ହ୍ୱାଇଟହାଉସର ବସ୍ ହେଲେ ଡୋନାଲ୍ଡ ଟ୍ରମ୍ପ

୪ ବର୍ଷ ପରେ ପୁଣି ଟ୍ରମ୍ପ୍ ସରକାର। ହାରିସଙ୍କୁ ହରାଇ ହ୍ୱାଇଟ ହାଉସ ଦଖଲେ କଲେ ଟ୍ରମ୍ପ। ତେବେ ୨୦୨୦ରେ ନିର୍ବାଚନ ହାରିବା, ଏହା ପରବର୍ତ୍ତୀ ସଂସଦରେ ହିଂସା ଓ ଆଇନଗତ ବିବାଦରେ ଫସିବାରୁ ନେଇ ନିର୍ବାଚନ କ୍ୟାମ୍ପେନ ବେଳେ ଅଳ୍ପକେ ଗୁଳିମାଡ଼ରୁ ବର୍ତ୍ତିଯିବା ଘଟଣା ଟ୍ରମ୍ପଙ୍କ ସଂଘର୍ଷରୁ ସଫଳତାର ଅଧ୍ୟାୟକୁ ଅବଲୋକନ କଲେ ଅନେକ କଥା ଜାଣିହୁଏ। ଟ୍ରମ୍ପଙ୍କ ଜିତିବା ପଛରେ କାହାର ହାତ ଅଧିକା। ଟ୍ରମ୍ପଙ୍କ ଜିତାପଟ୍ଟ ଭାରତ ସମେତ ବେଦେଶିକ ସମ୍ପର୍କକୁ କେତେ ନିବିଡ଼ କରିବ, ଅନେକ କଥା ଚର୍ଚ୍ଚା ହେଉଛି।

ହାରିସଙ୍କୁ ହରାଇ ହ୍ୱାଇଟହାଉସର ବସ୍ ହେଲେ ଡୋନାଲ୍ଡ ଟ୍ରମ୍ପ। ଆମେରିକାର ୪୭ ତମ ରାଷ୍ଟ୍ରପତି ହେବା ସହ ୪ ବର୍ଷ ପରେ ପୁଣି କ୍ଷମତାକୁ ଫେରିଲେ ଟ୍ରମ୍ପ।  ମୋଟ ୪୫ ରାଜ୍ୟରୁ ୨୭ରେ ବିଜୟଧ୍ୱଜା ଉଡ଼ାଇଛନ୍ତି ଟ୍ରମ୍ପ। ତେବେ ସଂଘର୍ଷରୁ ସଫଳତାର ଏକ ଅଧ୍ୟାୟ ଭାବେ ଟ୍ରମ୍ପକୁ କହିଲେ ଭୁଲ୍ ହେବନି। ୨୦୨୦ରେ ନିର୍ବାଚନ ହାରିବା, ଏହାକୁ କେନ୍ଦ୍ର କରି ତାଙ୍କ ସମର୍ଥକଙ୍କ ଦ୍ୱାରା ସଂସଦରେ ହିଂସା ଭିଆଇବା, ଆଇନଗତ ବିବାଦରେ ଫସିବାରୁ ନେଇ ନିର୍ବାଚନ କ୍ୟାମ୍ପେନ ବେଳେ ଅଳ୍ପକେ ଗୁଳିମାଡ଼ରୁ ବର୍ତ୍ତିଯିବା ଘଟଣା ଏବେ ଅତୀତ। ନିର୍ବାଚନରେ ଜିତିବା ପରେ ଏଲନ ମସ୍କଙ୍କୁ ଧନ୍ୟବାଦ ଦେଇଛନ୍ତି ଟ୍ରମ୍ପ। ମସ୍କଙ୍କର ଷ୍ଚାରଲିଂକ ସଞ୍ଚାର ବ୍ୟବସ୍ଥା ଲାଗି ହିଁ ସେ ନର୍ଥ କୈରୋଲାଇନାରେ ଜିତିପାରିଲେ ବୋଲି କହିଛନ୍ତି ଟ୍ରମ୍ପ। ତାଙ୍କର ପ୍ରତି ମୂହୂର୍ତ୍ତ ଆମେରିକା ଲାଗି ସମର୍ପିତ ବୋଲି କହିଛନ୍ତି ଟ୍ରମ୍ପ। ମିଳିମିଶି ଆମେରିକାର ଭବିଷ୍ୟତ ଲାଗି କାମ କରିବା। ଆମେରିକାବାସୀ ଦେଇଥିବା ଅଦ୍ଭୁତ ଜନାଦେଶ ଲାଗି କୃତଜ୍ଞତା ଜ୍ଞାପନ କରିଛନ୍ତି। ସେପଟେ ଭାରତ ସହ ଆମେରିକାର ସମ୍ପର୍କ ନିବିଡ଼ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି। ଟ୍ରମ୍ପଙ୍କ ବାଜିମାତ୍ ପରେ ଭାରତ ପ୍ରଧାନମନ୍ତ୍ରୀ ମୋଦି ଶୁଭେଜ୍ଞା ଜଣାଇଛନ୍ତି। ଟ୍ରମ୍ପଙ୍କ ସହ ୪ଟି ଫଟୋ ସେୟାର କରିଛନ୍ତି ଏକ୍ସରେ। ଟ୍ରମ୍ପଙ୍କୁ ବନ୍ଧୁ ବୋଲି ସମ୍ୱୋଧନ ସହ ଭାରତ ସହ ଆଗକୁ ଆମେରିକାର ସମ୍ପର୍କ ଆହୁରି ମଝଭୁତ ହେବ ବୋଲି କହିଛନ୍ତି ମୋଦି। ବିଶ୍ୱଶାନ୍ତି, ସ୍ଥିରତା ଓ ସମୃଦ୍ଧି ଲାଗି ମିଳିତ ପ୍ରୟାସ କରିବା ବୋଲି କହିଛନ୍ତି ମୋଦି। ନିର୍ବାଚନ ପ୍ରଚାର ବେଳେ ଇମିଗ୍ରେସନ ପଲିସିକୁ ନେଇ ଅଧିକ ମୁଖର ହୋଇପଡ଼ିଥିଲେ ଟ୍ରମ୍ପ। ସିଧା କହିଥିଲେ ଯେ, ଏଚ-ଓ୍ୱାନବି ଭିସା ପ୍ରୋଗ୍ରାମକୁ ସୀମିତ କରାଯିବ। ଏମିତି ହେଲେ ଅଧିକ କ୍ଷତିଗ୍ରସ୍ତ ହେବେ ଭାରତୀୟ। ଯଦି ଏହି ନୀତିରେ ପରିବର୍ତ୍ତନ କରାଯାଏ, ତାହେଲେ ଭିସା ରଦ୍ଦରୁ ନେଇ ପ୍ରୋସେସିଂ ଫି ସବୁଥିରେ ଦେୟ ବଢ଼ିଯିବ। ଏହି ଭିସାରେ ଚାକିରୀକୁ ଯାଉଥିବା ଲୋକଙ୍କୁ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେବାକୁ ପଡ଼ିବ। ଭାରତୀୟ ଆଇଟି ପ୍ରଫେସନାଲ ଆମେରିକାରେ ଚାକିରୀ ଲାଗି ମୁଖ୍ୟତଃ ଏହି ଭିସା ଉପରେ ନିର୍ଭର କରିଥାଆନ୍ତି। ଗଲା ଥର ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ବାଏ ଆମେରିକାନ, ହାୟାର ଆମେରିକାନ ବୋଲି ଏକ ଏକଜ୍ୟୁକିଟିଭି ଅର୍ଡର ଜାରି କରିଥିଲେ ଟ୍ରମ୍ପ। ଅବଶ୍ୟ ଏଥର କର୍ପୋରେଟ ଟିକସ ହ୍ରାସ କରିବାକୁ କଥା ଦେଇଥିବାରୁ ଆଇଟି କମ୍ପାନୀ ଉପରେ ଏହାର କମ୍ ପ୍ରଭାବ ପଡ଼ିପାରେ। ୨୦୨୨ରେ ଆମେରିକା ଯେତିକି ଏଚ-ଓ୍ୱାନବି ଭିସା ଜାରି କରିଥିଲା, ସେଥିରୁ ୭୨ ପ୍ରତିଶତରୁ ଅଧିକ ଭାରତୀୟଙ୍କୁ ଜାରି ହୋଇଛି। ଏହି ଭିସା କେବଳ ଗ୍ରାଜୁଏଟ୍ ଡିଗ୍ରୀଧାରୀଙ୍କୁ ଆମେରିକାରେ ଚାକିରୀ ଲାଗି ରିହାତି ଦିଏ। ପରିବାର ସହ ଆମେରିକା ଯିବାକୁ ବି ସୁବିଧା ମିଳେ।

ଆମେରିକାରେ ପୁ଼୍ଣି ଚାଲିଲା ଟ୍ରମ୍ପ କାର୍ଡ। ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଖରେ ଆନୁମାନିକ ୭ ଅରବ ଡଲାରର ସମ୍ପତ୍ତି ଅଛି। ଟ୍ରମ୍ପଙ୍କ ନେଟଓ୍ୱର୍ଥର ବଡ଼ ଅଂଶ ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜି ଗ୍ରୁପର ଅଛି। ଅନ୍ୟ ବଡ଼ ଅଂଶ ଗଲ୍ଫ କ୍ଲବ, ରିସୋର୍ଟ ଓ ରିଅଲ ଇଷ୍ଟେଟରେ ଲାଗିଛି। ୧୩୨ ବର୍ଷର ଇତିହାସ ସହ ସମକକ୍ଷ ହୋଇଛନ୍ତି ଟ୍ରମ୍ପ। ୨୦୧୭ରୁ ୨୦୨୧ ଯାଏ ଆମେରିକାର ରାଷ୍ଟ୍ରପତି ଥିଲେ ଟ୍ରମ୍ପ। ୪ ବର୍ଷ ପରେ ପୁଣି କ୍ଷମତା ଅକ୍ତିଆର କରିଛନ୍ତି ଟ୍ରମ୍ପ। ଯେଉଁ ରେକର୍ଡ ଗ୍ରୋଭର କ୍ଲେଭେଲ୍ୟାଣ୍ଡଙ୍କ ନାଁରେ ଥିଲା। ଗ୍ରୋଭର ୧୮୮୫ରୁ ୧୮୮୯ ଓ ୧୮୯୩ରୁ ୧୮୯୭ ଯାଏ ଆମେରିକାର ରାଷ୍ଟ୍ରପତି ଥିଲେ। ଗଲା ୨୦ ବର୍ଷ ଭିତରେ ରିପବ୍ଲିକାନ ପାର୍ଟିର ପ୍ରଥମ ରାଷ୍ଚ୍ରପତି ପ୍ରାର୍ଥୀ ଭାବେ ପୋପୁଲାର ଭୋଟ ପାଇଥିବା ରେକର୍ଡର ଅଧିକାରୀ ବି ହୋଇଛନ୍ତି ଟ୍ରମ୍ପ। ୨୦୧୬ ଓ ୨୦୨୦ରେ ପପୁଲାର ଭୋଟ ପାଇବାରେ ଫେଲ୍ ମାରିଥିଲେ ଟ୍ରମ୍ପ।  ୨୦୧୬ ରେ ୫୩୮ ଇଲେକ୍ଟୋରାଲ ଭୋଟରୁ ଯଦିଓ ୩୦୪ ଭୋଟରେ ଜିତିଥିଲେ ଟ୍ରମ୍ପ। ହିଲାରି କ୍ଲିଣ୍ଟନଙ୍କୁ ୨୦୧୬ରେ ଓ ୨୦୨୪ରେ ଉପ-ରାଷ୍ଟ୍ରପତି କମଳା ହାରିସଙ୍କୁ ହରାଇଛନ୍ତି ଟ୍ରମ୍ପ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *