ଜଣେ ଅବସରପ୍ରାପ୍ତ ଡିଏସପିଙ୍କ ଭଡ଼ା ଘରେ ଭୟଙ୍କର ଅଗ୍ନିକାଣ୍ଡ। ଘରେ ଶୋଇଥିବା ବେଳେ ନିଆଁ ଲାଗିବାରୁ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି। ଜମ୍ମୁକଶ୍ମୀରର କାଠୁଆର ଶିବାନଗରରୁ ସକାଳୁ ସକାଳୁ ଆସିଛି ଏଭଳି ଦୁଃଖଦ ଖବର। ଘରେ ୯ଜଣ ଲୋକ ଥିଲେ। ଶ୍ୱାସରୁଦ୍ଧରୁ ୬ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସାହାଯ୍ୟ କରିବାକୁ ଆସିଥିବା ଜଣେ ପଡ଼ୋଶୀଙ୍କୁ ବି ଅଚେତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି। ତେବେ ଏହା ସଂଯୋଗ ନା ଷଡ଼ଯନ୍ତ୍ର, ତାହାର ଛାନଭିନ୍ କରୁଛି ପୁଲିସ। ଚିକିତ୍ସାଧୀନ ୪ଜଣ ବିପଦମୁକ୍ତ ଅଛନ୍ତି।
ମୃତକଙ୍କ ଭିତରେ ଦୁଇଟି ଛୋଟ ପିଲା ବି ଅଛନ୍ତି। ଘରେ ଶୋଇଥିଲା ବେଳେ ପ୍ରାୟ ବିଳମ୍ୱିତ ରାତି ସାଢେ ୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ପଡ଼ୋଶୀ ଏହା ଦେଖିବା ପରେ ଘଟଣାସ୍ଥଳକୁ ଧାଇଁଥିଲେ। ଉଦ୍ଧାର ଲାଗି ପ୍ରୟାସ କରିଥିଲେ। କିନ୍ତୁ ଘର ପୁରା ଧୂଆଁରେ ଭର୍ତ୍ତି ହୋଇସାରିଥିଲା। ଡାକ୍ତରଙ୍କ କହିବା ଅନୁସାରେ ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଛି। କୌଣସି ଅଗ୍ନିକାଣ୍ଡଜନିତ କ୍ଷତ ଶରୀରରେ ନାହିଁ। ମୃତକଙ୍କ ଭିତରେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ୮୧ ବର୍ଷୀୟ ଅଭତାର କ୍ରିଷେନ ରାଇନା, ତାଙ୍କ ୨୫ ବର୍ଷୀୟା ଝିଅ ବର୍ଖା, ବର୍ଖାଙ୍କ ୩ ବର୍ଷର ପୁଅ ତାକାଶ, ୧୭ ବର୍ଷୀୟ ଗଙ୍ଗା ଭଗତ, ୧୫ ବର୍ଷୀୟ ଦାନିଶ ଭଗତ ଓ ୬ ବର୍ଷୀୟ ଆଦଭିକ୍। ଅଭତାରଙ୍କ ୬୧ ବର୍ଷୀୟା ପତ୍ନୀ ସ୍ୱର୍ଣ୍ଣ, ବୋହୂ ନୀତୁ, ୧୫ ବର୍ଷୀୟ ଅରୁଣ ଓ ୬୯ ବର୍ଷୀୟା ଆଉ ଜଣେ ବୃଦ୍ଧା ଚିକିତ୍ସାଧୀନ ଅଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now