ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

() ଅବସର ଥିଲା ଶିଶୁ ଓ ମହିଳା ଅନୁକୂଳ ପଞ୍ଚାୟତ ଗଠନ ଉପରେ କର୍ମଶାଳା। ମୁଖ୍ୟ ଅତିଥି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଆସିନଥିଲେ। ଆଉ ବିଶିଷ୍ଟ ଅତିଥି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ରାଜ୍ୟ ସରକାରଙ୍କ ଅମଲା ଓ ବ୍ୟବସ୍ଥାକୁ ଯେଭଳି ଗଣି ଗଣି ଟାର୍ଗେଟ କଲେ, ଲାଗୁଥିଲା କଡ଼ାଗଣ୍ଡା ହିସାବ କରିଦେଲେ। ଦେଖନ୍ତୁ କେମିତି ଥିଲା ପରିବେଶ।

ଶିଶୁ ଓ ମହିଳା ଅନୁକୂଳ ପଞ୍ଚାୟତ ଗଠନ ଉପରେ କର୍ମଶାଳା। ତିନି ଦିନିଆ କର୍ମଶାଳାକୁ ଉଦଘାଟନ କରିଥାଆନ୍ତେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଆସିନଥିଲେ। ଆଉ କର୍ମଶାଳାରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ପଖାଳ ଓ ମାଣ୍ଡିଆର ଆଦର ଆଳରେ ଯେଭଳି ଗଣି ଗଣି ରାଜ୍ୟ ସରକାରଙ୍କ ଅମଲା ଓ ବ୍ୟବସ୍ଥାକୁ ଟାର୍ଗେଟ କଲେ, ସମସ୍ତେ ତାଜୁବ୍ ହୋଇଯାଇଥିଲେ। ଅବଶ୍ୟ ମନ୍ତ୍ରୀ କହିଲା ବେଳେ ମଞ୍ଚ ଛାଡ଼ିସାରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଆଉ ମୁଖ୍ୟମନ୍ତ୍ରୀଙ୍କୁ ବି ମଞ୍ଚରେ ପାଇଥିଲେ କୁଆଡ଼େ ଅନେକ ଅନୁନୟ ସହ କେନ୍ଦ୍ରର ଅନେକ ଲୋକାଭିମୁଖୀ ଯୋଜନାକୁ କାର୍ଯ୍ୟକାରୀ କରାଇବାରେ ସହଯୋଗ ମାଗିଥାଆନ୍ତେ ବୋଲି ଆଗ କହିଦେଇ ଆରମ୍ଭ କରିଦେଲେ ଧର୍ମେନ୍ଦ୍ର ନିଜ ଅନ୍ଦାଜରେ କଟାକ୍ଷ କରିବାକୁ। ମଞ୍ଚରେ ଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମଙ୍କୁ ଦେଖାଇ ମହିଳା ସଶକ୍ତିକରଣ ବନାମ ମିଶନ ଶକ୍ତିକୁ ନେଇ ତୁଳନାତ୍ମକ ଚିତ୍ର ଦେଖାଇ ଛିଗୁଲେଇ ଥିଲେ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଏସଏଚଜି ମହିଳାଙ୍କୁ ଭେଟୁଛନ୍ତି ସତ। ନବଜାତକଙ୍କ କୁପୋଷଣ, ରକ୍ତହୀନତା, ଓଜନ କମିବା ଆଦି ଅଧ୍ୟାୟରୁ ଆରମ୍ଭ କରି ମହିଳାଙ୍କୁ ଆଉ କେତେଦିନ ବଡ଼ି, ପାମ୍ପଡ଼ ଓ ଆଚାରରେ ସୀମିତ ରଖିବେ ବୋଲି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। କାହିଁକି ଇ-କମର୍ସରେ ସେମାନେ ଯୋଡ଼ି ହେବେନି।

ରାଷ୍ଟ୍ରୀୟ ଶିକ୍ଷା ନୀତିରେ ପ୍ରତି ବ୍ଲକରେ ଦୁଇଟି ଲେଖାଏଁ ପିଏମ ଶ୍ରୀ ସ୍କୁଲ ହେଲେ ରାଜ୍ୟ ୮ଶହ ସ୍କୁଲ ପାଆନ୍ତା। ୧୬ ଶହ କୋଟି ଟଙ୍କା ପାଇବ ରାଜ୍ୟ। ମୋ ସ୍କୁଲ ଭଲ। ଏହାକୁ ନେଇ ନାଁ ନିଅ ମନା ନାହିଁ। କିନ୍ତୁ ପିଲାଏ ଭଲ ସ୍କୁଲରେ ପଢ଼ିଲେ ସରକାରଙ୍କ ଦେହରେ ଯାଉନି କି ବୋଲି ପରୋକ୍ଷ କଟାକ୍ଷ ଫିଙ୍ଗିଛନ୍ତି। ଅର୍ଥର ଅଭାବ ନାହିଁ ବୋଲି କହିଥିଲେ ମୁଖ୍ୟ ଶାସନ ସଚିବ। ତା ହେଲେ କାହିଁକି ପଞ୍ଚାୟତକୁ ଆସୁଥିବା ପାଣ୍ଠିକୁ କନଭର୍ଜେନ୍ସ ନାଁରେ ଫେରିଯାଉଛି। ନାଚ ଗୀତରେ ୩ହଜାର କୋଟି ସାରିଦେଲ। ଅନ୍ତତଃ ପଞ୍ଚାୟତିରାଜ ପାଣ୍ଠିରେ ହାତ ନ ଲଗାଇବାକୁ ତାଗିଦ୍ କରିଥିଲେ ଧର୍ମେନ୍ଦ୍ର। ପଞ୍ଚାୟତିରାଜ ସଚିବ ଆଗକୁ କେନ୍ଦ୍ରକୁ ଯିବେ। ପଞ୍ଚାୟତ ପ୍ରତିନିଧିଙ୍କ ସାମ୍ୱିଧାନିକ ଅଧିକାରକୁ ଛଡ଼ାନ୍ତୁନି ବୋଲି ବି ଚେତେଇ ଦେଇଥିଲେ ଲୋହାନୀଙ୍କୁ।

ଏତିକିରେ ଥମିନଥିଲା ଧର୍ମେନ୍ଦ୍ରଙ୍କ ରୋଷ। ପଖାଳ ଓ ମାଣ୍ଡିଆର ଉପକାରିତାକୁ ଦର୍ଶାଇ ଲୋହାନୀ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ଏହା ନିଶ୍ଚିତ ଖୁଆଇବେ ବୋଲି ପରାମର୍ଶ ଦେଇ ଶେଷରେ କହିଥିଲେ ଯେ, ଓଡ଼ିଶା ପାଇଁ ଆସନ୍ତା ୧୩ ବର୍ଷ ଓ ଭାରତ ପାଇଁ ୨୫ ବର୍ଷର ମହତ୍ତ୍ୱକୁ ପ୍ରତିପାଦିତ କରିବାକୁ ହେଲେ ସଠିକ୍ କାର୍ଯ୍ୟାନ୍ୱୟନ, ସହଯୋଗ ଓ ସମନ୍ୱୟ ନ ରହିଲେ ସବୁ ବୃଥା ହୋଇଯିବ।

ଉଭୟ କେନ୍ଦ୍ର ଓ ରାଜ୍ୟର ସହଭାଗିତାରେ ଶିଶୁ ଓ ମହିଳା ଅନୁକୂଳ ପଞ୍ଚାୟତ ଗଠନରେ ଥିବା ୯ଟି ମଡ୍ୟୁଲକୁ କାର୍ଯ୍ୟକାରୀ କରିବାକୁ ହେବ। ହେଲେ କଥା ଛଳରେ ରାଜ୍ୟରୁ ସେଭଳି ସହଯୋଗ ମିଳିବ କି ନାଁ, ତାକୁ ନେଇ ଧର୍ମେନ୍ଦ୍ର ସନ୍ଦେହ କରୁଛନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *