ଅଶାନ୍ତ ପାକିସ୍ତାନ

() ସମ୍ପୂର୍ଣ୍ଣ ବନ୍ଦ ପାକିସ୍ତାନ ରାଜଧାନୀ ଇସଲାମାବାଦ। ଇସଲାମାବାଦରେ ଲକଡାଉନ ଘୋଷଣା କଲେ ସରିଫ୍ ସରକାର। ପିଟିଆଇର ବିକ୍ଷୋଭ ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଇସଲାମାବାଦରେ ଘୋଷଣା କରାଯାଇଛି ଲକଡାଉନ। ସ୍ଥିତି ଅଣାୟତ୍ତ ହୋଇପଡିଥିବା ବେଳେ ଇସଲାମାବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି। ସେପଟେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମଧ୍ୟ ଲକଡାଉନ ଘୋଷଣା କରାଯାଇଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୁରୁବାର ହୋଇଥିବା ଗୁଳିମାଡ ଘଟଣାକୁ ନେଇ ଅଶାନ୍ତ ହୋଇଛି ପାକିସ୍ତାନ। ଇମ୍ରାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରଖିଛନ୍ତି।

ପ୍ରଥମେ ଗୁଳିମାଡ, ଗୁଳିମାଡ ପରେ ବିକ୍ଷୋଭ। ବିକ୍ଷୋଭ ପରେ ଲକଡାଉନ୍। ଇମ୍ରାନଙ୍କ ଉପରେ ଗୁଳିମାଡ ପରେ ଇସଲାମାବାଦରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଇମ୍ରାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରଖିଛନ୍ତି। ରାସ୍ତାରେ ଟାୟାର ଜାଳି ଲୋକେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପାକିସ୍ତାନରେ ସ୍ଥିତି ଅଣାୟତ୍ତ ରହିଛି। ପରିସ୍ଥିତି ଅଶାନ୍ତ ହୋଇଥିବାରୁ ଇସଲାମାବାଦରେ ସମ୍ପୂର୍ଣ୍ଣ ତାଲାବନ୍ଦ୍ କରାଯାଇଛି। ଇମ୍ରାନଙ୍କୁ ଗୁଳିମାଡ ପରେ ଲକଡାଉନ ଘୋଷଣା। ପାକିସ୍ତାନର ରାଜଧାନୀ ଇସଲାମବାଦରେ ହାଇଆଲର୍ଟ ଘୋଷଣା କରାଯାଇଛି। ତେହେରିକ୍-ଇ-ଇନସାଫ୍ ର ମୁଖ୍ୟ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆତ୍ମଘାତୀ ଆକ୍ରମଣ ପରେ ଇସଲାମାବାଦରେ ଘୋଷଣା କରାଯାଇଛି ଲକଡାଉନ୍। ଶେହବାଜ ସରକାରଙ୍କ ସୁପାରିଶ ଅନୁସାରେ, ଇସଲାମାବାଦକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ ଙ୍କ ନିର୍ଦ୍ଦେଶକ୍ରମେ ସହରରେ ତାଲାବନ୍ଦୀ ଲାଗିଛି। ଇମ୍ରାନଙ୍କୁ ଗୁଳିମାଡ ପରେ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଲକଡାଉନ ଘୋଷଣା କରାଯାଇଛି। ଇସଲାମାବାଦରେ ଲକଡାଉନ ସମୟରେ ଅତ୍ୟାବଶ୍ୟକ ସେବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଜଳ ଯୋଗାଣ, ରାସନ ଯୋଗାଣ ଏବଂ ଚିକିତ୍ସା ସେବା ଇତ୍ୟାଦି ଜାରି ରହିବ ବୋଲି ପ୍ରଶାସନ କହିଛି। ଏହି ସମୟରେ ସରକାରୀ ଓ ବେସରକାରୀ ଅଫିସ, ସ୍କୁଲ ଓ କଲେଜ ଆଦି ବନ୍ଦ ରହିବ। ଛାତ୍ରଛାତ୍ରୀମାନଙ୍କ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ସେପଟେ ପାକିସ୍ତାନର ସ୍ଥିତି ଉପରେ କଡା ନଜର ରଖାଯାଇଛି ବୋଲି କହିଛି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ପାକିସ୍ତାନର ସ୍ଥିତିକୁ ଲଗାତାର ଭାବେ ଅନୁଧ୍ୟାନ କରାଯାଉଛି। ଗୁଳିମାଡ ଘଟଣାର ତଦନ୍ତ ପାଇଁ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମଧ୍ୟ ଗୁରୁବାର ସନ୍ଧ୍ୟା ୬ଟାରୁ ଲକଡାଉନ ଲାଗୁ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ଏହା ଲାଗୁ ରହିବ ବୋଲି କୁହାଯାଇଛି। ପଞ୍ଜାବ ପ୍ରଦେଶର ସାମ୍ପ୍ରତିକ ପରିସ୍ଥିତି ବିଶ୍ଳେଷଣ କରିବା ପରେ ବସବାସ କରୁଥିବା ଜନସାଧାରଣଙ୍କ ନିମନ୍ତେ ଶାନ୍ତିପୂର୍ଣ୍ଣ ବାତାବରଣ ଫେରାଇ ଆଣିବା ନିମନ୍ତେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ତୁରନ୍ତ ରିପୋର୍ଟ ଦେବାକୁ ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ରାଲି ଇସଲାମାବାଦ ଅଭିମୁଖେ ଯାଉଥିବା ବେଳେ ଗୁରୁବାର ପାକିସ୍ତାନର ପଞ୍ଜାବ ପ୍ରଦେଶର ଇମ୍ରାନଙ୍କ ଉପରେ ଗୁଳିମାଡ ହୋଇଥିଲା। ଯାହାକୁ ନେଇ ହିନ୍ଦୁସ୍ତାନରୁ ପାକିସ୍ତାନ ଯାଏଁ ଖେଳିଯାଇଛି ଚାଞ୍ଚଲ୍ୟ। ଏହି ଆକ୍ରମଣ ଆତଙ୍କବାଦୀ ହମଲା ନା ସରକାରୀ ପ୍ରାୟୋଜିତ, ସେକଥା ଜଣାପଡିନି। କିନ୍ତୁ ଆତତାୟୀ ଜଣକ ନିଜ ଦୋଷ ସ୍ୱୀକାର କରିଛି।

ପ୍ରେମଲତା ବାରିକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *