ଶିକ୍ଷକ ସମସ୍ୟା ବୁଝିବ କମିଟି।

ଭୁବନେଶ୍ବର:  ଶିକ୍ଷକ ସମସ୍ୟା ସମାଧାନ ନେଇ ଗଠନ ହେଲା କମିଟି। ମୁଖ୍ୟ ଶାସନ ସଚିବଙ୍କ ସହ ମହାସଂଘର ଆଲୋଚନା ପରେ ୪ ଦିନ ଧରି ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଦେଇଥିବା ପ୍ରାଥମିକ ଶିକ୍ଷକ ସଂଘ ଶେଷରେ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛି। ସେପଟେ ଶିକ୍ଷକ ଆନ୍ଦୋଳନକୁ ନେଇ ଆଜି ବି ବିଧାନସଭାରେ ଅଚଳାବସ୍ଥା ଦେଖାଦେଇଥିଲା। ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ଓ ସ୍ପଷ୍ଟତା ଲୋଡ଼ି ପୁଣି ବିରୋଧୀ ବର୍ଷିଥିଲେ। ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ତ ଗୃହରେ ଧାରଣା ଦେଇଥିଲେ।

ଶେଷରେ ସଫଳ ହେଲା ଆଲୋଚନା। ଲୋୟର ପିଏମଜିରେ ୩ ଦଫା ଦାବି ନେଇ ୪ ଦିନ ହେଲା ଅହୋରାତ୍ର ଧାରଣା  ଦେଇଥିବା ଶିକ୍ଷକ ମହାସଂଘ ସହ ମୁଖ୍ୟ ଶାସନ ସଚିବଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସଫଳ ହୋଇଛି। ସମସ୍ୟା ସମାଧାନ ପାଇଁ ଗଠନ ହେବ କମିଟି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଉନ୍ନୟନ କମିଶନର, ଅର୍ଥ ସଚିବ ଓ ଗଣଶିକ୍ଷା ସଚିବ ରହିବେ। ଆସନ୍ତା ୧୬ରୁ ୨୦ ତାରିଖ ଭିତରେ କମିଟି ସହ ସଂଘ ପୁନର୍ବାର ଆଲୋଚନା କରିବ। ଆଉ ମହାସଂଘ ବି ସରକାରଙ୍କ ସହ ଆଲୋଚନା କରି ସନ୍ତୁଷ୍ଟ ହୋଇଛି। ଆନ୍ଦୋଳନରୁ ଓହରିବାକୁ ସଙ୍କେତ ଦେଇଛି ମହାସଂଘ। ଅବଶ୍ୟ ଷ୍ଟିଅରିଂ କମିଟି ଉପରେ ନିଷ୍ପତ୍ତି ଛାଡ଼ିଦିଆଯାଇଛି। କିନ୍ତୁ ତା ସହ ବି ଯୋଡ଼ିଛି, କମିଟି ଗଠନ କେବଳ ଯଦି ଆଇଓ୍ୱାସ୍ ପାଇଁ ଉଦ୍ଦିଷ୍ଟ ହୁଏ, ତେବେ ପୁନର୍ବାର ଆନ୍ଦୋଳନକୁ ଫେରିବ ମହାସଂଘ ବୋଲି ଚେତାଇଦେଇଛି।

ସେପଟେ ଆଲୋଚନା ପୂର୍ବରୁ ବିଧାନସଭାରେ ଶିକ୍ଷକ ସମସ୍ୟା ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଗଲା ଦୁଇ ଦିନ ଭଳି ଆଜି ପ୍ରଶ୍ନକାଳ ସିନା ଅଚଳ ହେଲାନି। କିନ୍ତୁ ପ୍ରଶ୍ନକାଳରେ ବି ଶିକ୍ଷକ ଆନ୍ଦୋଳନ ଓ ଶିକ୍ଷା ସମସ୍ୟା ନେଇ ବେଶ୍ ଗୁଡ଼ାଇତୁଡ଼ାଇ ପଚାରିଥିଲେ ସରକାରଙ୍କୁ ବିରୋଧୀ। ଆଉ ପ୍ରଶ୍ନକାଳ ସରିବା ମାତ୍ରେ ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଗୃହକୁ ଅବଗତ କରିଥିଲେ କି, ଶିକ୍ଷକ ସଂଘ ତାଙ୍କୁ ଧମକ ଦେଇଛି। ଯଦି ସେମାନଙ୍କ କଥା ସେ ଗୃହରେ ଉଠାଇବେନି ଓ ସମାଧାନ ନ ବାହାରିଲା, ତେବେ ତାଙ୍କୁ କ୍ୱାର୍ଟରରେ ପୁରାଇଦେବେନି। ଏହା କହି ବାଚସ୍ପତିଙ୍କ ପୋଡିଅମ ତଳେ ଧାରଣା ଦେଇଥିଲେ। ଆଉ ଲକ୍ଷ୍ମଣଙ୍କ ଏଭଳି ରୂପ ଦେଖି ଶିକ୍ଷକ ଦାବିକୁ ସମର୍ଥନ କରି ପୁଣି କଂଗ୍ରେସ ଓ ବିଜେପି ବି ନାରାବାଜି ଆରମ୍ଭ କରିଦେଇଥିଲା। ଦାବି ପୂରଣ ସମ୍ପର୍କରେ ସ୍ପଷ୍ଟତା ମାଗିଥିଲା ସରକାରଙ୍କୁ। ଫଳରେ ଗୃହ ଅପରାହ୍ନ ୪ଟା ଯାଏ ମୁଲତବୀ ହୋଇଯାଇଥିଲା। ଶାସକ ଦଳର କହିବା କଥା, ଆଲୋଚନାର ବାଟ ବନ୍ଦ ହୋଇନି। ସରକାର ସବୁ ଦିଗକୁ ଅନୁଧ୍ୟାନ କରି ପଦକ୍ଷେପ ନେବେ।

ଅପରାହ୍ନ ୪ଟା ପରେ ବି କଂଗ୍ରେସ ପୁଣି ଶିକ୍ଷକ ସମସ୍ୟା ନେଇ ଗୃହରେ ହଟ୍ଟଗୋଳ କରିଥିଲା। ବାଚସ୍ପତିଙ୍କ ପ୍ରକୋଷ୍ଠକୁ ମୁଖ୍ୟ ଶାସନ ସଚିବ ଓ ଶିକ୍ଷକ ପ୍ରତିନିଧିଙ୍କୁ ଡକାଇ ସମସ୍ୟା ସମାଧାନ ଲାଗି ଦାବି କରିଥିଲା କଂଗ୍ରେସ। ଆଉ ଗୃହକୁ ସ୍ୱାଭାବିକ କରିବାକୁ ବାଚସ୍ପତି ବି ସର୍ବଦଳୀୟ ବୈଠକ ଡାକିଥିଲେ। ଚତୁର୍ଥ ଦିନରେ ପହଞ୍ଚିଥିବା ଶିକ୍ଷକ ସଂଘର ଆନ୍ଦୋଳନ ଲାଗି ରାଜ୍ୟର ପ୍ରାୟ ୫୫ ହଜାର ସ୍କୁଲରେ ପାଠପଢ଼ା ବ୍ୟାହତ ହୋଇଛି।

ଯଦି ବିରୋଧୀଙ୍କ ଆଶଙ୍କା ସତ ହୁଏ ଆଉ ସମୟ ଅବଧି ଆଗରୁ ବିଧାନସଭା ବନ୍ଦ ହୋଇଯାଏ, ତେବେ ଆଗକୁ ଶିକ୍ଷକ ଆନ୍ଦୋଳନର ରୂପରେଖ କୁଆଡ଼କୁ ମୁହାଁଇବ ବୋଲି ଚର୍ଚ୍ଚା ହେଉଥିଲା।

ସିମ୍ପୁଲ ନାୟକ, ନବକିଶୋର ସାହୁଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *