କ୍ରିକେଟ୍ କ୍ରେଜ୍- ସେଲିବ୍ରେସନରେ ବିବାଦରୁ ହିଂସା..

ଆଇସିସି ଚାମ୍ପିୟନସିପ୍ ଟ୍ରଫି ଫାଇନାଲରେ ଭାରତ ଜିତିବା ପରେ ବିଭିନ୍ନ ଜାଗାରେ ହୋଇଥିଲା ବିଜୟ ସେଲିବ୍ରେସନ୍। ତେବେ ସେଲିବ୍ରେସନକୁ ନେଇ ହଙ୍ଗାମା ଓ ବିବାଦ ହୋଇଛି। କେଉଁଠି ପଥରବାଜି ହୋଇଛି ତ କେଉଁଠି ଫାୟାରିଂ। ପୁଣି କେଉଁଠି ଗୋଷ୍ଠୀ ସଂଘର୍ଷ ତ ପୁଣି କେଉଁଠି ଲାଗିରହିଛି ଚାପା ଉତ୍ତେଜନା। ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁ କସବେରେ ହିଂସା ଦେଖାଦେଇଛି। ଆଇସିସି ଚାମ୍ପିଅନ୍ସ ଟ୍ରଫି ହାସଲ ନେଇ ସେଲିବ୍ରେସନ ରାଲି ବେଳେ ପଥରମାଡ଼ ହୋଇଥିଲା। ଏହାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ। ରାଲି ମସଜିଦ୍ ପାଖରେ ପହଞ୍ଚିବା ମାତ୍ରେ ହିଂସା ଉପୁଜିଥିଲା। ଅସାମାଜିକ ତତ୍ତ୍ୱ ଅନେକ ଗାଡ଼ିକୁ ଭଙ୍ଗାରୁଜା ସହ ଦୋକାନରେ ନିଆଁ ଲଗାଇଦେଇଥିଲେ। ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ବେଶ୍ ନାକେଦମ ହୋଇଥିଲା। ପୁରା ମାମଲାର ଯାଞ୍ଚ କରି ହିଂସା ଭିଆଇଥିବା ତତ୍ତ୍ୱଙ୍କ ବିରୁଦ୍ଧରେ ଆଇନଗତ ଆକ୍ସନ ହେବ ବୋଲି ପୁଲିସ କହିଛି।

ହାଇଦ୍ରାବାଦର ଦିଲସୁଖ ନଗରରେ ବିଜୟ ସେଲିବ୍ରେସନ ବେଳେ ବେକାବୁ ହୋଇଯାଇଥିଲେ ଫ୍ୟାନ୍ସ। ପରିସ୍ଥିତି ହିଂସା ଆଡ଼କୁ ଗତି କରୁଥିବା ଦେଖି ବାଧ୍ୟ ହୋଇ ପୁଲିସ ଲାଠିଚାର୍ଜ କରିଥିଲା। ହରିଆଣାର ଅମ୍ୱାଲାରେ ବିଳମ୍ୱିତ ରାତି ଯାଏ ବାଣଫୁଟା ଜାରିଥିଲା। ନାଚଗୀତର ଆସର ଜାରି ଥିବା ବେଳେ ଅଚାନକ ଦୁଇ ପକ୍ଷ ଭିତରେ ହାତାହାତିରୁ ପରିସ୍ଥିତି ବିଗିଡ଼ିଥିଲା। ଆଉ କିଛି ଯୁବକ ରାସ୍ତାରେ ବିଅର ବୋତଲ ଭାଙ୍ଗି ସେଲିବ୍ରେସନ କରୁଥିବାରୁ ଯାତାୟତ କରୁଥିବା ଲୋକେ ପୁଲିସକୁ ସୂଚନା ଦେବା ପରେ ପୁଲିସ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ସେପଟେ ଚାମ୍ପିଅନସ ଟ୍ରଫି ହାସଲ ପରେ ଷ୍ଟେଜରେ ଭାରତୀୟ ଟିମ୍ ସାମ୍ପେନ ବୋତଲ ସହ ସେଲିବ୍ରେସନ ଆରମ୍ଭ କରୁଥିଲା ବେଳେ ମହମ୍ମଦ ସାମି ଏଥିରେ ସାମିଲ୍ ନହୋଇ ଷ୍ଟେଜ୍ ଛାଡ଼ିଥିଲେ। ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କୁହାଯାଉଛି, ମୁସଲମାନ ଧାର୍ମିକ ବିଶ୍ୱାସରେ ମଦକୁ ବାରଣ ଥିବାରୁ ବୋଧହୁଏ ସାମି ଏଥିରେ ସାମିଲ୍ ହେଲେନି। ତେବେ ସାମିଙ୍କ ମାଆଙ୍କ ପାଦ ଛୁଇଁ ପ୍ରଣାମ କରି ତାଙ୍କ ସହ ଫଟୋ ଉଠାଇଥିଲେ ବିରାଟ କୋହଲି।

ଇତିହାସ ରଚିଲା ଭାରତୀୟ ଟିମ୍। ୧୨ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଜିତିଲା। ନ୍ୟୁଜିଲାଣ୍ଡ ସହ ବରାବର କଲା ୨୫ ବର୍ଷ ତଳର ବଦଲା। ତେବେ ଏହି ଐତିହାସିକ ବିଜୟ ସେଲିବ୍ରେସନକୁ କେନ୍ଦ୍ର କରି ଅନେକ ଜାଗାରେ ବିବାଦ, ହିଂସା ଘଟଣା ବିଡ଼ମ୍ୱନା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *