କାଲିଫର୍ଣ୍ଣିଆରୁ ହଟିଲା ସୁନାମୀ ଆଲର୍ଟ। ଭୂକମ୍ପ ପରେ ଭୟଙ୍କର ସୁନାମୀ ଆସିବ ବୋଲି ସରକାର ସତର୍କ କରାଇଥିଲେ। ଯେହେତୁ ରିକ୍ଟର ସେଲରେ ଭୂକମ୍ପର ତୀବ୍ରତା ୭ ଥିଲା। ସମୁଦ୍ରରେ ବଡ଼ ଧରଣର ଜୁଆର ଉଠିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଫର୍ଣ୍ଣଡେଲରୁ ପ୍ରାୟ ଶହେ କିଲୋମିଟର ପଶ୍ଚିମ- ଦକ୍ଷିଣପଶ୍ଚିମରୁ ୧୦ କିଲୋମିଟରର ତଳେ ଏହା ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ଏତେ ଜୋରରେ ଥିଲା ଯେ, ଭୟରେ ଲୋକେ ନିଜ ଘର ଓ ଅଫିସରୁ ବାହାରକୁ ଚାଲିଆସିଥିଲେ। ଶକ୍ତିଶାଳୀ ଭୂକମ୍ପ ଆସିବା ପରେ ସୁନାମୀର ଓ୍ୱାର୍ଣ୍ଣିଂ ଜାରି କରିଥିଲେ ସରକାର। ପାଣିପାଗ ବିଭାଗ ଓ ଆମେରିକାର ଭୂବୈଜ୍ଞାନିକ ସର୍ଭେକ୍ଷଣ ଆକଳନ କରିଥିଲା କି, ପ୍ରାରମ୍ଭିକ ଭୂକମ୍ପର ମାପଦଣ୍ଡ ଆଧାରରେ ଭୂକମ୍ପର କେନ୍ଦ୍ରସ୍ଥଳରୁ ୩ଶହ କିଲୋମିଟର ଭିତର ତଟବର୍ତ୍ତୀ ଅଞ୍ଚଳରେ ସୁନାମୀ ଆସିପାରେ। ଭୂକମ୍ପ ପରେ ପ୍ରାୟ ୫.୩ ମିଲିୟନ ଲୋକ ପ୍ରଭାବିତ ହେବାର ଆଶଙ୍କା ଥିଲା। କିନ୍ତୁ ସୌଭାଗ୍ୟବଶତଃ ସୁନାମୀ ବିପଦ ଟଳିଗଲା।
କାଲିଫର୍ଣ୍ଣିଆରେ ଆସିଥିବା ଭୂକମ୍ପର ଝଟକା ଦକ୍ଷିଣରୁ ନେଇ ସାନ୍ ଫ୍ରାନ୍ସିସକୋ ଯାଏ ଅନୁଭୂତ ହୋଇଥିଲା। ଅବଶ୍ୟ କୌଣସି ବଡ଼ ଧରଣର କ୍ଷୟକ୍ଷତି କି ମୃତାହତର ଖବର ଆସିନି। ଭୂକମ୍ପ ପ୍ରଭାବରେ ଘର ଦୋହଲିବାକୁ ଲାଗିଥିଲା। ସୁଇମିଂ ପୁଲରେ ପାଣି ଉଛୁଳିଥିଲା। ଘରର ସାମଗ୍ରୀ ହଲିବାକୁ ଲାଗିଥିଲା। ଏହି ଭୂକମ୍ପ ସକାଳେ ପ୍ରଶାନ୍ତ ମହାସାଗର ସ୍ଥିତ ତଟବର୍ତ୍ତୀ ହମ୍ୱଲୋଟ କାଉଣ୍ଟିଂର ଏକ ଛୋଟ ସହର ଫର୍ଣ୍ଣଡେଲ ପାଖରେ ହୋଇଥିଲା। କାଲିଫର୍ଣ୍ଣିଆର ଗଭର୍ଣ୍ଣର ଗୋଓ୍ୱିନ୍ ନ୍ୟୁସୋମ ଏକ୍ସ-ରେ ସ୍ପଷ୍ଟ କରିଥିଲେ, କାଲିଫର୍ଣ୍ଣିଆ ଓ ଓରେଙ୍ଗନକୁ ପ୍ରଭାବିତ କରିବାକୁ ଥିବା ସୁନାମୀ ଚେତାବନୀ ରଦ୍ଦ କରିଦିଆଯାଇଛି।
୧୮ଶହ ମସିହାରୁ କାଲିଫର୍ଣ୍ଣିଆକୁ ୧୫୦ରୁ ଅଧିକ ସୁନାମୀ ବିପଦ ଆସିଛି। ୧୮୫୪ରୁ କେବଳ ସାନ୍ ଫ୍ରାନସିସକୋରେ ୭୦ରୁ ଅଧିକ ସୁନାମୀ ବିପଦର ରେକର୍ଡ କରାଯାଇଛି। ସୁନାମୀ ବିପଦରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଅତୀତରେ ଜାପାନ। ୨୦୧୧ରେ ଜାପାନରେ ଆସିଥିବା ସୁନାମୀରେ ୧୫ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଜାପାନ ତଳକୁ ସୁନାମୀ ବିପଦ ଘଣ୍ଟିରେ ରହିଛି ଋଷିଆ ଓ ଇଣ୍ଡୋନେସିଆ। ୧୯ଶହ ମସିହାରୁ ରେକର୍ଡ ଦେଖିଲେ, ଜାପାନରେ ସୁନାମୀ କ୍ଷୟକ୍ଷତି ୨୧ ପ୍ରତିଶତ ଥିଲା ବେଳେ ଋଷିଆ ଓ ଇଣ୍ଡୋନେସିଆରେ ୮ ପ୍ରତିଶତ। ପେରୁ, ଚିଲ୍ଲୀ, ନ୍ୟୁ ଗୁଏନିଆ ବି ସୁନାମୀ ବିପଦରେ ଅଧିକାଂଶ ସମୟ ପଡ଼ିଛି। ୧୯୫୮ରେ ଆଲାସ୍କା କୋଷ୍ଟରେ ଆସିଥିବା ସୁନାମୀରେ ସମୁଦ୍ରରେ ୧୭ଶହ ଫୁଟର ଜୁଆର ଉଠିଥିଲା। ଯାହାକି ଆଜିଯାଏ ବିଶ୍ୱର ସବୁଠୁ ବଡ଼ ସୁନାମୀ ବିପଦ ଭାବେ ବିବେଚିତ ହୋଇଆସୁଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now