ସରୋଗେସି ଆଇନ ଉପରେ କେନ୍ଦ୍ରକୁ ଜବାବ ତଲବ

ନୂଆଦିଲ୍ଲୀ: ଭଡାରେ ଗର୍ଭାଶୟ ପାଇଁ ସରୋଗେସି ଆକ୍ଟ ୨୦୨୧ ଓ ଆସିଷ୍ଟାନ୍ସ ରିପ୍ରଡକ୍ସନ ଟେକ୍ନୋଲୋଜି ଆକ୍ଟ ୨୦୨୧ର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟରେ ଏକ ଯାଚିକା ଦାୟର ହୋଇଛି। ଏହି ପିଆଇଏଲ ଉପରେ କେନ୍ଦ୍ର ଓ ଅନ୍ୟମାନଙ୍କୁ ନୋଟିସ ଜାରି କରାଯାଇଛି। ଯାଚିକାରେ କୁହାଯାଇଛି କି, ଏହା ଦ୍ବାରା ମହିଳାମାନେ ଅଧିକ ଶୋଷଣର ଶିକାର ହେବେ।

ଜଷ୍ଟିସ ଅଜୟ ରସ୍ତୋଗି ଓ ଜଷ୍ଟିସ ସିଟି ରବି କୁମାରଙ୍କ ଖଣ୍ଡପୀଠ ଯାଚିକା ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, କେନ୍ଦ୍ର ମହିଳା ଏବଂ ବାଳ ବିକାଶ ମନ୍ତ୍ରଳାୟ ତଥା ଆଇସିଏମଆରକୁ ଜବାବ ମାଗିଛନ୍ତି। ଅରୁଣ ମୁଥୁବେଲଙ୍କ ପକ୍ଷରୁ ଯାଚିକାକୁ ଓକିଲ ମୋହିନୀ ପ୍ରିୟା ଦାୟର କରିଛନ୍ତି।

ଯାଚିକାରେ କୁହାଯାଇଛି କି, କେବଳ ପରୋପକାର ପାଇଁ ଭଡାରେ ଗର୍ଭାଶୟକୁ ଅନୁମତି ଓ ତାର ବ୍ୟବସାୟିକ ବ୍ୟବହାର ଉପରେ ଏକ ତରଫା ପ୍ରତିବନ୍ଧକ ଦ୍ବାରା ପରିବାର ଭିତରେ ମହିଳାଙ୍କ ଉପରେ ବାଧ୍ୟତାମୂଳକ ଶ୍ରମ ବଢିବ ଓ ସରୋଗେସି ପାଇଁ ଅନିୟନ୍ତ୍ରିତ ବଜାରକୁ ପ୍ରୋତ୍ସାହନା ମିଳିବ। ଏହାର ଭେଦଭାବପୂର୍ଣ୍ଣ ଓ ପ୍ରତିବନ୍ଧାତ୍ମକ ବର୍ଗୀକରଣ ଦ୍ବାରା ସମ୍ବିଧାନର ଧାରା ୧୪ ଅନ୍ତର୍ଗତ ପ୍ରଦାନ କରାଯାଇଥିବା ଅଧିକାରର ହନନ ହେବ।

ଯାଚିକାରେ କୁହାଯାଇଛି, ମହିଳାମାନଙ୍କ ପ୍ରଜନନ ଅଧିକାରର ଏହି ଆଇନ ସିଧା ଉଲ୍ଲଙ୍ଘନ, ସମ୍ବିଧାନର ଧାରା ୨୧ ଅନ୍ତର୍ଗତ ଅସ୍ତିତ୍ବର ଅଧିକାରର ହନନ । କାରଣ ଏହା ତାର ଶରୀରର ଏକ ଅଭିନ୍ନ ଅଙ୍ଗ ଅଟେ। ଏହି ଆଇନର ବହୁ ଅସ୍ଥାୟୀ ବ୍ୟବସ୍ଥା ଓ ଅସ୍ପଷ୍ଟତା ଆଡକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି ଯାଚିକାରେ।  

ସୂଚନା ଯୋଗ୍ୟ, ୨୦୨୧ ସରୋଗେସି ଆକ୍ଟ ସମ୍ବନ୍ଧିତ ପ୍ରସ୍ତାବକୁ ସଂସଦରେ ଅନୁମୋଦନ ମିଳିବା ପରେ ତତ୍କାଳୀୟ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଏହାକୁ ମଞ୍ଜୁରୀ ଦେଇଥିଲେ। ଦେଶରେ ଏହି ଆଇନ ଲାଗୁ ହୋଇସାରିଛି। ଏହା ଜରିଆରେ ସରୋଗେସିକୁ ବ୍ୟବସ୍ଥାପିକ ମାନ୍ୟତା ଦିଆଯାଇଥିବା ବେଳେ କିନ୍ତୁ ଏହାର ବ୍ୟବସାୟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଜାରି କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *