ଆମେରିକାରେ ପୁଣି ବିମାନ ଦୁର୍ଘଟଣା। ରନଓ୍ୱେରେ ଛିଡ଼ା ହୋଇଥିବା ବିମାନକୁ ଧକ୍କା ଦେଲା ଜେଟ୍। ଏତେ ଜୋରରେ ଟକ୍କର ମାରିଲା ଯେ, ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ସ୍କଟସଡେଲ୍ ଏୟାରପୋର୍ଟରେ ଏହି ଦୁର୍ଘଟଣା ଘଟିଛି। ୨ ଗୁରୁତର ଆହତଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା ବେଳେ ଆଉ ଜଣଙ୍କ ଅବସ୍ଥା ସ୍ଥିର ଅଛି। ଦୁର୍ଘଟଣା ପରେ ଏୟାରପୋର୍ଟର ରନଓ୍ୱେକୁ ବନ୍ଦ କରିଦିଆଯାଇଛି। ମଧ୍ୟମ ଆକାରରର ଏକ ବିଜନେସ୍ ଜେଟ୍ ପାର୍କିଂରେ ଛିଡ଼ାହୋଇଥିବା ଆଉ ଏକ ଜେଟକୁ ଟକ୍କର ମାରିଥିଲା। ଲ୍ୟାଣ୍ଡିଂ ବେଳେ ଗିଅର ଖରାପ କାରଣରୁ ଓହ୍ଲାଇଥିବା ଲିୟରଜେଟ୍ ୩୫ଏ ରନଓ୍ୱେରୁ ତଳକୁ ଖସିପଡ଼ିଥିଲା। ପାର୍କିଂରେ ଥିବା ଗଲ୍ଫଷ୍ଟ୍ରିମ୍-୨୦୦ ଜେଟକୁ ଧକ୍କା ଦେଇଥିଲା। ଲ୍ୟାଣ୍ଡିଂ ଗିଅର କାମ କରିଲାନି ବୋଲି ଏହି ଦୁର୍ଘଟଣା ହେଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଧକ୍କା ଦେଇଥିବା ଜେଟ୍ ଟେକ୍ସାସରୁ ଆସିଥିଲା। ଆମେରିକା ଗଲା ଦୁଇ ସପ୍ତାହ ଭିତରେ ତିନୋଟି ବଡ଼ ବିମାନ ଦୁର୍ଘଟଣା ଦେଖିଲାଣି। ଜାନୁଆରୀ ୨୯ରେ ଦେଶର ରାଜଧାନୀ ପାଖରେ ଏକ ବାଣିଜ୍ୟିକ ଜେଟଲାଇନର ଓ ଏକ ସେନା ହେଲିକେପ୍ଟର ଭିତରେ ଟକ୍କର ହୋଇଥିଲା। ଏଥିରେ ୬୭ ଜଣଙ୍କ ମୃତ୍ୟୁ ହୋଇଥିଲା।ଏହା ପରେ ଜାନୁଆରୀ ୩୧ରେ ଫିଲାଡେଲଫିଆରେ ଏକ ଚିକିତ୍ସା ଉପକରଣ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବିମାନରେ ଯାଉଥିବା ୬ଜଣଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଗଲା ସପ୍ତାହରେ ପଶ୍ଚିମ ଆଲାସ୍କାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତରୁ ବିମାନରେ ଥିବା ସମସ୍ତ ୧୦ଲୋକଙ୍କ ମୃତ୍ୟୁ ହୋଇଥିଲା। ଆଲାସ୍କାର ଇଲସନ୍ ଏୟାରଫୋର୍ସ ବେସ୍ ରେ ଏଫ-୩୫ ଫାଇଟର ଜେଟ୍ କ୍ରାସ୍ କରିଯାଇଥିଲା। ସୌଭାଗ୍ୟବଶତଃ ପାଇଲଟ୍ ବଞ୍ଚିଯାଇଥିଲେ। ବିଶ୍ୱର ସବୁଠୁ ଶକ୍ତିଶାଳୀ ଫାଇଟର ଜେଟ୍ ଏତେ ଜୋରରେ ପଡ଼ିଲା ଯେ, ଅଚାନକ ନିଆଁ ଲାଗିଗଲା। ଆମେରିକାର ଆଡଭାନ୍ସ ଯୁଦ୍ଧ ବିମାନ ଆକାଶରେ ହିଁ କ୍ରାସ୍ କରିଗଲା। ଏଫ-୩୫ର କ୍ଷମତା ଉପରେ ଏହି ଅଘଟଣ ପରେ ଅଙ୍ଗୁଳି ଉଠିଥିଲା। ସୋସିଆଲ ମିଡିଆରେ ଜେଟ୍ କ୍ରାସ ହେବାର ଭିଡିଓ ଭାଇରାଲ ହୋଇଛି। ରନଓ୍ୱେରେ ଚକ୍କର କାଟି ଏଫ-୩୫ ପଡ଼ିବା ମାତ୍ରେ ନିଆଁ ଲାଗିଯାଇଥିଲା। ଉଡ଼ାଣ ବେଳେ କିଛି ଯାନ୍ତ୍ରିକ ତୃଟି ଦେଖାଦେଇଥିଲ। ଏହା ଦେଖି ପାଇଲଟ ଏମର୍ଜେନ୍ସି ଘୋଷଣା କରି ପାରାସୁଟରେ ବାହାରକୁ ବାହାରି ପଡ଼ିଥିଲେ। ପ୍ରଶିକ୍ଷଣ ଅଭ୍ୟାସ ବେଳେଏୟାରବେସରେ ଲ୍ୟାଣ୍ଡିଂ ବେଳେ ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now