
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ମେୟର ପ୍ରାର୍ଥୀ ସେଲି ଓବେରଏଙ୍କ ଦ୍ବାରା ମେୟର ନିର୍ବାଚନ ସମୟ ମଧ୍ୟରେ କରିବା ଦାବି ନେଇ ହୋଇଥିବା ଆବେଦନକୁ ଗ୍ରହଣ କରିବା ସହ ଏହାର ଶୁଣାଣି ଫେବୃଆରୀ ୩ ତାରିଖରେ କରିବାକୁ ସ୍ଥିର କରିଛନ୍ତି ସୁପ୍ରିମ କୋର୍ଟ। ମୁଖ୍ୟ ବିଚାର ପତି ଡି ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଦିପଙ୍କର ଦତ୍ତାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଆବେଦନକାରୀଙ୍କ ପକ୍ଷରୁ ଓକିଲ ମନୁ ସିଂଘବି ମାମଲାର ତୁରନ୍ତ ସୁଣାଣି କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ।
ଦିଲ୍ଲୀ ମେୟର ନିର୍ବାଚନ ପାଇଁ ଦୁଇ ଦୁଇ ଥର ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ବିଜେପି ଓ ଆପ କାଉନସିଲରଙ୍କ ଭିତରେ ଦେଖାଦେଉଥିବା ଗଣ୍ଡଗୋଳ ପାଇଁ ଏହାକୁ ବନ୍ଦ କରିବାକୁ ହୋଇଛି। ଗତ ଜାନୁଆରୀ ୨୪ ତାରିଖରେ ଦିଲ୍ଲୀ ଏଲଜିଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ହେଉଥିବା ବେଳେ କିଛି କାଉନସିଲରଙ୍କ ହଟଗୋଳ ପାଇଁ ଏଲଜି ଏହି ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଥିଲେ।
ଏହାକୁ ନେଇ ଆପ ମେୟର ପ୍ରାର୍ଥୀ ସେଲି ଓବେରଏ ଓ ଗୃହର ନେତା ମୁକେଶ ଗୋଏଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଗୁରୁବାର। ମେୟର ନିର୍ବାଚନ ଏକ ସମୟ ସୀମା ଭିତରେ କରିବାକୁ ଆପ ନେତା କୋର୍ଟଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ।
ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ମାସରେ ଏମସିଡି ନିର୍ବାଚନରେ ଆପ ମୋଟ ୨୫୦ ୱାର୍ଡରୁ ୧୩୪ ୱାର୍ଡକୁ କବଜା କରିଥିବା ବେଳେ ବିଜେପି ୧୦୪ଟି ୱାର୍ଡ ହାତେଇଥିଲା।