ଆଦିବାସୀ ପିଲାଙ୍କ ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ସରକାର ଆଶ୍ରମ ସ୍କୁଲ ଖୋଲିଛନ୍ତି। କିନ୍ତୁ ଆଶ୍ରମ ସ୍କୁଲରେ ପ୍ରଧାନ ଶିକ୍ଷକଙ୍କ ମନମାନୀ ଯୋଗୁଁ ଆଜି ଆଦିବାସୀ ଛାତ୍ରୀଙ୍କ ଜୀବନ ବିପଦରେ ରହିଛି। ଆଦିବାସୀ ଛାତ୍ରୀଙ୍କ ଜୀବନ ସହ ଖେଳ ଖେଳିଛନ୍ତି ପ୍ରଧାନ ଶିକ୍ଷକ। ଯାହାକୁ ନେଇ ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି । ଏ ଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଆଲୁଅଝରଣ ସେବାଶ୍ରମ ବିଦ୍ୟାଳୟରେ । କଙ୍କଡ଼ାହାଡ଼ ଥାନା ପଳାଶଡାଙ୍ଗୀ ଗାଁର ଦିନ ମଜୁରିଆ କିସାନ ଟୁଡୁଙ୍କ ଦୁଇ ଝିଅ ଆଲୁଅଝରଣ ଆଶ୍ରମ ସ୍କୁଲରେ ପାଠ ପଢୁଛନ୍ତି। ବଡ ଝିଅ ଉଚ୍ଚ ଶିକ୍ଷା ପାଇଁ ବାପା ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ନାମ ଲେଖାଇବା ପାଇଁ ନିଷ୍ପତି ନେଇଥିଲେ। ତେଣୁ ବଡ଼ ଝିଅର TC ପାଇଁ ଆବେଦନ କରିଥିଲେ। ମାତ୍ର ପ୍ରଧାନ ଶିକ୍ଷକଙ୍କ ମନମାନୀ ଯୋଗୁଁ ବଡ଼ ଝିଅର TC ସହିତ ସାନ ଝିଅର TC ଦେଇ ପ୍ରଧାନ ଶିକ୍ଷକ ଛାତ୍ରୀ ଦୁଇ ଜଣଙ୍କୁ ବିଦ୍ୟାଳୟରୁ ତଡି ଦେଇଥିଲେ। ସେ ଏ ନେଇ ନ୍ୟାୟ ପାଇଁ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ADWO କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ ଦିନମଣି ନାଏକ। ତୁରନ୍ତ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପ୍ରକାଶ କରିଛନ୍ତି। ସେପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ତେବେ ଆଦିବାସୀ ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now