କ୍ଷତିଗ୍ରସ୍ତ ଚାଷୀଙ୍କ ଦୁର୍ଦ୍ଦଶାକୁ ନେଇ ଥମୁନି ରାଜନୀତି। ସୋମବାର ଗଞ୍ଜାମ ଜିଲ୍ଲାର ୪ ନିର୍ବାଚନମଣ୍ଡଳୀ ବୁଲି କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ମଙ୍ଗଳବାର ୪ ଜିଲ୍ଲା ପୁରୀ, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ସେମାନଙ୍କର ଦୁଃଖ ଶୁଣିଛନ୍ତି ନବୀନ। ଚାଷୀଙ୍କୁ ଉଚିତ ଓ ତ୍ୱରିତ କ୍ଷତିପୂରଣ ମିଳୁ ବୋଲି ଦାବି କରିଛନ୍ତି ନବୀନ। ଚାଷୀଙ୍କ ହକ୍ ଲାଗି ଲଢ଼ିବି ବୋଲି କହିଛନ୍ତି ନବୀନ।
ଉଜୁଡ଼ା ଫସଲ ନଷ୍ଟ ହେବାରୁ ଜଗତସିଂହପୁର ବାଲିକୁଦା ସାରଣା ଗାଁର ଯୁବଚାଷୀ କୃତିବାସ ସ୍ୱାଇଁଙ୍କ ଆତ୍ମହତ୍ୟା ଏଭଳି ସ୍ଥିତିରେ ପ୍ରମୁଖ ପ୍ରସଙ୍ଗ ସାଜିଛି। ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ସହ ବିଭିନ୍ନ ଦାବିରେ ଜଗତସିଂହପୁର-ବାଲିକୁଦା ମୁଖ୍ୟରାସ୍ତାକୁ ଅବରୋଧ କରିଥିଲା ନବନିର୍ମାଣ କୃଷକ ସଂଗଠନ। ଚାଷୀଙ୍କ ଏଭଳି ଦୁଃସ୍ଥିତିରେ ନବୀନ କେବଳ ରାଜନୀତି କରିବାକୁ ଆସିଛନ୍ତି କହି କଟାକ୍ଷ ଫିଙ୍ଗିଛନ୍ତି ବାଲିକୁଦା ଏରସମା ବିଧାୟକ ସାରଦା ଜେନା। ସେପଟେ ଏଫଏକ୍ୟୁ ମାନ କୋହଳ ସହ କ୍ଷୟକ୍ଷତିର ସଠିକ ଆକଳନ ଓ କ୍ଷତିପୂରଣ ନେଇ ବେଲଗୁଣ୍ଠା ବ୍ଲକ ଚାଷୀ ସଂଗଠନ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ସ୍ମାରକପତ୍ର। ସପ୍ତାହକର ମହଲତ ଦେଇଛନ୍ତି ସରକାରଙ୍କୁ। କ୍ଷତିପୂରଣ ନ ମିଳିଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ।
କ୍ଷତିଗ୍ରସ୍ତ ଚାଷୀଙ୍କୁ ସମସ୍ତ ସହାୟତା ମିଳିବ ବୋଲି ସରକାର କଥା ଦେଇସାରିଛନ୍ତି। ଏଫଏକ୍ୟୁ ମାନ କୋହଳ ଲାଗି ବି କୁହାଯାଇଛି। ବୀମା କମ୍ପାନୀଙ୍କୁ ବି ତାଗିଦ୍ କରାଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ନିଜେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ମୋହନ ସରକାର ଚାଷୀଙ୍କ ଲାଗି ଏତେ କରୁଥିଲା ବେଳେ ହତାଶ ହୋଇପଡ଼ିଛନ୍ତି ନବୀନ। ଗ୍ରାଉଣ୍ଡରେ ଜିରୋ ହେବା ପରେ ଗ୍ରାଉଣ୍ଡଜିରୋକୁ ଯାଇ ତୁଛା ପ୍ରହସନ କରୁଛନ୍ତି ନବୀନ। ବିଜେଡି ମୁହଁରେ ଚାଷୀଙ୍କ କଥା କହିବାର ଅର୍ଥ ଲଙ୍କାରେ ହରିଶବ୍ଦ। ଚାଷୀଙ୍କ ସହ ବିଜେଡି କେବେ ବି ନଥିଲା। ଆଜି ଡ୍ରାମା କରି ରାଜନୀତିର ରୋଟି ସେକିବା ଅନ୍ତତଃ ବନ୍ଦ କରୁ।
Naxatra News is now on Whatsapp
Join and get latest news update delivered to you via whatsapp
Join Now