
ନୂଆଦିଲ୍ଲୀ: କେନ୍ଦ୍ରୀୟ ଯାଞ୍ଚକାରୀ ସଂସ୍ଥାର ଦୁରୁପଯୋଗ ଅଭିଯୋଗରେ ୧୪ ବିରୋଧୀ ଦଳ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାରେ କୋର୍ଟ ଆସନ୍ତା ୫ ତାରିଖରେ ଶୁଣାଣି କରିବେ। ବିରୋଧୀମାନେ ଅଭିଯୋଗ କରିଛନ୍ତି କି, ବିଜେପିର ବିରୋଧୀ ଦଳଗୁଡିକୁ ସିବିଆଇ ଓ ଇଡି ଟାର୍ଗେଟ କରିଆସୁଛନ୍ତି।
ସେମାନେ ଆହୁରି କହିଛନ୍ତି କି, ବିରୋଧୀନେତାମାନେ ବିଜେପିରେ ଯୋଗଦେବା ପରେ ସେମାନଙ୍କ ବିରୋଧରେ ଥିବା ମାମଲାକୁ ସ୍ଥଗିତ ରଖାଯାଉଛି ବା ଉଠାଇ ଦିଆଯାଉଛି। ତେବେ ଏହି ଅଭିଯୋଗକୁ ବିଜେପି ପକ୍ଷରୁ ଖାରଜ କରାଯାଇ ଯାଞ୍ଚକାରୀ ଏଜେନ୍ସଗୁଡିକ ସ୍ବତନ୍ତ୍ରତା ଭାବେ କାର୍ଯ୍ୟକରୁଥିବା କୁହାଯାଇଛି। ବିରୋଧୀଙ୍କ ପକ୍ଷରୁ କେନ୍ଦ୍ରୀୟ ଯାଞ୍ଚକାରୀ ଏଜେନ୍ସିଗୁଡିକକୁ ଗିରଫଦାରୀ ପୂର୍ବ ଓ ପରବର୍ତ୍ତୀ ଗାଇଡଲାଇନ ଅନୁପାଳନ କରିବାକୁ କୁହାଯାଇଛି।
ତେବେ ବିରୋଧୀଙ୍କ ଦ୍ବାରା ଦାୟର ଯାଚିକା ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମାମଲାର ଶୁଣାଣି ୨ ସପ୍ତାହ ପରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିରୋଧୀଙ୍କ ପକ୍ଷରୁ ଓକିଲ ଅଭିଷେକ ସିଙ୍ଘଭି କହିଛନ୍ତି କି, ୯୫ ପ୍ରତିଶତ ମାମଲା କେବଳ ବିରୋଧୀ ନେତାଙ୍କ ବିରୋଧରେ ରହିଛି। ତେଣୁ ଗିରଫଦାରୀ ପୂର୍ବର ଗାଇଡଲାଇନ ଓ ପରବର୍ତ୍ତୀ ଗାଇଡଲାଇନ ପାଇଁ ଆମେ ଅନୁରୋଧ କରୁଛୁ।
ସୁପ୍ରିମକୋର୍ଟରେ କେନ୍ଦ୍ର ବିରୋଧୀରେ ଯାଇଥିବା ବିରୋଧୀ ଦଳଗୁଡିକ ମଧ୍ୟରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମଆଦମୀ ପାର୍ଟି, ଜନତା ଦଳ ୟୁନାଇଟେଡ, ଭାରତ ରାଷ୍ଟ୍ର ସମିତି, ରାଷ୍ଟ୍ରୀୟ ଜନତା ଦଳ, ସମାଜବାଦୀ ପାର୍ଟି, ଶିବସେନାର ଉଦ୍ଧବ ଗୋଷ୍ଠୀ, ନାସନାଲ କନଫେରେନ୍ସ, ନାସନାଲିଷ୍ଟ କଂଗ୍ରେସ ପାର୍ଟି, ଲେପ୍ଟ ଓ ଡିଏମକେ ସାମିଲ ଅଛନ୍ତି।
ଆପ ସୂତ୍ରରୁ ପ୍ରକାଶ କି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ସମସ୍ତ ବିରୋଧୀଙ୍କୁ ଏକଜୁଟ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। କେଜରିୱାଲଙ୍କ ପୂର୍ବତନ ମୁଖ୍ୟଢ଼ନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗତମାସରେ ଗିରଫ କରିବା ପରେ ଇଡି ଗିରଫ କରିଛି।