ପୁରୀ: ଆଜି ପଞ୍ଚୁକର ଚତୁର୍ଥ ଦିନରେ ଶ୍ରୀଜୀଉମାନଙ୍କୁ ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ କରିଛନ୍ତି ଅଗଣିତ ଭକ୍ତ । ଶ୍ରୀକ୍ଷେତ୍ରରେ ଧାର୍ମିକ ଓ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରି ଭକ୍ତମାନେ ଭାବବିହ୍ଵଳ ହୋଇପଡିଛନ୍ତି । ଆଜି ବୈକୁଣ୍ଠ ଚତୁର୍ଦଶୀ ତିଥିରେ ଶ୍ରୀ ବିଗ୍ରହଙ୍କ ଏହି ଦୁର୍ଲଭ ଡାଳିକିଆ ବେଶ ଦର୍ଶନ କଲେ ବୈକୁଣ୍ଠ ପ୍ରାପ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।
ଧର୍ମ ମାସ କାର୍ତ୍ତିକରେ ଚାଲିଛି ପଞ୍ଚୁକ ବ୍ରତ। ଆଜି ପଞ୍ଚୁକ ବ୍ରତର ଚତୁର୍ଥ ଦିନରେ ଶ୍ରୀବିଗ୍ରହଙ୍କ ଲକ୍ଷ୍ମୀନୃସିଂହ ବା ଡାଳିକିଆ ବେଶ ଅନୁଷ୍ଠିତ ହୋଇଛି। ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ଏହି ବେଶରେ ବିବିଧ ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯାଇଥିଲା । ଏହି ଦୁର୍ଲଭ ଓ ଅନନ୍ୟ ବେଶ ଦର୍ଶନ ପ୍ରାପ୍ତିର ସ୍ୱତନ୍ତ୍ରତା ରହିଥିବା ବିଶ୍ବାସ ରହିଛି ବୋଲି ଜଗନ୍ନାଇ ସଂସ୍କୃତି ଗବେଷକ ତଥା ଜଗନ୍ନାଥ ସଂସ୍କୃତି ପ୍ରଚାରକ ମତ ଦିଅନ୍ତି।
ଏକାଦଶୀରେ ଲକ୍ଷ୍ମୀ ନାରାୟଣ ବେଶ, ଦ୍ୱାଦଶୀରେ ବାଙ୍କ ଚୁଡବେଶ, ତ୍ରୟୋଦଶୀ ରେ ତ୍ରିବିକ୍ରମ ବେଶ ଓ ଆଜି ଚତୁର୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଦର୍ଶନ ମୋକ୍ଷ ପ୍ରଦାନ କରିଥାଏ।
ସେଥିପାଇଁ ଆଜି ବୈକୁଣ୍ଠ ଚତୁର୍ଦଶୀରେ ବୈକୁଣ୍ଠ ପ୍ରାପ୍ତି ଲାଗି ଦୂରଦୂରାନ୍ତରୁ ଭକ୍ତଙ୍କ ଭିଡ ଲାଗିଥିଲା । ଆସନ୍ତାକାଲି କାର୍ତିକ ପୂର୍ଣ୍ଣିମା। କିନ୍ତୁ ଚନ୍ଦ୍ରଗ୍ରହଣ ଥିବାରୁ ଶ୍ରୀ ମନ୍ଦିରରେ ଆଜି ରାତି ୧୨ଟା ରେ ଦ୍ୱାର ଫିଟା ଯାଇ ସମସ୍ତ ଦେବ ନୀତି ଅନୁଷ୍ଠିତ ହେବା ସହ ମହାପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ କରିବା ଲାଗି ନିଷ୍ପତି ହୋଇଛି l ଗ୍ରହଣ ସ୍ପର୍ଶ ସମୟରେ ମହାପ୍ରଭୁ ଙ୍କ ତଡପ ଲାଗି ବେଶ କରାଯାଇ ଗ୍ରହଣ ନୀତି ଅନୁଷ୍ଠିତ ହେବ l କାର୍ତିକ ପୂର୍ଣିମା ରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା କେ ପୁରୀ ଏସ୍ପି ଵିଶାଲ ସିଂ କହିଛନ୍ତି।
ତେବେ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଭୋର ୫ଟା ୫୪ ମିନିଟ ରୁ ପାକ ତ୍ୟାଗ ହେବ।
ପିଣ୍ଟୁ ସାହୁଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now