ରାଜନୀତିରାଜ୍ୟ

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନୀତିଶ!

୨୪ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୀତିଶ କୁମାର। ମୋଦିଙ୍କୁ ଟକ୍କର ଦେବାକୁ ନୀତିଶ ହିଁ ସମର୍ଥ। କିଛି ଏଭଳି ଆଶାର ସଞ୍ଚାର ଦେଶ ରାଜନୀତିରେ ପୁଣି ଉଜ୍ଜିବୀତ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍। ଅବଶ୍ୟ ନୀତିଶ ଏହାକୁ କେତେଦୂର ଗ୍ରହଣ କରୁଛନ୍ତି, ତାହା ତ ଭିନ୍ନ କଥା। କାରଣ ପ୍ରଧାନମନ୍ତ୍ରୀ ହେବାକୁ କୌଣସି ମୋହ ନାହିଁ ବୋଲି ଏକଦା କହିଥିଲେ ନୀତିଶ। ଆଉ ଏହାକୁ ନେଇ ଉଠୁଛି ପଡ଼ୁଛି ରାଜନୀତି।

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନୀତିଶ! କାରଣ କଂଗ୍ରେସ କହିସାରିଛି ସେମାନଙ୍କର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ରାହୁଲ। କିନ୍ତୁ ମିଳିତ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରାହୁଲ ନା ଆଉ କିଏ। ନୀତିଶ କୁମାର ଓ କେସିଆରଙ୍କ ମିଳିତ ସାମ୍ୱାଦିକ ସମ୍ମିଳନୀରେ ସାମ୍ୱାଦିକଙ୍କ ଏଭଳି ପ୍ରଶ୍ନ ଶୁଣି ଉତ୍ତର ଦେବାକୁ ପ୍ରସ୍ତୁତ ହେଉଥିବା କେସିଆରଙ୍କୁ  ହାତଯୋଡ଼ି ଚାଲନ୍ତୁ କହି ନୀତିଶ ଡାକିଥିଲେ। କିନ୍ତୁ କେସିଆର ଉଠିନଥିଲେ। ପାଲଟା ନୀତିଶଙ୍କୁ ବସିବାକୁ କହି ଯେଉଁ ନାଁ ପାଟିରେ ଧରିଥିଲେ, ସେ ହେଉଛନ୍ତି ନୀତିଶ। ନୀତିଶ ଦେଶର ଜଣେ ବରିଷ୍ଠ ନେତା ଓ ସଫଳ ନେତା। ବିରୋଧୀ ଦଳ ମିଳିତ ଭାବେ ବସି ନିଷ୍ପତ୍ତି ନେବେ।

ତେବେ ପ୍ରଧାନମନ୍ତ୍ରୀ ପଦ ଲାଗି ନୀତିଶ ପ୍ରସ୍ତୁତ କି। କାରଣ ବିହାରରେ ବିଜେପିର ହାତ ଛାଡ଼ି ମହାଗଠବନ୍ଧନ ସହ ମେଣ୍ଟ କରି ସରକାରର ନେତୃତ୍ୱ ନେଉଥିବା ନୀତିଶଙ୍କୁ ଯେତେବେଳେ ପଚରାଯାଇଥିଲା ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶାୟୀ କି। ସେତେବେଳେ ପ୍ରଧାନମନ୍ତ୍ରୀ ପଦ ଲାଗି କୌଣସି ମୋହ ନାହିଁ ବୋଲି କହିଥିଲେ ନୀତିଶ। ସେ କେବଳ ସମଭାବାପନ୍ନ ଦଳକୁ ଏକାଠି କରିବାକୁ ଉଦ୍ୟମ କରୁଛନ୍ତି।

କେବଳ ଏତିକି ନୁହେଁ, ବିହାର ବିଧାନସଭାରେ ବି ବିହାରର ବିକାଶ ଲାଗି ଆରଜେଡି ଓ ଜେଡିୟୁ ଏକାଠି ହୋଇଛନ୍ତି ବୋଲି କହିଥିଲେ ନୀତିଶ। ବିଜେପିର ହାତ ଛାଡ଼ିଥିବାରୁ ଦେଶ ତମାମ ନେତା ତାଙ୍କୁ କଲ୍ କରି ଅଭିନନ୍ଦନ କରିଥିଲେ ଏଭଳି ନିଷ୍ପତ୍ତି ଲାଗି। ସେଥିଲାଗି ୨୪ରେ ସେ ସମସ୍ତ ଦଳ ଓ ତାଙ୍କର ନେତାଙ୍କୁ ଏକାଠି ଲଢିବାକୁ ହେବ ବୋଲି କହିଥିଲେ ନୀତିଶ। ଆଉ ଏହାଠୁ ପାଦେ ଆଗୁଆ ଯାଇ କ୍ୟାବିନେଟ ମନ୍ତ୍ରୀ ତେଜପ୍ରତାପ ଯାଦବ କହିଥିଲେ କି, ସେ ତାଙ୍କର କକା। ଲାଲକିଲ୍ଲାରେ ନୀତିଶ ପତାକା ଉତ୍ତୋଳନ କରିବେ। ସେଥିଲାଗି ତାଙ୍କୁ ସମର୍ଥନ କରିବୁ।

ତେବେ ବିଜେପି କହିଛି, ଏଭଳି କଥା ବାରମ୍ୱାର କହି ଆସୁଛନ୍ତି ବିରୋଧୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ବିକାଶ ପଥରେ ଆଗେଇ ଚାଲିଛି। ଏଭଳି ସ୍ଥିତିରେ ବିରୋଧୀ ସେମାନଙ୍କର ଦାୟିତ୍ୱ ନିର୍ବାହ କରିପାରିଥାଆନ୍ତେ। କିନ୍ତୁ ଦୀର୍ଘ ବର୍ଷ ହେଲା ସେଭଳି ସୁଯୋଗ ମିଳୁନି କି ଆଗକୁ ବି ଆସିବନି। କାରଣ ଜନତାର ଆସ୍ଥା ସେମାନଙ୍କ ଉପରେ ନାହିଁ।

ବିଜେପି ଓ ମୋଦି ମୁକ୍ତ ଭାରତ ଗଠନ ଲାଗି ବିରୋଧୀ କହୁଛନ୍ତି। ହେଲେ ଗଲା ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ଭିତରେ କ୍ରସଭୋଟିଂ ବି ବିରୋଧୀ ଏକତାରେ ଫାଟକୁଦର୍ଶାଇଥିଲା। ଏପରିକି ଜଗଦୀପ ଧନକଡଙ୍କ କଟ୍ଟର ବିରୋଧୀ ମମତା ବାନାର୍ଜୀ ବି ମତଦାନରୁ ଦଳକୁ ଦୂରେଇ ରଖିଲେ।

  • ପ୍ରେମଲତା ବାରିକ ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button