ରାଜନୀତିରୁ ସନ୍ୟାସ ନେଲେ ଭିକେ ପାଣ୍ଡିଆନ

Spread the love

ସକ୍ରିୟ ରାଜନୀତିରୁ ଅବସର ଘୋଷଣା କଲେ ଭି. କେ ପାଣ୍ଡିଆନ । ଭିଡ଼ିଓ ବାର୍ତ୍ତା ଜରିଆରେ ଦଳୀୟ କର୍ମୀଙ୍କୁ କ୍ଷମା ପ୍ରାର୍ଥନା କଲେ । କହିଲେ, ତାଙ୍କ ବିରୋଧରେ  ପ୍ରଚାର, ଦଳକୁ କ୍ଷତି ପହଞ୍ଚାଇଥିବାରୁ ସେ ଦୁଃଖିତ । ଏବଂ ସେ ରାଜନୀତିକୁ ଆସିଥିଲେ କେବଳ ତାଙ୍କ ଗୁରୁ ନବୀନ ପଟ୍ଟନାୟକଙ୍କୁ ସାହାଯ୍ୟ କରିବାକୁ ବୋଲି କହିଛନ୍ତି । ନିର୍ବାଚନରେ ବିଜେଡିର ଦୁର୍ବଳ ପ୍ରଦର୍ଶନ ଓ ପରାଜୟ ପରେ ପାଣ୍ଡିଆନଙ୍କ ପରବର୍ତ୍ତୀ ଆଭିମୁଖ୍ୟ କ’ଣ ସେ ଚର୍ଚ୍ଚା ରାଜ୍ୟ ତମାମ ହୋଇଥିଲା । ନବୀନ ନିଶ୍ଚୟଁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ଏବଂ ରେକର୍ଡ କରିବେ ବୋଲି ପ୍ରଚାର ବେଳେ ଦମ୍ଭ ଦେଖାଇଥିଲେ ପାଣ୍ଡିଆନ । ଏବଂ ଯଦି ଏହା ନ ହେଉଛି ତେବେ ରାଜନୀତିରୁ ସନ୍ୟାସ ନେବେ ବୋଲି ମଧ୍ୟ କହିଥିଲେ । ତେବେ ଗତବର୍ଷ ନଭେମ୍ୱର ୨୭ କାର୍ତ୍ତିକ ପୂର୍ଣ୍ଣିମା ଦିନ ମୁଖ୍ୟମନ୍ତ୍ରୀ ଓ ସଙ୍ଗଠନ ସମ୍ପାଦକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ ପାଣ୍ଡିଆନ । ନିର୍ବାଚନ ପ୍ରଚାର ବେଳେ ମଞ୍ଚରେ ନବୀନଙ୍କ ଠାରୁ ଅଧିକ ସକ୍ରୀୟ ଥିଲେ ପାଣ୍ଡିଆନ ।ହାର ଜିତ ଉଭୟ ପାଇଁ ସେ ହିଁ ଦାୟୀ ରହିବେ ବୋଲି ଚର୍ଚ୍ଚା ହୋଇଥିଲା ।ପରେ ବିଜେଡିର ବିପର୍ଯ୍ୟୟ ପଛରେ ସେ ହିଁ ମୂଳ କାରଣ ବୋଲି ଦଳ ଭିତରୁ ଓ ବାହାରୁ ସ୍ୱର ଶୁଭିଥିଲା । ତା ସତ୍ତ୍ୱେ ନବୀନ ପାଣ୍ଡିଆନଙ୍କୁ ଦାୟୀ କରିବା ଅନୁଚିତ ବୋଲି କହି ବିଭିନ୍ନ ସମୟରେ ତାଙ୍କ ଦ୍ୱାରା କରାଯାଇଥିବା କାମର ପ୍ରଶଂସା କରିଥିଲେ । କିନ୍ତୁ ପରିସ୍ଥିତି ଜଟିଳ ହେବା ଦେଖି ଅଳ୍ପ ଦିନ ହେଲା ପ୍ରତକ୍ଷ୍ୟ ରାଜନୀତିକୁ ଆସିଥିବା ପାଣ୍ଡିଆନ ଶେଷରେ ରାଜନୀତି ଛାଡ଼ିବା ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *