ଭାରତୀୟ ବାୟୁସେନାରେ ଏକାଠି ବାପା-ଝିଅ

Spread the love

ଭାରତୀୟ ବାୟୁସେନାରେ ଏକାଠି ନଜର ଆସିଛନ୍ତି ବାପା-ଝିଅ। ଯୁଦ୍ଧ ବିମାନ ଉଡାଇ ଇତିହାସ ସୃଷ୍ଟି କରିଛନ୍ତି ଏୟାର କମାଣ୍ଡର ସଞ୍ଜୟ ଶର୍ମା ଓ ତାଙ୍କ ଝିଅ ଅନନ୍ୟା ଶର୍ମା। ଦେଶରେ ପ୍ରଥମ ବାପ-ଝିଅ ଯିଏ ଏକାଠି ଯୁଦ୍ଧ ବିମାନ ଉଡାଇ ଇତିହାସ ରଚିଛନ୍ତି।   

ବାପା ଝିଅଙ୍କ କୃତିତ୍ୱ। ବାୟୁସେନାରେ ବାପା ଝିଅଙ୍କ ବୀରତ୍ବ ଦେଖୁଛନ୍ତି ଦେଶବାସୀ। ଫ୍ଲାଇଙ୍ଗ ଅଫିସର ଅନନ୍ୟା ଶର୍ମା ଓ ଏୟାର କମାଣ୍ଡର ସଞ୍ଜୟ ଶର୍ମା। ଉଭୟ ବାୟୁସେନାରେ କାର୍ଯ୍ୟରତ। ୨୦୨୧ ମସିହାରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ ଅନନ୍ୟା। ତାଙ୍କ ପିତା ଏୟାର କମାଣ୍ଡର ସଞ୍ଜୟ ଶର୍ମା ୧୯୮୯ ମସିହାରେ ଭାରତୀୟ ବାୟୁସେନାରେ ନିଯୁକ୍ତ ହୋଇଥିଲେ। ଭାରତୀୟ ବାୟୁସେନାରେ ଆଜି ପର୍ଯ୍ୟନ୍ତ ଯାହା ଦେଖା ଯାଇ ନ ଥିଲା ତାହା କରି ଇତିହାସ ରଚିଛନ୍ତି ଏହି ବାପା-ଝିଅ । ଉଭୟ ସାଙ୍ଗହୋଇ ଯୁଦ୍ଧ ବିମାନ ଉଡାଇ ଆସିଛନ୍ତି ଚର୍ଚ୍ଚାକୁ। କର୍ଣ୍ଣାଟକ ବିଦରରେ ଏକ ଯୁଦ୍ଧ ବିମାନ ହକ-୧୩୨ ଉଡାଇ ଇତିହାସ ସୃଷ୍ଟି କରିଛନ୍ତି  ସଞ୍ଜୟ ଏବଂ ତାଙ୍କ ଝିଅ ଅନନ୍ୟା। ତେବେ ସଞ୍ଜୟଙ୍କର ଯୁଦ୍ଧ କ୍ଷେତ୍ରରେ କାର୍ଯ୍ୟ କରିବାର ବହୁ  ଅଭିଜ୍ଞତା ଥିବା ବେଳେ ସେ ମିଗ- ୨୧ ସ୍କ୍ବାଡ୍ରନ  ଏବଂ ଫ୍ରଣ୍ଟଲାଇନ ଫାଇଟର ହିସାବରେ କାମ କରିବାରେ ଦକ୍ଷତା ହାସଲ କରିଛନ୍ତି। 

ଛୋଟବେଳୁ ଅନନ୍ୟା ତାଙ୍କ ବାପାଙ୍କୁ ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନ ପାଇଲଟ ଭାବେ କାମ କରୁଥିବା ଦେଖୁଥିଲେ। ବାପାଙ୍କ ବୀରତ୍ବ ଓ ଦେଶ ମାତୃକା ପ୍ରତି ପ୍ରେମଭାବରେ ଅନୁପ୍ରାଣିତ ହୋଇ ସେ ମଧ୍ୟ ଭାରତୀୟ ବାୟୁସେନାରେ କାମ କରିବାକୁ ଆଗ୍ରହ ଦେଖାଦେଇଥିଲେ । ୨୦୧୬ରେ ଭାରତୀୟ ବାୟୁସେନାରେ ମହିଳା ପାଇଲଟଙ୍କୁ ସାମିଲ ପାଇଁ ନିଷ୍ପତ୍ତି ନିଆଯିବା ପରେ ନିଜ ଦୀର୍ଘଦିନର ସ୍ୱପ୍ନ ପୂରଣ ପାଇଁ ମନ ବଳାଇଥିଲେ ଅନନ୍ୟା।  ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନରୁ ବିଟେକ ଶେଷ କରିବା ପରେ ଅନନ୍ୟା ଆଇଏଏଫର ଫ୍ଲାଇଙ୍ଗ ଶାଖାରେ ତାଲିମ ପାଇଁ ଚୟନ ହୋଇଥିଲେ। ଡିସେମ୍ୱର ୨୦୨୧ରେ ଅନନ୍ୟା ଯୁଦ୍ଧ ବିମାନ ପାଇଲଟ ଭାବରେ ଯୋଗ ଦେଇଥିଲେ। ଏହା ପରେ ମେ ୩୦ ୨୦୨୨ରେ ଯୁଦ୍ଧ ବିମାନ ଉଡାଇବାକୁ ଉଭୟ ବାପା ଝିଅଙ୍କୁ ମିଳିଥିଲା ସୁଯୋଗ, ଯାହା ପୂର୍ବରୁ କେବେ ଘଟି ନ ଥିଲା।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *