କମେଡି ଆଳରେ ଅଶ୍ଳୀଳତା ମହଙ୍ଗା ପଡ଼ିଲା। ୟୁଟ୍ୟୁବର ରଣବୀର ଇଲାହାବାଦିଆଙ୍କ ବିବାଦୀୟ ବୟାନ ବଡ଼ ପ୍ରସଙ୍ଗ ହୋଇ ଉଭା ହେଲାଣି। ଏହାର ଝଡ଼ ସଂସଦରେ ଦେଖିବାକୁ ମିଳିଛି। କମେଡିଆନ୍ ସମୟ ରୈନାଙ୍କ ୟୁଟ୍ୟୁବ୍ ସୋ ଇଣ୍ଡଆଜ୍ ଗଟ୍ ଲାଣ୍ଟେଟରେ ଅନେକ ଅଭଦ୍ର ଓ ଆପତ୍ତିଜନତ ଟିପ୍ପଣୀ କରିଥିଲେ ରଣବୀର। ଯାହାକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟୁବକୁ ନୋଟିସ୍ ପଠାଇଥିଲା। ଜାତୀୟ ମାନବାଧିକାର ଆୟୋଗର ସଦସ୍ୟ ପ୍ରିୟାଙ୍କ କାନନୁଗୋ ବି ଏହି ଆପତ୍ତିଜନକ ଭିଡ଼ିଓକୁ ୟୁଟ୍ୟୁବରୁ ହଟାଇବାକୁ ଦାବି କରିଥିଲେ। ଆଉ ଏଥିରେ ୟୁଟ୍ୟୁବ୍ ବି ଆକ୍ସନ ସ୍ୱରୂପ ଏହି ଭିଡ଼ିଓକୁ ନିଜ ପ୍ଲାଟଫର୍ମରୁ ହଟାଇଦେଇଛି। ଏହାକୁ ନେଇ ସଂସଦର ସଞ୍ଚାର ଓ ଆଇଟି ସଂସଦୀୟ ସମିତି ବି ଏହାକୁ ଗମ୍ଭୀରତାର ସହ ନେଇଛି। ଏଭଳି ଅପମାନଜନକ ଟିପ୍ପଣୀକୁ ନେଇ ଦିଶା ନିର୍ଦେଶ ସହ କଡ଼ା ଆଇନ ହେବା ଜରୁରୀ। ଅନେକ ସମୟରେ ଲୋକେ ବୟାନ ଦେଲା ବେଳେ ସୀମା ପାର୍ କରିଯାଉଛନ୍ତି। ଏହି ଭିଡ଼ିଓ ଏଥିଲାଗି ଗମ୍ଭୀର ଅଟେ, କାରଣ ଏହା ଯୁବ ସମ୍ୱେଦନଶୀଳ ମନୋଭାବ ଉପରେ କୁପ୍ରଭାବ ପକାଇବ। ସଂପୃକ୍ତ ୟୁଟ୍ୟୁବରଙ୍କୁ ଅନେକ ଫଲୋ କରୁଛନ୍ତି। ସେଥିଲାଗି ରଣବୀରଙ୍କୁ ସଂସଦୀୟ କମିଟି ଖୁବ ଶୀଘ୍ର ସମନ ପଠାଇବାକୁ ବିଚାର କରିଛି।
ଏମିତିରେ ୟୁଟ୍ୟୁବର ରଣବୀରଙ୍କ ସମେତ କାର୍ଯ୍ୟକ୍ରମର ୫ ବିଚାରପତିଙ୍କ ବିରୁଦ୍ଧରେ ଏତଲା ରୁଜୁ ହୋଇଛି। ରଣବୀର ଏହି ସୋ ରେ ପିତା ମାତାଙ୍କୁ ନେଇ ଅନେକ ଆପତ୍ତିଜନକ କମେଣ୍ଟ କରିଥିବାର ଆରୋପ ରହିଛି। ରଣବୀରଙ୍କ ଏଭଳି ମନ୍ତବ୍ୟକୁ ଅଖିଳ ଭାରତୀୟ ସିନେ ଓ୍ୱାର୍କରସ ଆସୋସିଏସନ ବି ନିନ୍ଦା କରିଛି। ଏଭଳି ସୋ ଉପରେ ତତ୍କାଳ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛି ଆସୋସିଏସନ। ଏଭଳି ମନ୍ତବ୍ୟ ସାମାଜିକ ଓ ପାରିବାରିକ ମୂଲ୍ୟବୋଧ ପ୍ରତି ଅପମାନ। ଏଭଳି ଘୃଣିତ ସୋ ସାମାଜିକ ସଦ୍ଭାବନାକୁ ଦୁର୍ବଳ କରୁଛି। ଏହା ସହ ଆଗକୁ ଯେଉଁ କାର୍ଯ୍ୟକ୍ରମକୁ ସମୟ ହୋଷ୍ଟ କରୁଥିବେ ବା ରଣବୀର ସାମିଲ୍ ହେବେ, ସେ ସବୁ କାର୍ଯ୍ୟକ୍ରମରେ କୌଣସି ଅଭିନେତା, ନିର୍ମାତା, ନିର୍ଦେଶକ କି ଟେକ୍ନିସିଆନ ଅସହଯୋଗ କରିବାକୁ ନିବେଦନ କରିଛି ଏଆଇସିଡବ୍ଲୁଏ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଥିଲେ, ମର୍ଯ୍ୟାଦାର ସୀମା ଲଙ୍ଘିଲେ ଆକ୍ସନ ହେବ। ସ୍ୱାଧୀନତାର ଅଭିବ୍ୟକ୍ତି ଆଳରେ ଏଭଳି ଅଶ୍ଳୀଳତାକୁ ବରଦାସ୍ତ କରାଯିବନି। କଂଗ୍ରେସ ସାଂସଦ ଗୌରବ ଗୋଗୋଇ ରଣବୀରଙ୍କ ଏଭଳି ଅଭଦ୍ରୋଚିତ ଟିପ୍ପଣୀକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ମୋଦିଙ୍କ ସହ ପୋଡକାଷ୍ଟ କରୁଥିବା ଲୋକଙ୍କ ଚରିତ୍ର ଏମିତି ବୋଲି ଅଙ୍ଗୁଳି ଉଠାଇଛନ୍ତି ଗୌରବ। ଗଲା ବର୍ଷ ମାର୍ଚ୍ଚରେ ମୋଦିଙ୍କ ହାତରୁ ନାସନାଲ କ୍ରିଏଟର୍ସ ଆଓ୍ୱାର୍ଡ ପାଇଥିଲେ ରଣବୀର। ଲୋକଗାୟିକା ନେହା ସିଂ ରାଠୋର ଏ ସନ୍ଦର୍ଭରେ ବି ବିଜେପି, ମୋଦି ସରକାରଙ୍କ ସମେତ ରବି କିଶାନଙ୍କ ଯାଏ ଟାର୍ଗେଟ କରିଛନ୍ତି।
ଏପିସୋଡରେ ଅଶ୍ଲୀଳ କମେଣ୍ଟ ମହଙ୍ଗା ପଡ଼ିଲା। ଡାର୍କ କମେଡି ସୋ ଇଣ୍ଡିଆଜ୍ ଗଟ୍ ଲାଣ୍ଟେଟର ଶେଷ ବିବାଦୀୟ ଏପିସୋଡକୁ ବ୍ଲକ୍ କରିଦେଇଛି ୟୁଟ୍ୟୁବ୍। ଏହି ଆକ୍ସନ କେନ୍ଦ୍ର ସରକାରଙ୍କ ନିର୍ଦେଶରେ ହୋଇଛି। ଏମିତିରେ ଉଭୟ ସମୟ ରୈନା ଓ ରଣବୀର ଇଲାହାବାଦିଆଙ୍କ ଲକ୍ଷ ଲକ୍ଷ ଫଲୋଅର ଅଛନ୍ତି। ଦୁହିଁଙ୍କ ରୋଜଗାରର ନେଟଓ୍ୱର୍ଥ ବି କୋଟି କୋଟି ଟଙ୍କା। କଣ୍ଟେଟ୍ କ୍ରିଏଟ ଦୁନିଆର ଖ୍ୟାତିସମ୍ପନ୍ନ ଚେହେରା ଅଟନ୍ତି ଦୁହେଁ। ରଣବୀରଙ୍କର ୭ଟି ୟୁଟ୍ୟୁବ୍ ଚାନେଲ ଅଛି। ତାଙ୍କର ପ୍ରାୟ ୧୨ ମିଲିୟନ ଫଲୋଅର ଅଛନ୍ତି। ଏହି ସବୁ ଚାନେଲ ଜରିଆରେ ପ୍ରତି ମାସ ୩୦ରୁ ୩୫ଲକ୍ଷ ଟଙ୍କା ଆୟ କରନ୍ତି। ଏହା ବ୍ୟତୀତ ଷ୍ଟେଜ୍ ସୋ ଓ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ ଜରିଆରେ ବି ମୋଟା ଅଙ୍କର ରୋଜଗାର କରିଥାଆନ୍ତି। ରଣବୀରଙ୍କ ଆନୁମାନିକ ନେଟଓ୍ୱର୍ଥ ପ୍ରାୟ ୬୦ କୋଟି। ସମୟ ରୈନା ଷ୍ଟାଣ୍ଡଅପ୍ କମେଡିଆନ୍ ସହ ୟୁଟ୍ୟୁବର ଅଟନ୍ତି। କମିକସ୍ତାନ ସିଜିନ-୨ରେ ଓ୍ୱିନର। ଏହି ଖ୍ୟାତିସମ୍ପନ୍ନ ସୋସିଆଲ ମିଡିଆ ସେଲିବ୍ରିଟିଙ୍କ ୟୁଟ୍ୟୁବ ଚାନେଲର ସବସ୍କ୍ରାଇବର ୭ ମିଲିୟନରୁ ଅଧିକ। ଲାଇଭ୍ କମେଡି ସୋ ଜରିଆରେ ମୋଟା ଅଙ୍କର ଅର୍ଥ ରୋଜଗାର କରନ୍ତି। ମାସକୁ ରୋଜଗାର କୋଟିଏରୁ ଦେଢ଼ କୋଟି। ତାଙ୍କର ମୋଟ୍ ନେଟଓ୍ୱର୍ଥ ପ୍ରାୟ ୧୪୦ କୋଟି।

Naxatra News is now on Whatsapp
Join and get latest news update delivered to you via whatsapp
Join Now