ମଧ୍ୟାହ୍ନ ଭୋଜନ ପାଇଁ ପିଲା ଚାଲୁଛନ୍ତି ଦେଢ କିଲୋମିଟର

ନବରଙ୍ଗପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ରୂପାନ୍ତିକରଣ ମାଧ୍ୟମରେ ପୁରାତନ ବିଦ୍ୟାଳୟର ନବକଳେବର କରାଯାଉଛି। ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଣ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ପାଣି ପରି ଖର୍ଚ୍ଚ ହେଉଛି ଟଙ୍କା । ହେଲେ ନବରଙ୍ଗପୁର ଜିଲ୍ଲାରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଯିବାକୁ ପଡୁଛି ଦେଢ଼ କିଲୋମିଟର । ଅସ୍ୱାସ୍ଥ୍ୟକର ପରିବେଶ ସହ ଘୁଷୁରୀ ଆଉ କୁକୁଡ଼ା ପଲଙ୍କ ଗହଣରେ ପିଲାମାନେ ଖାଉଥିବା ଅଭିଯୋଗ ହୋଇଛି।

ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ବାର୍ଲି ପଞ୍ଚାୟତ ବଡ଼ବାର୍ଲି ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ବଡ଼ବାର୍ଲି ଗାଁ ଏକ ଉପାନ୍ତ ଓ ଅପହଞ୍ଚ ଇଲାକା ଭାବେ ପରିଚିତ। ବଡ଼ବାର୍ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୨୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୫ ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ତେବେ ଗାଁ ନିକଟରେ ଥିବା ପୁରୁଣା ବିଦ୍ୟାଳୟ କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ଗତବର୍ଷ ଦେଢ଼ କିଲୋମିଟର ଦୂରରେ ନିର୍ମିତ ନୂତନ ଗୃହକୁ ସ୍ଥାନାନ୍ତର ହୋଇଛି ବିଦ୍ୟାଳୟ। ନୂତନ ବିଦ୍ୟାଳୟ ଭିତରେ ରୋଷେଇଘର ନ ଥିବାରୁ ସ୍ୱୟଂ ସହାୟକ ଗୋଷ୍ଠୀ ପୁରୁଣା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଛନ୍ତି । ଆଉ ଛାତ୍ରଛାତ୍ରୀଙ୍କୁ  ଖାଇବା ପାଇଁ ଦେଢ଼ କିଲୋମିଟର ରାସ୍ତା ଯିବାକୁ ପଡୁଛି। କେବଳ ଏତିକି ନୁହେଁ ପୁରୁଣା ବିଦ୍ୟାଳୟରେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ଘୁଷୁରୀ ପଲଙ୍କ ଗହଣରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ପ୍ରଧାନଶିକ୍ଷକ ସବୁବେଳେ ସ୍କୁଲରେ ଅନୁପସ୍ଥିତ ରହୁଥିବାରୁ ଏଭଳି ସମସ୍ୟାର ସମାଧାନ କରିପାରୁନାହାନ୍ତି ଅନ୍ୟ ଶିକ୍ଷକ। ଏନେଇ ଗ୍ରାମବାସୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସେପଟେ ସ୍କୁଲର ସମସ୍ୟାକୁ ନେଇ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଖୁବଶୀଘ୍ର ଏହାର  ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ବଡ଼ବାର୍ଲି ବିଦ୍ୟାଳୟ ପରିସରରେ ରୋଷେଇ ଗୃହ କେବେ ନିର୍ମାଣ ହେଉଛି ତାକୁ ହିଁ ଅପେକ୍ଷା।

ରବି ପଟ୍ଟନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *