଳେଶଙ୍କ ଉପରେ ଏଭଳି ବର୍ଷିଥିଲେ ବାପା ମୁଲାୟମ।

ଏପରିକି ନିଜ ଦାଦା ଶିବପାଲଙ୍କୁ ବି ଛାଡ଼ିନଥିଲେ ଅଖିଳେଶ। ସେ ସବୁଠୁ ପରିଶ୍ରମୀ ମନ୍ତ୍ରୀ ହୋଇଥିଲେ ବି ଅଖିଳେଶ ତାଙ୍କୁ କ୍ୟାବିନେଟରୁ ବାହାର କରିଦେଲେ। ଯାହା ଉଚିତ୍ ହୋଇନି ବୋଲି ବର୍ଷିଥିଲେ ମୁଲାୟମ।  ଦଳକୁ ତାଙ୍କର ସମ୍ପର୍କୀୟ ଭାଇ ରାମଗୋପାଳ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଥିବାର ଆରୋପ ଲଦିଥିଲେ ମୁଲାୟମ। ନା ସେ ନୂଆ ଦଳ ଗଢିବେ ନା ଦଳର ଚିହ୍ନ ବଦଳାଇବା ସପକ୍ଷରେ ଅଛନ୍ତି ବୋଲି କହିଥିଲେ ମୁଲାୟମ। ଅଖିଳ ଭାରତୀୟ ସମାଜବାଦୀ ଦଳ ଓ ମୋଟର ସାଇକେଲ ସିମ୍ୱଲ ଲାଗି କିଏ ଷଡ଼ଯନ୍ତ୍ର କରୁଛି କହି ଉଭୟ ଅଖିଳେଶ ଓ ସମ୍ପର୍କୀୟ ଭାଇ ରାମଗୋପାଳଙ୍କ ଆଡ଼କୁ ଇଙ୍ଗିତ କରିଥିଲେ ମୁଲାୟମ। ସେଥିଲାଗି ଦଳର ଆଭ୍ୟନ୍ତରୀଣ ବିବାଦରୁ ଦୂରେଇ ରହିବାକୁ ଅଖିଳେଶଙ୍କୁ ପରାମର୍ଶ ଦେଇଥିଲେ ମୁଲାୟମ। କାରଣ ସେତେବେଳେ ଏସପି ୟୁପି ମୁଖ୍ୟରୁ ଶିବପାଲ ଓ ମୁଲାୟମଙ୍କ ଘନିଷ୍ଠ ସହଯୋଗୀ ଅମର ସିଂଙ୍କୁ ଦଳରୁ ବହିଷ୍କାର ଲାଗି ଅଖିଳେଶ ଚାପ ପକାଉଥିଲେ। କିନ୍ତୁ ଉଭୟ ଦାବିକୁ ଅଗ୍ରାହ୍ୟ କରିଦେଇଥିଲେ ମୁଲାୟମ।

ମୁଲାୟମଙ୍କୁ ବି ସର୍ବସମ୍ମୁଖରେ ନିନ୍ଦିତ କରିବା, ତାଙ୍କର ଇଛାକୁ ଅଖିଳେଶ ଅସମ୍ମାନ କରିବାର ଅନେକ ଦୃଶ୍ୟପଟ୍ଟ ରହିଛି ଗଣମାଧ୍ୟମରେ। ଯେତେବେଳେ ବାପ-ପୁଅ ଭିତରେ ବିବାଦକୁ ନେଇ ଦଳ ଦୁଇ ଫାଳ ହେବାକୁ ବସିଥିଲା, ସେତେବେଳେ ସୋସିଆଲ ମିଡ଼ିଆରେ ଏଇ ଭିଡିଓ ହଇଚଇ ଖେଳାଇଥିଲା। ମୁଲାୟମ ଭାଷଣ ଦେଉଥିଲା ବେଳେ ଅଖିଳେଶ ତାଙ୍କ ମାଇକ୍ ଛଡ଼ାଇନେଇଥିଲେ। ଅକ୍ଟୋବର ୨୪ର ଘଟଣା। ଏସପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। କେବଳ ଏତିକି ନୁହେଁ, ସେହି ବୈଠକରେ ଅଖିଳେଶ କହୁଥିଲା ବେଳେ ଦାଦା ଶିବପାଲ ତାଙ୍କର ମାଇକ ଛଡ଼ାଇନେଇ ତାଙ୍କୁ ମିଛୁଆ ବୋଲି କହିଥିଲେ।

ସେବେଠୁ ବିବାଦ ବଢ଼ିଛି। ମୁଲାୟମଙ୍କ ପରିବାରର ୟଙ୍ଗ ବ୍ରିଗେଡ୍ ଭାଗ ଭାଗ ହୋଇଯାଇଛନ୍ତି ଯେମିତି। ମୁଲାୟମଙ୍କ ଦ୍ୱିତୀୟ ପତ୍ନୀଙ୍କ ପୁଅ ପ୍ରତୀକଙ୍କ ପତ୍ନୀ ଅପର୍ଣ୍ଣା ଯାଦବଙ୍କୁ ଟିକଟ ନ ମିଳିବାରୁ ସେ ବିଜେପିରେ ସାମିଲ୍ ହୋଇଥିଲେ। ଶିବପାଲ ଯାଦବଙ୍କୁ ଛାଡିଦଲେ ତାଙ୍କ ପୁଅ ଆଦିତ୍ୟଙ୍କୁ ଟିକଟ ଦେଇନଥିଲେ ଅଖିଳେଶ। ଅଖିଳେଶଙ୍କ ଆଉ ଜଣେ ଦାଦା ପୁଅ ଭାଇ ଅଂଶୁଲଙ୍କୁ ବି ଟିକଟ ଦିଆଯାଇନଥିଲା। ୨୦୧୪ରେ ଯାଦବ ପରିବାରରୁ ୬ ଜଣ ସଂସଦକୁ ଯାଇଥିଲେ। ମୁଲାୟମ, ବୋହୂ ଡିମ୍ପଲ, ଦୁଇ ପୁତୁରା ଧର୍ମେନ୍ଦ୍ର ଓ ଅକ୍ଷୟ, ନାତି ତେଜପ୍ରତାପ ଓ ଭାଇ ରାମଗୋପାଳ ଯାଦବ। ଅଖିଳେଶ ସେତେବେଳେ ୟୁପିର ସିଏମ ଥିଲେ।

ରାଜନୀତିରେ ପରିବାରବାଦକୁ ଖତମ କରିବାକୁ ଅଖିଳେଶ ଏଭଳି କଠୋର ନିଷ୍ପତ୍ତି ନେଇଥିବା କୁହାଯାଉଥିଲା। ଦଳର କମାଣ୍ଡ ମୁଲାୟମଙ୍କ ହାତରେ ଥିଲା ଯାଏ, ପରିବାରବାଦ ଜାରି ଥିଲା। ହେଲେ ଅଖିଳେଶ ଏହାକୁ ବଦଳାଇବାକୁ ଚାହିଁଥିଲେ। ଆଉ ଏହାକୁ ନେଇ ବାପ-ପୁଅ ଭିତରେ ବିବାଦ ଲଗିରହିଥିଲା। କଂଗ୍ରେସ ସହ ମେଣ୍ଟ କରି ଏସପି ଲଢ଼ିଥିଲା ନିର୍ବାଚନ। ଏସପି-ବିଏସପି ମେଣ୍ଟକୁ ବି ବରଦାସ୍ତ କରିନଥିଲେ ମୁଲାୟମ। ଅଖିଳେଶଙ୍କ ଏଭଳି ନିଷ୍ପତ୍ତି ତାଙ୍କୁ ବ୍ୟଥିତ କରିଆସୁଥିଲା। ମାୟାବତୀ-ମୁଲାୟମଙ୍କ ଭିତରେ ଗେଷ୍ଟ ହାଉସ୍ ଏପିସୋଡ୍ ସବୁଠୁ ଚର୍ଚ୍ଚାରେ ଥିଲା। ଆଉ ଉଭୟ ପରସ୍ପରର କଟ୍ଟର ବିରୋଧୀ ଥିଲେ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *